Image Courtesy of The Times of India
ନୂଆଦିଲ୍ଲୀ : ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ରାଜନୈତିକ ଦଳ ଖାଦ୍ୟ, ପାଣି, ବିଜୁଳି ପ୍ରଭୃତି ନାନା ଜିନିଷ ମାଗଣା ଦେବାର ପ୍ରତିଶ୍ରୁତି ଦେଇ ଭୋଟ୍ ମାଗିଥାନ୍ତି। ଏଭଳି ପ୍ରତିଶ୍ରୁତି ଦେବାରୁ କୋର୍ଟ ସେମାନଙ୍କୁ ବାରଣ କରିପାରିବେ ନାହିଁ। ତେବେ ପ୍ରଶ୍ନ ଉଠୁଛି ସଠିକ୍ ପ୍ରତିଶ୍ରୁତି କ’ଣ? ରାଜନୈତିକ ଦଳମାନେ ଦେଉଥିବା ମାଗଣା ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟସେବା, ସର୍ବନିମ୍ନ ବିଦ୍ୟୁତ ୟୁନିଟ ଛାଡ଼ ପ୍ରତିଶ୍ରୁତିକୁ କ’ଣ ମାଗଣା ଶ୍ରେଣୀଭୁକ୍ତ କରାଯାଇପାରିବ ନା’ ବାସ୍ତବରେ ଏହା ନାଗରିକଙ୍କର ଅଧିକାର?
ନିର୍ବାଚନ ବେଳେ ମାଗଣା ଉପହାର ଲାଗି ଦଳମାନଙ୍କର ପ୍ରତିଶ୍ରୁତି ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମ କୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା, ଜଷ୍ଟିସ ଜେକେ ମାହେଶ୍ବରୀ ଏବଂ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଶୁଣାଣି ବେଳେ କହିଛନ୍ତି, ଏହା ଉପରେ ବିତର୍କ ଏବଂ ଆଲୋଚନା ହେବା ଜରୁରୀ। କିଛି ସରକାରୀ ସ୍କିମ୍ ହେଉଛି ଲୋକମାନଙ୍କର ଅଧିକାର। ଏହାକୁ ମାଗଣା ଉପହାର ବୋଲି କହିବା ଠିକ୍ ହେବନାହିଁ। ସବୁଠାରୁ ଚିନ୍ତାଜନକ ହେଉଛି ସରକାରୀ ଅର୍ଥକୁ କିଭଳି ଖର୍ଚ୍ଚ କରାଯାଇପାରିବ। କିଛି ଲୋକ କହୁଛନ୍ତି ଟଙ୍କା ବରବାଦ ହେଉଛି। ଆଉ କିଛି ଲୋକ କହୁଛନ୍ତି ଲୋକଙ୍କ କଲ୍ୟାଣ ପାଇଁ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଏହି ପ୍ରସଙ୍ଗ ଅଧିକ ଜଟିଳ ହେବାରେ ଲାଗିଲାଣି। ତେଣୁ ଖଣ୍ଡପୀଠ ଏହି ମାମଲାରେ ଅନ୍ତର୍ଭୁକ୍ତ ସମସ୍ତ ପକ୍ଷଙ୍କ ମତାମତ ମାଗିଛନ୍ତି। ଉକ୍ତ ପ୍ରସଙ୍ଗରେ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୨କୁ ଧାର୍ଯ୍ୟ କରାଯାଇଛି।
ବିଜେପି ନେତା ଅଶ୍ବିନୀ କୁମାର ଉପାଧ୍ୟାୟଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନର କୋର୍ଟ ଆଜି ଶୁଣାଣି କରିଥିଲେ। ସରକାରୀ ପାଣ୍ଠିକୁ ବ୍ୟବହାର କରି ମାଗଣା ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳମାନଙ୍କର ନିର୍ବାଚନ ଚିହ୍ନ ଅଚଳ କରିବା ସହ ସେମାନଙ୍କୁ ରାଜନୈତିକ ଦଳ ଭାବେ ଅଣପଂଜୀକୃତ କରିବାପାଇଁ ସେ ଆବେଦନ କରିଥିଲେ। କିନ୍ତୁ ଉପାଧ୍ୟାୟଙ୍କର ଏହି ଆବେଦନକୁ ଅନେକ ରାଜନୈତିକ ଦଳ ଏବଂ ନେତା ବିରୋଧ କରିଛନ୍ତି। ଆପ୍ ଏହି ମାମଲାରେ ହସ୍ତକ୍ଷେପ କରିବା ସହ ଏକ ଆବେଦନ କରି କହିଛି ଯଦି ମାଗଣା କଥା ଉଠୁଛି ତେବେ ପ୍ରଥମେ ରାଜନେତା, ମନ୍ତ୍ରୀ ଏବଂ ସାଂସଦ ଓ ବିଧାୟକଙ୍କୁ କ’ଣ ମାଗଣା ଦିଆଯାଉଛି ସେନେଇ
ଆଲୋଚନା ହେଉ। କଂଗ୍ରେସ ନେତ୍ରୀ ଜୟା ଠାକୁର ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରି ଏକ ଆବେଦନ କରି କହିଛନ୍ତି, ସରକାରଙ୍କ କର୍ତ୍ତବ୍ୟ ହେଉଛି ସମାଜର ଦୁର୍ବଳ ଶ୍ରେଣୀକୁ ଉପରକୁ ଉଠାଇବା। ଯୋଜନା ପ୍ରସ୍ତୁତ କରିବା ଏବଂ ଲୋକଙ୍କୁ ସବ୍ସିଡି ଦେବା ଶାସକ ଦଳର କର୍ତ୍ତବ୍ୟ। ନାଗରିକଙ୍କୁ ସବ୍ସିଡି ଦେବାକୁ ମାଗଣା ପ୍ରତିଶ୍ରୁତି କୁହାଯାଇ ପାରିବ ନାହିଁ। ଡିଏମ୍କେ ମଧ୍ୟ ଉପାଧ୍ୟାୟଙ୍କ ଆବେଦନକୁ ବିରୋଧ କରିଛି। କେନ୍ଦ୍ର ସରକାର କିନ୍ତୁ ଆବେଦନକାରୀଙ୍କୁ ସମର୍ଥନ କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ରାଜନୈତିକ ଦଳମାନଙ୍କ ଦ୍ବାରା ଦିଆଯାଉଥିବା ମାଗଣା ପ୍ରତିଶ୍ରୁତି ନିୟନ୍ତ୍ରିତ ହେବା ଦରକାର। ଏହି ମାମଲାରେ ଆଇନ ନଆସିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଏହା ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ସରକାର କହିଛନ୍ତି।
Follow Us