ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲର ପାଲଟା ଆକ୍ରମଣକୁ ଇତିମଧ୍ୟରେ ୪୬ ଦିନ ବିତିଛି। ଏଭଳି ସ୍ଥିତିରେ ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ଅତ୍ୟନ୍ତ ନିକଟତର ହୋଇଛି ବୋଲି ହମାସ୍ ମୁଖ୍ୟ ଇସମାଇଲ ହାନିୟେହ ଆଜି କହିଛନ୍ତି। ପଣବନ୍ଦୀଙ୍କୁ ମୁକ୍ତ କରିବା ନେଇ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପଣବନ୍ଦୀଙ୍କୁ ମୁକ୍ତି ଏବଂ ଯୁଦ୍ଧବିରତି ଚୁକ୍ତି ପାଇଁ କତର ମଧ୍ୟସ୍ଥତା କରୁଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ହମାସ୍ ପଣବନ୍ଦୀ ରଖିଥିବା ପ୍ରାୟ ୫୦ ଜଣ ବେସାମରିକ ବ୍ୟକ୍ତି ଏବଂ ଇସ୍ରାଏଲର ଜେଲ୍ରେ ଥିବା ପାଲେଷ୍ଟିନୀୟ ମହିଳା ଓ ଶିଶୁଙ୍କୁ ମୁକ୍ତ କରିବା ଲାଗି ଯୁଦ୍ଧବିରତି ରାଜିନାମା ନେଇ ଆଲୋଚନା ଓ ଯୋଜନା ଚାଲିଛି।
ଗୋଟିଏ ପଟେ ହମାସ୍ ମୁଖ୍ୟ ଇସମାଇଲ ସମ୍ଭାବ୍ୟ ଶାନ୍ତି ରାଜିନାମା ସଂପର୍କରେ ସୂଚନା ଦେଇଥିବାବେଳେ ଅନ୍ୟପଟେ ଉତ୍ତର ଗାଜାର ଜାବାଲିଆ ଶରଣାର୍ଥୀ ଶିବିରକୁ ଇସ୍ରାଏଲୀ ସେନା ଘେରି ରହିଛି। ଇସ୍ରାଏଲୀ ସେନାର ୧୬୨ତମ ଡିଭିଜନ ଉକ୍ତ ଶିବିରକୁ ଘେରି ରହିବା ସହିତ ଲଢ଼େଇକୁ ତୀବ୍ର କରିବା ପାଇଁ ପ୍ରସ୍ତୁତ ହେଉଛି। ୨୧୫ତମ ଆର୍ଟିଲେରି ରେଜିମେଣ୍ଟ୍ ଏବଂ ବାୟୁ ସେନା ଜାବାଲିଆରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ସ୍ଥଳଭାଗରେ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ଲାଗି ଏହା କରାଯାଉଛି।
Follow Us