ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନରେ ଉତ୍ତରପ୍ରଦେଶରେ ବଡ଼ ଧରଣର ଅନିୟମିତତା ଅଭିଯୋଗ ଆଣିଥିବା ବରିଷ୍ଠ ନେତା ଶଶି ଥରୁର୍ଙ୍କ ଟିମ୍ ଉପରେ ଆଜି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ (ସିଇଏ) ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ପ୍ରବଳ ବର୍ଷିଛନ୍ତି। ଏହି ମାମଲା ନେଇ ଦଳରେ କନ୍ଦଳ ବଢ଼ୁଥିବା ବେଳେ ଥରୁରଙ୍କ ମୁଖ୍ୟ ନିର୍ବାଚନ ପ୍ରତିନିଧିଙ୍କୁ ଏକ ଚିଠି ଲେଖି ମିସ୍ତ୍ରୀ କହିଛନ୍ତି, ମତେ କହିବାକୁ ଖୁବ୍ ଖରାପ ଲାଗୁଛି ଯେ ଆପଣ ମୋ ପାଖରେ ଗୋଟିଏ କଥା ଏବଂ ଗଣମାଧ୍ୟମ ଆଗରେ ଭିନ୍ନ କଥା କହୁଛନ୍ତି। ଉକ୍ତ ଘଟଣାରେ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦିଆଯିବା ସତ୍ତ୍ବେ ଗଣମାଧ୍ୟମକୁ କେନ୍ଦ୍ରୀୟ ନିର୍ବାଚନ କମିଟି ବିରୋଧରେ ଅଭିଯୋଗ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ମିସ୍ତ୍ରୀ ପ୍ରଶ୍ନ କରିଛନ୍ତି।
ତିଳକୁ ତାଳ କରୁଛନ୍ତି ଥରୁର ଗୋଷ୍ଠୀ: ସିଇଏ
ସିଇଏ ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛି ବୋଲି କରିବା କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଥରୁର ଗୋଷ୍ଠୀ ତିଳକୁ ତାଳ କରୁଛନ୍ତି ଏବଂ ଯେଉଁ ଅନିୟମିତତା ଅଭିଯୋଗ ହୋଇଛି ତାହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ଏବଂ କାଳ୍ପନିକ ବୋଲି ମିସ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଶଶି ଥରୁର ଗତକାଲି କଂଗ୍ରେସ ସଭାପତି ନିର୍ବାଚନ ହାରି ଯାଇଛନ୍ତି। ଥରୁରଙ୍କ ଟିମ୍ ଗତକାଲି ଉତ୍ତରପ୍ରଦେଶ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ। ଏ ନେଇ ଥରୁର ଗୋଷ୍ଠୀର ସକ୍ରିୟତାକୁ ଦଳରେ ଅନେକ ନେତା ନାପସନ୍ଦ କରିଥିବା ବେଳେ ଆଜି ମିସ୍ତ୍ରୀଙ୍କ କଡ଼ା ପତ୍ର ଚର୍ଚ୍ଚାର ବିଷୟ ହୋଇଛି।
ଖଡ଼େଗେଙ୍କ ପାଇଁ ୫ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ନବ ନିର୍ବାଚିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆସନ୍ତା ୨୬ ତାରିଖରେ ଦଳର ଦାୟିତ୍ବ ନେବେ। ତେବେ ତାଙ୍କ ପାଇଁ ୫ଟି ବଡ଼ ଚ୍ୟାଲେଞ୍ଜ ଆହ୍ବାନ କରିବାକୁ ହେବ। ନେତାଙ୍କ ଦଳ ଛାଡ଼ିବାକୁ ରୋକିବା: ନେତା ଓ କର୍ମୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢ଼ାଇବା ଏବଂ ଅନ୍ୟଦଳକୁ ନେତାମାନଙ୍କ ପଳାୟନକୁ ରୋକିବା ଖଡ଼ଗେଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ। ଗତ କିଛିବର୍ଷ ହେଲା କଂଗ୍ରେସର ବଡ଼ ବଡ଼ ନେତାମାନେ ଦଳ ଛାଡ଼ିଛନ୍ତି। ତେଣୁ ଖଡ଼ଗେଙ୍କ ପ୍ରଥମ କାର୍ଯ୍ୟ ହେଲା ଦଳର ନେତା ଓ କର୍ମୀଙ୍କ ଆତ୍ମବିଶ୍ବାସ ବଢ଼ାଇବା।
୨୦୨୪ ନିର୍ବାଚନ ପାଇଁ ବଳିଷ୍ଠ ବ୍ୟବସ୍ଥା: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ୨ ବର୍ଷରୁ କମ୍ ସମୟ ରହିଛି। ତେଣୁ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଖଡ଼ଗେଙ୍କୁ ଏକ ବଳିଷ୍ଠ ନିର୍ବାଚନ ମେସିନ ସ୍ଥାପନ କରିବାକୁ ହେବ। ୨୦୨୪ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରୁ ଖଡ଼ଗେଙ୍କୁ ଅନେକ କିଛି ଶିଖିବାକୁ ମିଳିବ ଏବଂ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ହେବ। ସାଂଗଠନିକ ସଂସ୍କାର: ଜି-୨୩ ନେତାଙ୍କ ଦ୍ବାରା ଦଳରେ ଆଭ୍ୟନ୍ତରୀଣ ସଂସ୍କାର କଥା କୁହାଯାଇଥିଲେ। ଖଡ଼ଗେ ଏହାର ପଥପ୍ରଦର୍ଶକ ହେବା ଆବଶ୍ୟକ। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ସେ ଆଞ୍ଚଳିକ ସ୍ତରରେ କାର୍ଯ୍ୟକାରୀ ସଭାପତି ଓ ଉପସଭାପତିମାନଙ୍କ ପରାମର୍ଶ ନେବାକୁ ହେବ।
ନୂଆ ଓ ପୁରୁଣା ପିଢ଼ି ମଧ୍ୟରେ ସମନ୍ବୟ: ପୁରୁଣା ଏବଂ ନୂଆ ପିଢ଼ି ମଧ୍ୟରେ ସମନ୍ବୟ ରଖିବା କ୍ଷେତ୍ରରେ ସଭାପତି ଖଡ଼ଗେଙ୍କୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଯୁବକମାନଙ୍କୁ ଉପଯୁକ୍ତ ସ୍ଥାନ ଦେବାକୁ ହେବ। ଅନ୍ୟପକ୍ଷରେ ବରିଷ୍ଠମାନେ ଯେଭଳି ଅଣଦେଖା ହେଉଥିବା ଅନୁଭବ ନକରନ୍ତି ସେଥିପାଇଁ ମଧ୍ୟ ପଦକ୍ଷେପ ନେବାକୁ ପଡ଼ିବ। ଏକତାକୁ ବଜାୟ ରଖିବା: ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଉପା ଅଧୀନକୁ ଆଣିବା ପାଇଁ ପ୍ରଚେଷ୍ଟା କରାଯିବା ଆବଶ୍ୟକ। ଫଳରେ ବିଜେପି ତୁଳନାରେ ମେଣ୍ଟ ସୁବିଧାଜନକ ସ୍ଥିତିରେ ରହିପାରିବ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ରେ ମେଣ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଭେଟୁଛନ୍ତି। ତେଣୁ ଏହି ମେଣ୍ଟରେ ରହିବା କଂଗ୍ରେସ ପାଇଁ ଭଲ ହେବ। ପରସ୍ପର ବିରୋଧରେ ପ୍ରାର୍ଥୀ ଦେବା ପରିବର୍ତ୍ତେ ମେଣ୍ଟ କରି ନିର୍ବାଚନ ଲଢ଼ିଲେ କଂଗ୍ରେସ ଅଧିକ ଲାଭରେ ରହିବ।
Follow Us