Telegraph India
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦେଶରେ ଅନାଥ ଶିଶୁମାନଙ୍କ ସଂଖ୍ୟାକୁ ନେଇ ଗତକାଲି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍ସିପିସିଆର୍) ଦ୍ବାରା ସୁପ୍ରିମ୍କୋର୍ଟରେ ଦାଖଲ ସତ୍ୟପାଠରେ ଓଡିଶା ସଂପର୍କିତ ଯେଉଁ ତଥ୍ୟ ଅଛି ତାହା ଚକିତ କଲା ଭଳି। ପ୍ରଦତ୍ତ ତଥ୍ୟ ଅନୁସାରେ ଓଡିଶାରେ ୨୦୨୦ ଏପ୍ରିଲ ୧ରୁ ୨୦୨୧ ଜୁନ୍ ୫ ପର୍ଯ୍ୟନ୍ତ ୧୦୭୩ ଜଣ ଶିଶୁ ଅନାଥ ହୋଇଛନ୍ତି। ଏଥିରେ ୨୪୧ ଜଣ ଶିଶୁ ବାପାମା’ ଉଭୟଙ୍କୁ ହରାଇଥିବା ବେଳେ ୮୩୨ ଜଣ ଶିଶୁ ବାପା ବା ମାଆଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ଏହି ଅବଧିରେ ଓଡିଶାରେ ପରିତ୍ୟକ୍ତ ଶିଶୁମାନଙ୍କ ସଂଖ୍ୟା ସଂପର୍କରେ ସତ୍ୟପାଠରେ କିଛି ଉଲ୍ଲେଖ କରାଯାଇ ନାହିଁ। ସୂଚନାଯୋଗ୍ୟ, ଗତ ଜୁନ୍ ପହିଲାରେ ଏନ୍ସିପିସିଆର୍ ଦ୍ବାରା ସୁପ୍ରିମ୍କୋର୍ଟରେ ଦାଖଲ ସତ୍ୟପାଠରେ କୋଭିଡ୍-୧୯ ମହାମାରୀରେ ଓଡିଶାରେ ଅନାଥ ହୋଇଥିବା ଏବଂ ବାପାମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ଶିଶୁମାନଙ୍କ ମୋଟ ସଂଖ୍ୟା ୨୬ ବୋଲି ଦର୍ଶାଯାଇଥିଲା।
ଗତକାଲି ଏନ୍ସିପିସିଆର୍ ଦ୍ବାରା ଯେଉଁ ବିସ୍ତୃତ ସତ୍ୟପାଠ ଦାଖଲ କରାଯାଇଛି, ସେଥିରେ ଶିଶୁମାନଙ୍କ ମାତାପିତା କେବଳ କୋଭିଡ୍-୧୯ରେ ମୃତ୍ୟୁବରଣ କରିନାହାନ୍ତି, ସେମାନଙ୍କ ମୃତ୍ୟୁର ଅନ୍ୟ କାରଣ ବି ଥାଇପାରେ ବୋଲି ଏନ୍ସିପିସିଆର୍ ସତ୍ୟପାଠରେ ସ୍ପଷ୍ଟ କରିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ଏନ୍ସିପିସିଆର୍ର ବାଲ୍ ସ୍ବରାଜ ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯାଇଥିବା ତଥ୍ୟ ଅନୁସାରେ ଦେଶର ଅନାଥ ଶିଶୁମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସତ୍ୟପାଠରେ କରୋନା ମହାମାରୀ ସମୟରେ ଦେଶରେ ୩୦,୦୭୨ ଶିଶୁ ପ୍ରଭାବିତ ହୋଇଥିବା ଉଲ୍ଲେଖ କରାଯାଇଛି। ଏଥି ସହିତ ୩,୬୩୨ ଶିଶୁ ଅନାଥ ହୋଇଛନ୍ତି, ୨୬,୧୭୬ ଶିଶୁ ବାପାମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି ତଥା ୨୭୪ଜଣ ପରିତ୍ୟକ୍ତ ହୋଇଛନ୍ତି। ପ୍ରଭାବିତ ୩୦,୦୭୨ ଶିଶୁଙ୍କର ଯତ୍ନ ଓ ସୁରକ୍ଷା ନିଆଯିବା ପାଇଁ ଏନ୍ସିପିସିଆର୍ ପକ୍ଷରୁ ଗୁରୁତ୍ବାରୋପ କରାଯାଇଥିଲା। ସୁପ୍ରିମ୍କୋର୍ଟର ଦୁଇଜଣିଆ ବିଚାରପତି ଏଲ୍. ନାଗେଶ୍ବର ରାଓ ଓ ଅନିରୁଦ୍ଧ ବୋସଙ୍କ ଖଣ୍ଡପୀଠ ସତ୍ୟପାଠ ସହ ଅନାଥ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ସଂପର୍କିତ ବିଭିନ୍ନ ଯୁକ୍ତି ଶୁଣିଥିଲେ। ଶୁଣାଣି ପରେ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଆଦେଶକୁ ଆଜି ସର୍ବୋଚ୍ଚ ନ୍ୟାୟାଳୟଙ୍କ ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯାଇଛି।
କୋଭିଡ୍ରେ ଅନାଥ ହୋଇଥିବା ଶିଶୁମାନଙ୍କ ବେଆଇନ ଆଡପ୍ସନକୁ ବନ୍ଦ କରିବା ପାଇଁ ସୁପ୍ରିମ୍କୋର୍ଟ କହିବା ସହିତ ଆଡପ୍ସନ ପାଇଁ ସାର୍ବଜନୀନ ବିଜ୍ଞପ୍ତି କରିବାକୁ ମଧ୍ୟ ବେଆଇନ ବୋଲି କହିଛନ୍ତି। ବେଆଇନ ଆଡପ୍ସନରେ ଲିପ୍ତ ଏନ୍ଜିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସୁପ୍ରିମ୍କୋର୍ଟ ଜୁଭେନାଇଲ ଜଷ୍ଟିସ୍ ଆଇନ ଓ କଲ୍ୟାଣକାରୀ ଯୋଜନାର ବ୍ୟାପକ ପ୍ରଚାର ପାଇଁ ଆଦେଶରେ କହିଛନ୍ତି। କୋଭିଡ୍ ମହାମାରୀରେ ଅନାଥ ହୋଇଥିବା ଶିଶୁମାନଙ୍କ ଶିକ୍ଷା ଯେଭଳି ବାଧିତ ନ ହୁଏ ସେନେଇ ସେମାନଙ୍କ ଶିକ୍ଷାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଆଦେଶରେ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ରେ ହେବ ବୋଲି ସୁପ୍ରିମ୍କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।
Follow Us