ନାଗରିକ ସ୍ୱେଚ୍ଛାସେବୀ ନିଯୁକ୍ତି ପ୍ରସଙ୍ଗ: ମମତା ସରକାର ଉପରେ ଅସନ୍ତୋଷ ଝାଡ଼ିଲେ

Advertisment

ପଶ୍ଚିମବଙ୍ଗରେ ଥିବା ସମସ୍ତ ଡାକ୍ତରଖାନାରେ ନିରାପତ୍ତା କାର୍ଯ୍ୟର ମନ୍ଥର ଗତିକୁ ନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ପଶ୍ଚିମବଙ୍ଗରେ ଥିବା ସମସ୍ତ ଡାକ୍ତରଖାନାରେ ନିରାପତ୍ତା କାର୍ଯ୍ୟର ମନ୍ଥର ଗତିକୁ ନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

supreme court1

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଥିବା ସମସ୍ତ ଡାକ୍ତରଖାନାରେ ନିରାପତ୍ତା କାର୍ଯ୍ୟର ମନ୍ଥର ଗତିକୁ ନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ନାଗରିକ ପୁଲିସ ସ୍ୱେଚ୍ଛାସେବୀ ନିଯୁକ୍ତି ପ୍ରକ୍ରିୟାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଆର୍‌ଜି କର ଦୁଷ୍କର୍ମ-ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଣେ ନାଗରିକ ପୁଲିସ-ସ୍ୱେଚ୍ଛାସେବୀ ହୋଇଥିବା କଥାକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଦୈନନ୍ଦିନ କାର୍ଯ୍ୟରେ ପୁଲିସକୁ ସହଯୋଗ କରୁଥିବା ଏଭଳି ନାଗରିକ ସ୍ୱେଚ୍ଛାସେବୀଙ୍କ ନିଯୁକ୍ତି ସମ୍ପର୍କରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ତଥ୍ୟ ମାଗିଛନ୍ତି।

କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ପଚାରିଥିଲେ, ଏହି ନାଗରିକ ସ୍ୱେଚ୍ଛାସେବୀମାନଙ୍କୁ କିଏ ନିଯୁକ୍ତି ଦିଏ? ସେମାନଙ୍କ ଯୋଗ୍ୟତାର ଆଧାର କ’ଣ ତାହା ଜାଣିବା ଦରକାର। ଏଭଳି ସ୍ୱେଚ୍ଛାସେବୀମାନେ ସମ୍ବେଦନଶୀଳ ଥିବା ଡାକ୍ତରଖାନା, ବିଦ୍ୟାଳୟରେ କାର୍ଯ୍ୟ କରିବା ଉଚିତ ନୁହେଁ। ସମ୍ବେଦନଶୀଳ ଅଞ୍ଚଳକୁ ଅବାଧ ପ୍ରବେଶ କରିପାରୁଥିବା ଏହି ନାଗରିକ ସ୍ବେଚ୍ଛାସେବୀଙ୍କୁ ଯାଞ୍ଚ ନ କରି ରାଜନୈତିକ ପକ୍ଷପାତିତା ମାଧ୍ୟମରେ ନିଯୁକ୍ତି ଦିଆଯିବାର ବି ସମ୍ଭାବନା ରହିଛି। ବଛାବଛା ବ୍ୟକ୍ତିଙ୍କୁ ରାଜନୈତିକ ପୃଷ୍ଠପୋଷକତା ପ୍ରଦାନ କରିବା ପାଇଁ ଏହା ଏକ ଭଲ ଉପାୟ। ପଶ୍ଚିମବଙ୍ଗ ସରକାର ପ୍ରଥମେ ଆମକୁ ତଥ୍ୟ ଦିଅନ୍ତୁ ବୋଲି ଅଦାଲତ କହିଥିଲେ। 

ଏହାବ୍ୟତୀତ ଡାକ୍ତରୀ କର୍ମଚାରୀଙ୍କ ସୁରକ୍ଷା ବୃଦ୍ଧି ପାଇଁ ସୁପାରିସ କରିବା ଲାଗି ଖଣ୍ଡପୀଠ ଦ୍ୱାରା ଗଠିତ ନ୍ୟାସନାଲ ଟାସ୍କ ଫୋର୍ସ (ଏନ୍‌ଟିଏଫ୍)ର କାର୍ଯ୍ୟ ଅଗ୍ରଗତିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାତୀୟ ଟାସ୍କ ଫୋର୍ସ କିମ୍ବା ସବ୍-ଗ୍ରୁପ୍ ଯଥେଷ୍ଟ ଅଗ୍ରଗତି କରିନାହାନ୍ତି। ସେପ୍ଟେମ୍ବର ୨୦୨୪ ପ୍ରଥମ ସପ୍ତାହ ପରଠାରୁ କୌଣସି ବୈଠକ ହୋଇ ନ ଥିବା ସଲିସିଟର ଜେନେରାଲ ସ୍ୱୀକାର କରିଥିଲେ। ଭବିଷ୍ୟତରେ ଟାସ୍କ ଫୋର୍ସର କାର୍ଯ୍ୟ ଯେପରି ଏକ ଯୁକ୍ତିଯୁକ୍ତ ସମୟ ମଧ୍ୟରେ ଶେଷ ହୁଏ ସେଥିପାଇଁ କେନ୍ଦ୍ର ସରକାର ସକ୍ରିୟ ପ୍ରୟାସ କରିବା ଦରକାର ବୋଲି କୋର୍ଟ ତାଙ୍କ ଆଦେଶରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe