ବେଙ୍ଗାଲୁରୁରେ ଆରମ୍ଭ ହେଲା କୃଷିମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀ

ବେଙ୍ଗାଲୁରୁରେ ଆରମ୍ଭ ହେଲା କୃଷିମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀ

Odisha Diary

ବାଙ୍ଗାଲୋର: କରୋନା କାରଣରୁ ଗତ ଦୁଇବର୍ଷ ଧରି ବନ୍ଦ ରହିଥିବା ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀ ଚଳିତ ବର୍ଷ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, କେନ୍ଦ୍ର ସାର ଓ ରସାୟନ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡବୀୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଦେଶର କୃଷି ଏବଂ କୃଷକଙ୍କ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଏହି ସମ୍ମିଳନୀ ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି। କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ଓ ବିଚାରବିମର୍ଶ କରାଯିବ।

ଏହି ସମ୍ମିଳନୀରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ଏବଂ ସୁଶ୍ରୀ ଶୋଭା କରନ୍ଦଲାଜେ, କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଭଗୱନ୍ତ ଖୁବା, କର୍ଣ୍ଣାକଟକ କୃଷିମନ୍ତ୍ରୀ ବି.ସି. ପାଟିଲଙ୍କ ସମେତ ରାଜ୍ୟର କୃଷି ଓ ଉଦ୍ୟାନ କୃଷି ମନ୍ତ୍ରୀମାନେ ଯୋଗ ଦେଇଛନ୍ତି। କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ସାର ସଚିବ ଆରତୀ ଆହୁଜାଙ୍କ ସମେତ ଡାଏରୀ ସଚିବ ତଥା ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡ. ତ୍ରିଲୋଚନ ମହାପାତ୍ର, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି।
ଶ୍ରୀ ତୋମର କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ମିଶି କୃଷି କ୍ଷେତ୍ରର ଉନ୍ନତି ପାଇଁ ଯଥାସମ୍ଭବ କାର୍ଯ୍ୟ କରୁଛନ୍ତି।

କୃଷି କ୍ଷେତ୍ରରେ ରହିଥିବା ସମସ୍ୟା ଦୂର କରିବା ଲାଗି ଚେଷ୍ଟା କରାଯାଉଛି। ଏଥିପାଇଁ ନୀତି ନିର୍ଦ୍ଧାରଣ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଭାରତ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବା କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ। ଗାଁର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲ୍ୟାବ୍ ଟୁ ଲ୍ୟାଣ୍ଡ’ ଘୋଷଣାକୁ କାର୍ଯ୍ୟକାରୀ କରିବା ନିମନ୍ତେ କୃଷିମନ୍ତ୍ରୀ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ, ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାର ସବ୍‌ସିଡି ଆକାରରେ ବାର୍ଷିକ ପାଖାପାଖି ଅଢ଼େଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ଭାରତ ସାର ଆମଦାନି ଉପରେ ନିର୍ଭରଶୀଳ ଥିବାରୁ ବିଦେଶରେ ଦରବୃଦ୍ଧିର ପ୍ରଭାବ ଯେପରି ଭାରତୀୟ ଚାଷୀଙ୍କ ଉପରେ ପଡ଼ିବ ନାହିଁ ତାହା କେନ୍ଦ୍ର ସରକାର ସୁନିଶ୍ଚିତ କରୁଛନ୍ତି। ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ମେକ୍ ଇନ୍ ଇଣ୍ଡିଆ ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ନାନୋ ଫର୍ଟିଲାଇଜର ଉପରେ ଜୋର ଦେଇ ଏଥିରେ ରାଜ୍ୟମାନଙ୍କର ଭୂମିକା ରହିଥିବା ସେ କହିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ ବିଚାର ବିମର୍ଶ କରାଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ସୂଚନା ଦେଇଥିଲେ। ଡିଜିଟାଲ କୃଷି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଜାତୀୟ କୃଷି ବଜାର, କୃଷକ ଉତ୍ପାଦକ ସଂଗଠନ, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ସାଚୁରେସନ ଲକ୍ଷ୍ୟ ହାସଲ, ଅନ୍ତର୍ଜାତୀୟ ପୋଷକ-ଶସ୍ୟ ବର୍ଷ (୨୦୨୩), ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି, ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ, ନ୍ୟୁ ଏଜ୍ ଫର୍ଟିଲାଇଜର, ଆଇସିଏଆର୍ ଦ୍ବାରା ବିକଶିତ ନୂଆ ପ୍ରଯୁକ୍ତି ଆଦି ବିଷୟରେ ସମ୍ମିଳନୀରେ ଆଲୋଚନା କରାଯିବ।
ସମ୍ମିଳନୀରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡ. ମାଣ୍ଡବୀୟ କହିଥିଲେ ଯେ, ବର୍ତ୍ତମାନର ବିଶ୍ବ ପରିସ୍ଥିତିରେ ଭାରତକୁ ବହୁ ପରିମାଣରେ ସାର ଏବଂ ରସାୟନ ଆମଦାନି କରିବାକୁ ପଡ଼ୁଛି। କଞ୍ଚା ମାଲ ମଧ୍ୟ ବେଶ୍ ମହଙ୍ଗା ରହିଛି, ଏହା ସତ୍ତ୍ବେ କେନ୍ଦ୍ର ସରକାର ଅତ୍ୟଧିକ ସବ୍‌ସିଡି ଦେଉଛନ୍ତି।

ଡିଏପି ଉପରେ ସବ୍‌ସିଡି ୨୦୨୦-୨୧ରେ ୫୧୨ ଟଙ୍କା ଥିବା ବେଳେ ଏହା ୨୦୨୨-୨୩ ଖରିଫ ଋତୁ ପାଇଁ ୨୫୦୧ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ଡିଏପି ଦାମ୍ ସବୁଠୁ କମ୍ ରହିଛି। ଡ. ମାଣ୍ଡବୀୟ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କୃଷକଙ୍କ ଉପରେ ଦରବୃଦ୍ଧିର ବୋଝ ହ୍ରାସ କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବୋମାଇ କହିଥିଲେ ଯେ, କୃଷି ଆମ ସଂସ୍କୃତି ଏବଂ ଆମ ଅର୍ଥବ୍ୟବସ୍ଥାର ପ୍ରମୁଖ ଆଧାର। ଭାରତୀୟ କୃଷି କ୍ଷେତ୍ର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଗତ ୮ ବର୍ଷ ମଧ୍ୟରେ ଭାରତୀୟ କୃଷି କ୍ଷେତ୍ର ମହତ୍ତ୍ବପୂର୍ଣ୍ଣ ପ୍ରଗତି ହାସଲ କରିଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe