ପରବର୍ତ୍ତୀ ମହାମାରୀ କୋଭିଡ୍‌ଠାରୁ ଭୟଙ୍କର ହେବ: ଗିଲ୍‌ବର୍ଟ

ପରବର୍ତ୍ତୀ ମହାମାରୀ କୋଭିଡ୍‌ଠାରୁ ଭୟଙ୍କର ହେବ: ଗିଲ୍‌ବର୍ଟ

Royal society

ଲଣ୍ଡନ: କୋଭିଡ୍‌-୧୯ ଏକ ସାଧାରଣ ମହାମାରୀ (ଏପିଡେମିକ୍) ନୁହେଁ, ଏହା ଏକ ଭୟଙ୍କର ମହାମାରୀ (ପାନ୍‌ଡେମିକ୍) ଯାହା ପୃଥିବୀର କୌଣସି ଦେଶକୁ ଛାଡ଼ିନାହିଁ। ଏହାପରେ ଯଦି ଆଉ ଏକ ମହାମାରୀ-କାରକ ଭୂତାଣୁର ଆବିର୍ଭାବ ଘଟେ ତେବେ ତାହା କୋଭିଡ୍‌-୧୯ଠାରୁ ବି ଅଧିକ ଭୟଙ୍କର ହେବ ବୋଲି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ନିର୍ମାତା ସାରା ଗିଲ୍‌ବର୍ଟ କହିଛନ୍ତି। ସେଥିପାଇଁ କୋଭିଡ୍‌-୧୯ ଆମକୁ ଯାହା ଶିକ୍ଷା ଦେଇଛି, ତାକୁ ଆମେ କେବେ ବି ଭୁଲିବା ଉଚିତ ନୁହେଁ ଏବଂ ତଦନୁଯାୟୀ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଜନ୍ସ ହପ୍‌କିନ୍ସ ବିଶ୍ବବିଦ୍ୟାଳୟ ମତରେ ନୋଭେଲ କରୋନା ଭାଇରସ୍ ବିଶ୍ବର ୫.୨୬ ନିୟୁତ ଲୋକଙ୍କ ଜୀବନ ନେଇସାରିଲାଣି। ବିଶ୍ବବ୍ୟାପୀ ରାଜକୋଷଗୁଡ଼ିକରୁ ଲକ୍ଷ ଲକ୍ଷ କୋଟି ଡଲାର ପୋଛିନେଇ ସାରିଲାଣି। ଏହା ଶହ ଶହ କୋଟି ଲୋକଙ୍କ ଜୀବନ-ଜୀବିକା ଉଜାଡ଼ି ସାରିଲାଣି। ସତକଥା ହେଲା, ଏହାପରେ ଯଦି ଆଉ ଏକ ମହାମାରୀ ଆସେ ତେବେ ଏହାଠାରୁ ବି ଭୟଙ୍କର ହେବ। ଏହା ଅଧିକ ସଂକ୍ରାମକ ବା ମାରାତ୍ମକ ବା ଉଭୟ ହୋଇପାରେ ବୋଲି ଟିକା ନିର୍ମାତା ସାରା ଗିଲ୍‌ବର୍ଟ କହିଛନ୍ତି।

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଟିକାବିଜ୍ଞାନ ପ୍ରାଧ୍ୟାପକ ଗିଲ୍‌ବର୍ଟ କହିଛନ୍ତି ଯେ, ‌ନୋଭେଲ କରୋନା ଭୂତାଣୁକୁ ଆମ ଜୀବନକାଳ ଭିତରେ ଆସିଥିବା ଶେଷ ଭୂତାଣୁ ବୋଲି ଭାବିବା ଉଚିତ ନୁହେଁ। ପରବର୍ତ୍ତୀ ଭୂତାଣୁ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। କୋଭିଡ୍‌କୁ ମୁକାବିଲା କରିବାକୁ ଯାଇ ଆମେ ଯେଉଁ ଜ୍ଞାନ ଓ ଅନୁଭୂତି ଅର୍ଜନ କରିଛୁ, ତାହାକୁ ଆମେ ହରାଇବା ଉଚିତ ନୁହେଁ। କୋଭିଡ୍‌-୧୯ ବିରୋଧରେ ଆମର ଲଢ଼େଇରେ ଅଭାବ ରହିଛି। ଧନୀ ଦେଶଗୁଡ଼ିକ ବୁଷ୍ଟର ନେଉଥିବା ବେଳେ ଅନେକ ଗରିବ ଦେଶ ଟିକା ପାଉନାହାନ୍ତି।

ସାର୍ସ-କୋଭ୍-୨ ଜନିତ ମହାମାରୀର ପରିଚାଳନା ଉପରେ ସମୀକ୍ଷା କରୁଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏପରି ରୋଗର ମୁକାବିଲା ପାଇଁ ଏକ ସ୍ଥାୟୀ ପାଣ୍ଠିର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି। ଓମିକ୍ରନ୍ ବିଷୟରେ ଗିଲ୍‌ବର୍ଟ କହିଛନ୍ତି ଯେ ଏହା ଅଧିକ ସଂକ୍ରାମକ। କିନ୍ତୁ ଯେପର୍ଯ୍ୟନ୍ତ ଆମେ ଏହାର କରାମତି ବିଷୟରେ ସବୁକିଛି ଜାଣିନେ ସେ ପର୍ଯ୍ୟନ୍ତ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe