କରୋନାର ପ୍ରଧାନ ଲକ୍ଷଣ ଜ୍ବର ନୁହେଁ; କାଶ, କ୍ଳାନ୍ତପଣ, ଶ୍ବାସକ୍ରିୟାରେ କଷ୍ଟ,ସ୍ବାଦ ଏବଂ ଘ୍ରାଣଶକ୍ତି ହ୍ରାସ, ଡାଇରିଆ ଏବଂ ମାଂସପେଶୀ ଯନ୍ତ୍ରଣା ବି ଲକ୍ଷଣ

Advertisment
କରୋନାର ପ୍ରଧାନ ଲକ୍ଷଣ ଜ୍ବର ନୁହେଁ; କାଶ, କ୍ଳାନ୍ତପଣ, ଶ୍ବାସକ୍ରିୟାରେ କଷ୍ଟ,ସ୍ବାଦ ଏବଂ ଘ୍ରାଣଶକ୍ତି ହ୍ରାସ, ଡାଇରିଆ ଏବଂ ମାଂସପେଶୀ ଯନ୍ତ୍ରଣା ବି ଲକ୍ଷଣ

The Hindu

ନୂଆଦିଲ୍ଲୀ: କ‌ରୋନା ଭାଇରସ୍‌ର ପ୍ରଧାନ ଲକ୍ଷଣ ଜ୍ବର ନୁହେଁ। ଯଦି ଜ୍ବର ପ୍ରତି ଗୁରୁତ୍ବ ଦିଆଯିବ ତେବେ ଅନେକ ସଂକ୍ରମଣ ମାମଲାକୁ ରିପୋ‌ର୍ଟ କରାଯାଇପାରିବ ନାହିଁ। ଏମ୍ସ ଦିଲ୍ଲୀ ଅଧୀନ‌ରେ ଦୁଇଟି ଫ୍ୟାସିଲିଟିରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ୧୪୪ ‌ରୋଗୀଙ୍କ କ୍ଲିନିକାଲ୍‌ ପ୍ରୋଫାଇଲ୍‌କୁ ଆଧାର କରି ଏହି ଅଧ୍ୟୟନ ହୋଇଛି। ଏହି ଅଧ୍ୟୟନ ଆଇସିଏମ୍‌ଆର୍‌ର ଭାରତୀୟ ମେଡିକାଲ ଗବେଷଣା ପତ୍ରିକାରେ ପ୍ରକାଶ ପାଇଛି।

ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ମାତ୍ର ୧୭ ପ୍ରତିଶତ ରୋଗୀଙ୍କ ଶରୀର‌ରେ ଜ୍ବର ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ବିଶ୍ବର ଅନ୍ୟ ସ୍ଥାନର ରିପୋର୍ଟ‌୍‌କୁ ଯଦି ଏହା ସହ ତୁଳନା କରାଯାଏ ତେବେ ଏହା ଜଣାପଡ଼ିଛି ଯେ, ଚୀନ୍‌ର କୋହର୍ଟ‌୍‌ରେ ୪୪ ପ୍ରତିଶତ ରୋଗୀଙ୍କ ଶରୀରରେ ଜ୍ବର ଥିବାବେଳେ ୮୮ ପ୍ରତିଶତ ରୋଗୀଙ୍କ ଶରୀର‌ରେ ହସ୍ପିଟାଲ୍‌ରେ ରହିବା ସମୟରେ ଜ୍ବର ଥିଲା। ତେଣୁ କୋଭିଡ୍‌ ପାଇଁ ଯଦି ଜ୍ବର ଉପରେ ସର୍ବାଧିକ ଗୁରୁତ୍ବ ଦିଆଯିବ ତେବେ ଅନେକ ସଂକ୍ରମଣକୁ ରିପୋର୍ଟ କରାଯାଇପାରିବ ନାହିଁ। ଜ୍ବର, କାଶ, କ୍ଳାନ୍ତପଣ, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା କରୋନାର ଲକ୍ଷଣ ବୋଲି ସରକାର ଆରମ୍ଭରୁ କହିଥିବା ବେଳେ ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ର‌ାଳୟ ସ୍ବାଦ ଏବଂ ଘ୍ରାଣଶକ୍ତି ହ୍ରାସ, ଡାଇରିଆ ଏବଂ ମାଂସପେଶୀ ଯନ୍ତ୍ରଣାକୁ କରୋନାର ନୂଆ ଲକ୍ଷଣ ଭାବେ ଯୋଡ଼ିଛନ୍ତି। ତେବେ ଏମ୍ସ ଦ୍ବାରା ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ୪୪ ପ୍ରତିଶତରୁ ଅଧିକ ରୋଗୀଙ୍କ ଶରୀରରେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ। ଏହା ବଡ଼ ଚିନ୍ତାର କାରଣ। କାରଣ ଏହି ଲକ୍ଷଣ ନଥିବା ରୋଗୀ ହିଁ ସଂକ୍ରମଣକୁ ଅଧିକ ବଢ଼ାଇ ଦେଇପାରନ୍ତି।

ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସମେତ ୨୯ ଜଣଙ୍କ ଦ୍ବାରା ଏହି ଅଧ୍ୟୟନ ହୋଇଥିଲା। ମାର୍ଚ୍ଚ ୨୩ରୁ ଏପ୍ରିଲ ୧୫ ମଧ୍ୟରେ ରୋଗୀମାନଙ୍କର ହସ୍ପିଟାଲ୍‌ ଆଡମିସନ୍‌ ତଥ୍ୟକୁ ଆଧାର କରି ଏହି ଅଧ୍ୟୟନ ହୋଇଛି। ଅଧ୍ୟୟନରେ ସାମିଲ ହୋଇଥିବା ୧୪୪ ରୋଗୀଙ୍କ ମଧ୍ୟରେ ୯୩ ପ୍ରତିଶତ ପୁରୁଷ ଥିଲେ। ତେବେ ଏମାନଙ୍କ ମଧ୍ୟରେ ୧୦ ପ୍ରତିଶତ ବିଦେଶ ନାଗରିକ ରହିଥିଲେ। ୧୪୪ ‌ରୋଗୀଙ୍କ ମଧ୍ୟରେ କେବଳ ୨,୮ ପ୍ରତିଶତ ରୋଗୀ ଗୁରୁତର ଥିଲେ। ଅନ୍ୟପକ୍ଷେ ବାକି ୯୭.୨ ପ୍ରତିଶତ ରୋଗୀଙ୍କ ଶରୀରରେ ସାମାନ୍ୟ ସଂକ୍ରମଣ ରହିଥିଲା। ହସ୍ପିଟାଲ୍‌ରେ ଆଡମିସନ୍‌ ସମୟ‌ରେ ମାତ୍ର ୧୧.୧ ପ୍ରତିଶତ ରୋଗୀଙ୍କ ଶରୀର‌ରେ ଜ୍ବର ଥିଲା। ଅଧ୍ୟୟନରେ ସାମିଲ ୧୪୪ ରୋଗୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଏମାନଙ୍କ ଶରୀରରେ ସଂକ୍ରମଣର ମାତ୍ରା ଖୁବ୍‌ ଅଧିକ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe