ଆସନ୍ତା ୪୦ ଦିନ ଗୁରୁତ୍ବପୂର୍ଣ୍ଣ: ଜାନୁଆରିରେ ଦେଶରେ ସଂକ୍ରମଣ ବଢ଼ିପାରେ

ଆସନ୍ତା ୪୦ ଦିନ ଗୁରୁତ୍ବପୂର୍ଣ୍ଣ: ଜାନୁଆରିରେ ଦେଶରେ ସଂକ୍ରମଣ ବଢ଼ିପାରେ

ନୂଆଦିଲ୍ଲୀ : ଜାନୁଆରିରେ ଦେଶରେ କରୋନା ସଂକ୍ରମଣ ବଢ଼ିପାରେ। ତେଣୁ ଆଗାମୀ ୪୦ ଦିନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସରକାରୀ ସ୍ତରରେ ବିବେଚନା କରାଯାଉଛି। ପୂର୍ବରୁ ଏହା ଦେଖିବାକୁ ମିଳିଛି ଯେ ପୂର୍ବ ଏସିଆରେ କରୋନା ଆତଙ୍କ ଖେଳାଇବାର ୩୦-୩୫ ଦିନ ପରେ ଭାରତରେ ସଂକ୍ରମଣ ବଢ଼ିଥିଲା। ଏହା ଏକ ‌ଧାରାରେ ପରିଣତ ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। କିନ୍ତୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଂକ୍ରମଣର ଭୟାବହତା କମ୍‌ ରହିବ ବୋଲି କୁହାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ଯଦିଓ ଆଗକୁ କରୋନାର ଏକ ନୂଆ ଲହର ଆସିବ ଏଥିରେ ମୃତ୍ୟୁ ଏବଂ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ଖୁବ୍‌ କମ୍‌ ରହିବ। ଉଲ୍ଲେଖ‌ଯୋଗ୍ୟ ଯେ ଚୀନ୍‌, ଦକ୍ଷିଣ କୋରିଆ ସମେତ କିଛି ରାଷ୍ଟ୍ରରେ ସଂକ୍ରମଣ ବଢ଼ୁଥିବାବେଳେ କେନ୍ଦ୍ର ସରକାର ଯେକୌଣସି କରୋନା ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ କୋଭିଡ୍‌ ମକଡ୍ରିଲ ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଧ୍ୟ କରୋନା ପ୍ରସ୍ତୁତି ନେଇ ଏକ ବୈଠକ କରିଛନ୍ତି। ଓମିକ୍ରନ୍‌ ଉପପ୍ରଜାତି ବିଏଫ୍‌.୭ ପାଇଁ ସଂକ୍ରମଣ ବଢ଼ିବ ବୋଲି କୁହାଯାଉଛି।

୩ ଦିନରେ ୩୯ ଅନ୍ତର୍ଜାତୀୟ ଯାତ୍ରୀ କରୋନା ସଂକ୍ରମିତ
ଚୀନ୍‌ ଫେରନ୍ତା ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହୋଇପାରେ
ଚେନ୍ନାଇରେ ଚୀନ୍‌ ଫେରନ୍ତା ମା’, ଝିଅ କରୋନା ସଂକ୍ରମିତ
ଦିଲ୍ଲୀ ବିମାନବନ୍ଦର ଆଜି ସ୍ଥିତି ସମୀକ୍ଷା କରିବେ ସ୍ବାସ୍ଥ୍ୟମନ୍ତ୍ରୀ

publive-image TV9 Bharatvarsh

ଦେଶରେ ମାତ୍ର ୩ ଦିନ ମଧ୍ୟରେ ୩୯ ଅନ୍ତର୍ଜାତୀୟ ଯାତ୍ରୀ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଚୀନ୍‌ରୁ ‌ଫେରିଥିବା ଜଣେ ମା’ ଏବଂ ଝିଅ ତାମିଲନାଡ଼ୁର ମଦୁରାଇରେ କରୋନା ସଂକ୍ରମିତ ହୋଇଛନ୍ତି। ଡିସେମ୍ବର ୨୪, ୨୫ ଏବଂ ୨୬ରେ ମୋଟ୍‌ ୪୯୮ଟି ଅନ୍ତର୍ଜାତୀୟ ବିମାନରେ ୬ ହଜାରରୁ ଅଧିକ ଯାତ୍ରୀଙ୍କ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୩୯ ଜଣଙ୍କ ନମୁନା ପଜିଟିଭ୍‌ ଆସିଛି। ଇତି ମଧ୍ୟରେ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଉପରେ ବିଚାରବିମର୍ଶ ଜାରି ରଖିଛନ୍ତି। ଆସନ୍ତା ସପ୍ତାହରୁ ଚୀନ୍‌ ଏବଂ ଅନ୍ୟ ୫ଟି ରାଷ୍ଟ୍ରର ଯାତ୍ରୀମାନଙ୍କ ପାଇଁ ସରକାର ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିପାରନ୍ତି। ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ହଂକଂ, ଥାଇଲାଣ୍ଡ ଏବଂ ସିଙ୍ଗାପୁରର ଅନ୍ତର୍ଜାତୀୟ ଯ‌‌ାତ୍ରୀଙ୍କ ପାଇଁ ଆସନ୍ତା ସପ୍ତାହରୁ ‘ଏୟାର ସୁବିଧା’ ଫର୍ମ ପୂରଣ ଏବଂ ୭୨ ଘଣ୍ଟା ପୂର୍ବରୁ ଆର୍‌ଟିପିସିଆର ଟେଷ୍ଟ୍‌ ବାଧ୍ୟତାମୂଳକ କରାଯାଇପାରେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆସନ୍ତାକାଲି ଦିଲ୍ଲୀ ବିମାନବନ୍ଦର ପହଞ୍ଚି ସ୍ଥିତି ସମୀକ୍ଷା କରିବେ। ଦେଶରେ ଏଯାବତ ୨୦୦ ପ୍ରକାର କରୋନା ପ୍ରଜାତି ଚିହ୍ନଟ ହେଲାଣି। ଚୀନ୍‌ରେ ଆତଙ୍କ ଖେଳାଇଥିବା ବିଏଫ୍‌ -୭ ପ୍ରଜାତି ମଧ୍ୟ ଭାରତରେ ଚିହ୍ନଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe