ମହାରାଷ୍ଟ୍ରରେ ବର୍ଷା ବିଭୀଷିକା ଜାରି: ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର, ୫୬ ଶବ ଉଦ୍ଧାର କଲାଣି ଏନ୍‌ଡିଆର୍‌ଏଫ୍‌

Advertisment

୧୪୦ରୁ ଅଧିକ ମୃତ, ସ୍ଥିତି ସମୀକ୍ଷା କଲେ ଠାକ୍‌ରେ

୧୪୦ରୁ ଅଧିକ ମୃତ, ସ୍ଥିତି ସମୀକ୍ଷା କଲେ ଠାକ୍‌ରେ

ମହାରାଷ୍ଟ୍ରରେ ବର୍ଷା ବିଭୀଷିକା ଜାରି: ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର, ୫୬ ଶବ ଉଦ୍ଧାର କଲାଣି ଏନ୍‌ଡିଆର୍‌ଏଫ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବଡ଼ ବିପର୍ଯ୍ୟୟ ଆସିଛି। ବନ୍ୟା, ଭୂସ୍ଖଳନ, ଘର ଭୁଶୁଡ଼ିପଡ଼ିବା ଆଦି କାରଣ ପାଇଁ ରାଜ୍ୟରେ ତିନି ଦିନ ଭିତରେ ପ୍ରାୟ ୧୪୦ ଜଣଙ୍କ ମୃତ୍ୟୁ ହୋଇଛି। ଏନ୍‌ଡିଆର୍‌ଏଫ୍‌ ଆଜି ୫୬ ଶବ ଉଦ୍ଧାର କରିଥିବା ବେଳେ ଅନେକ ଲୋକ ନିଖୋଜ ଅଛନ୍ତି। ରାଜ୍ୟର ରାୟଗଡ଼, ରତ୍ନଗିରି, ପାଲଘର ଏବଂ ସତରା ଜିଲ୍ଲାରେ ବନ୍ୟା ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ଆଜି ସନ୍ଧ୍ୟା ସୁଦ୍ଧା ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏନ୍‌ଡିଆରଏଫ୍‌ ଏବଂ ସେନା ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଥି‌ଲେ ମଧ୍ୟ ବର୍ଷା ଜାରି ରହିଥିବାରୁ ଆଶ୍ବସ୍ତିର କୌଣସି ପ୍ରଶ୍ନ ନାହିଁ। ଆଗକୁ ମଧ୍ୟ ଅତି ପ୍ରବଳ ବର୍ଷା ‌ସମ୍ଭାବନା ଥିବାରୁ ୬ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଉପକୂଳବର୍ତ୍ତୀ କୋଙ୍କଣର ରାୟଗଡ଼, ରତ୍ନଗିରି, ସିନ୍ଧୁଦୁର୍ଗ ଏବଂ ପଶ୍ଚିମ ମହାରାଷ୍ଟ୍ରର ପୁନେ, ସତରା ଏବଂ କୋହ୍ଲାପୁରରେ ଆଇଏମ୍‌ଡି ପକ୍ଷରୁ ରେଡ୍‌ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରର ଚିପଲୁନ ଏବଂ କମାଥେ ମଧ୍ୟରେ ବଶିଷ୍ଠୀ ନଦୀରେ ବନ୍ୟା ଜଳ ମାଡ଼ି ଆସିଥିବାରୁ ରାସ୍ତାଘାଟ ବୁଡ଼ି ଯାଇଛି। ଦକ୍ଷିଣ ଗୋଆରେ ଆଜି ସକା‌ଳେ ଏକ ଯାତ୍ରୀବାହି ଟ୍ରେନ୍‌ ଲାଇନଚ୍ୟୁତ ହୋଇଯାଇଛି।

ଭୂସ୍ଖଳନ ଏବଂ ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ରାୟଗଡ଼ ଏବଂ ସତରାରେ ସର୍ବାଧିକ ମୃତ୍ୟୁ ହୋଇଛି। ରାୟଗଡ଼ ଜିଲ୍ଲାର ମହଡ଼ ତହସିଲ୍‌ ଅଧୀନସ୍ଥ ତଲାଇ ଗ୍ରାମରେ ଗତକାଲି ଭୂସ୍ଖଳନ ହୋଇ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଅମ୍ବେଗଡ଼ ଏବଂ ମିରଗାଓଁରେ ମଧ୍ୟ ଭୂସ୍ଖଳନ ‌ହୋଇଛି। ପୁନେରେ ୮୪,୪୫୨ ‌ଲୋକ ଏବଂ କୋହ୍ଲାପୁର ଜିଲ୍ଲାରେ ୪୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପଞ୍ଚଗଙ୍ଗା ନଦୀ ଜଳ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ଶତାଧିକ ଗ୍ରାମ ପାଣି ଘେରରେ ଥିବା ବେଳେ ଯୁଦ୍ଧସ୍ତରରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରହିଛି ।

ବର୍ଷା ଯୋଗୁଁ ରାଜ୍ୟରେ ୫୪ ଟି ଗ୍ରାମ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ଏବଂ ୮୨୧ଟି ଗ୍ରାମ ଆଂଶିକ ଭାବେ ପ୍ରଭାବିତ ହୋଇଛି। କୋହ୍ଲାପୁର ଜିଲ୍ଲାରେ ବନ୍ୟା ପାଇଁ ୧୦ ଟି ଜାତୀୟ ରାଜପଥ ସମେତ ୩୯ଟି ରାସ୍ତା ବନ୍ଦ ରହିଛି। ସାଙ୍ଗଲିରେ ସ୍ଥିତି ଜଟିଳ ହେଉଥିବାରୁ ୩୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ବାୟୁସେନା, ନୌ‌‌ସେନା, ଏନ୍‌ଡିଆରଏଫ୍‌ ଏବଂ ଏସଡିଆରଏଫ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଠାକ୍‌ରେ ଆଜି ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe