ମାନ୍‌ଙ୍କ ଚରମବାଣୀ ପରେ ଅଫିସର ଆନ୍ଦୋଳନରୁ ଓହରିଲେ

ସାଥୀ ଅଫିସରଙ୍କ ଗିରଫ ପ୍ରତିବାଦରେ ଗଣଛୁଟିରେ ଯାଇଥିଲେ

ମାନ୍‌ଙ୍କ ଚରମବାଣୀ ପରେ ଅଫିସର ଆନ୍ଦୋଳନରୁ ଓହରିଲେ

ଚଣ୍ଡୀଗଡ଼ : ସାଥୀ ଅଫିସରଙ୍କୁ ବେଆଇନଭାବେ ଗିରଫ କରାଯାଇଥିବାରୁ ଏହାର ପ୍ରତିବାଦରେ ଗଣଛୁଟିରେ ଯାଇଥିବା ପଞ୍ଜାବ ପ୍ରଶାସନିକ ସେବା (ପିସିଏସ୍‌) ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଆଜି (ବୁଧବାର) ଦିନ ୨ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବା ପାଇଁ ଚରମବାଣୀ ଶୁଣାଇଥିଲେ। ଏହାପରେ ପିସିଏସ୍‌ ଅଫିସରଙ୍କ ସଂଘ ତରଫରୁ ଏକ ଛଅ-ଜଣିଆ ପ୍ରତିନିଧି ଦଳ ମାନ୍‌ଙ୍କ ସହ କଥାବାର୍ତ୍ତା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବା ନେଇ ଘୋଷଣା କରିଛନ୍ତି।

ଏକ ଟ୍ବିଟ୍‌ରେ ମାନ୍ କହିଥିଲେ- ‌କିଛି ଅଫିସର ପ୍ରତିବାଦ ନାଁରେ ‌କାର୍ଯ୍ୟରେ ଯୋଗ ଦେଉ ନ ଥିବା ମୋ ନଜରକୁ ଆସିଛି। ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଗିରଫଦାରିକୁ ସେମାନେ ବିରୋଧ କରୁଛନ୍ତି। ମୁଁ ସମସ୍ତଙ୍କୁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଏ ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଅବଲମ୍ବନ କରୁଛନ୍ତି। ଏ ଆନ୍ଦୋଳନ ଦ୍ବାରା ଦୁର୍ନୀତି ସପକ୍ଷରେ ସରକାରଙ୍କୁ ବ୍ଲାକ୍‌ମେଲ କରାଯାଉଛି। କୌଣସି ଦାୟିତ୍ବସମ୍ପନ୍ନ ସରକାର ଏହାକୁ ସହ୍ୟ କରିବେ ନାହିଁ। ତେଣୁ ଏହି ଆନ୍ଦୋଳନକୁ ବେଆଇନ ଘୋଷଣା କରାଯାଉଛି। ଯେଉଁମାନେ ଆଜି ଦିନ ୨ଟା ସୁଦ୍ଧା କାର୍ଯ୍ୟରେ ଯୋଗ ନ ଦେବେ ସେ ସମସ୍ତଙ୍କୁ ନିଲମ୍ବନ କରାଯିବ। ସେମାନେ ଅନୁପସ୍ଥିତ ରହିଥିବା ଦିନଗୁଡ଼ିକ ପାଇଁ କୌଣସି ବେତନ ଦିଆଯିବ ନାହିଁ।

ସୂଚନାଯୋଗ୍ୟ, ଲୁଧିଆନାର ପିସିଏସ୍ ଅଫିସର ନରିନ୍ଦର ସିଂହ ଧଲିୱାଲଙ୍କୁ ଗିରଫ କରାଯିବା ବିରୋଧରେ ରାଜ୍ୟ ପ୍ରଶାସନିକ ଅଧିକାରୀମାନେ ଏକ ପାଞ୍ଚଦିନିଆ ଗଣଛୁଟି ନେଇଥିଲେ। ଲୁଧିଆନା ଆଞ୍ଚଳିକ ପରିବହନ ଅଧିକାରୀ ଧଲିୱାଲଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଥିଲା। କିନ୍ତୁ ତାଙ୍କୁ ବିହିତ ପଦ୍ଧତି ବିନା ବେଆଇନ ଭାବେ ଗିରଫ କରାଯାଇଛି ବୋଲି ଅଭିଯୋଗ କରି ପିସିଏସ୍ ଅଧିକାରୀମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ମାନ୍‌ଙ୍କ ଚରମବାଣୀ ପରେ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମାନ୍ କାହା ପ୍ରତି ଅନ୍ୟାୟ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ସଂଗେସଂଗେ କାର୍ଯ୍ୟରେ ଯୋଗ ଦେଇଥିଲେ। ନରିନ୍ଦର ଧଲିୱାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିହିତ ପଦ୍ଧତି (ପ୍ରୋସିଡିଓର) ଅନୁଯାୟୀ ହେଉଛି କି ନାହିଁ ତାହା ଦେଖିବା ପାଇଁ ଏକ ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ସଂଘ ସଭାପତି ରଜତ ଓବେରୟଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe