ଟିକା ଉପରେ ଆଖି: ଅକ୍ଟୋବର କିମ୍ବା ନଭେମ୍ବରରେ ଆସିବ ଅକ୍ସଫୋର୍ଡ଼ ଟିକା

Advertisment

ରାଜ୍ୟରେ ଉପଲବ୍ଧ କରାଇବାକୁ ସେରମ୍‌ କମ୍ପାନିକୁ ଅନୁରୋଧ

ରାଜ୍ୟରେ ଉପଲବ୍ଧ କରାଇବାକୁ ସେରମ୍‌ କମ୍ପାନିକୁ ଅନୁରୋଧ

ଟିକା ଉପରେ ଆଖି: ଅକ୍ଟୋବର କିମ୍ବା ନଭେମ୍ବରରେ ଆସିବ ଅକ୍ସଫୋର୍ଡ଼ ଟିକା

India Today

ଭୁବନେଶ୍ବର:  ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧ଲକ୍ଷ ପାର୍‌ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ୨୯ ହଜାର ୬୮୫ଜଣ ଚିକିତ୍ସାଧୀନ ଥିବା ବେଳେ ୪୮୨ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ମହାମାରୀବିତ୍‌ଙ୍କ ଯାହା ଆକଳନ, ନିକଟ ଭବିଷ୍ୟତରେ ରାଜ୍ୟରେ କରୋନାର ପ୍ରକୋପ କମିବାର କୌଣସି ଆଶା ଦେଖାଯାଉନାହିଁ। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ। ଏପରି ସ୍ଥିତି‌ରେ ସମସ୍ତଙ୍କର ନଜର କରୋନା ଟିକା ଉପରେ। ଟିକା ଆସିଲେ ହିଁ କରୋନାକୁ ଶୀଘ୍ର ନିୟନ୍ତ୍ରଣ କରିହେବ। ରୁଷ ଭଳି ଦେଶ କରୋନା ଟିକାର ଉଦ୍ଭାବନ କରିଥିବା ଦାବି କରୁଛି। ତାହା ସତ ହୋଇଥିଲେ ବି ଭାରତକୁ ଆସିବାରେ ବହୁ ବିଳମ୍ବ ହେବ ବୋଲି କୁହାଯାଉଛି। ତେଣୁ ଟିକା ଗବେଷଣାରେ ନିୟୋଜିତ କୌଣସି ଭାରତୀୟ ଫାର୍ମା କମ୍ପାନି ଟିକା ଉଦ୍ଭାବନ କଲେ ହିଁ ଦେଶ ଏହି ମହାମାରୀ କବଳରୁ ଶୀଘ୍ର ମୁକୁଳି ପାରିବ। ପୁଣେରେ ଥିବା ଏସିଆର ସବୁଠୁ ବଡ଼ ଟିକା ଉତ୍ପାଦନକାରୀ ଫାର୍ମା କମ୍ପାନି ‘ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ଟିକା ନିର୍ମାଣରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏହି ସଂସ୍ଥା ଟିକା ଉତ୍ପାଦନ ଆରମ୍ଭ କଲେ ଯେପରି ଏହା ଓଡ଼ିଶାକୁ ଶୀଘ୍ର ଆସିପାରିବ, ସେ ନେଇ ମୁଖ୍ୟମନ୍ତ୍ରୀ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଛନ୍ତି। କିନ୍ତୁ ଟିକା ନ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କର ମନରେ ଏକ ଅନିଶ୍ଚିତତା ଲାଗି ରହିଛି। ଏହାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା...

publive-image

ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଇଂଲଣ୍ଡର ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ ଦ୍ବାରା ଗବେଷଣା ଲବ୍ଧ କୋଭିଡ୍‌ ଟିକା ବଜାରକୁ ଆସିବ। ଏ ନେଇ ଗତମାସ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବବିଦ୍ୟାଳୟ ସହ ଏହାର ଗବେଷଣାରେ ଅନୁବନ୍ଧିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଅଦର୍‌ ପୁନାଓ୍ବାଲାଙ୍କ ସହ କଥା ହୋଇସାରିଛନ୍ତି। ବ୍ୟାବସାୟିକ ଉତ୍ପାଦନ ପରେ ଓଡ଼ିଶାକୁ ଅଗ୍ରାଧିକାର ଭିତ୍ତିରେ ଟିକା ଯୋଗାଇ ଦିଆଯିବ ବୋଲି ଶ୍ରୀ ପୁନାଓ୍ବାଲା ପ୍ରତିଶ୍ରୁତି ଦେଇଥିଲେ। ପରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ରାଜ୍ୟର ଆବଶ୍ୟକତା ଅନୁଯାୟୀ ଟିକା ଯୋଗାଇବାକୁ ସେରମ୍‌ କମ୍ପାନିଙ୍କୁ ଚିଠି ଲେଖିସାରିଛନ୍ତି। ଯେଉଁ ଦରରେ ଟିକା ଭାରତ ସରକାରଙ୍କୁ କମ୍ପାନି ଯୋଗାଇବ ସେହି ଦରରେ ରାଜ୍ୟକୁ ଯୋଗାଇବାକୁ ଅନୁରୋଧ କରାଯାଇଛି। ଟିକା ମିଳିବା ପରେ ପୁଣି ଥରେ ରାଜ୍ୟରେ ମାନବ ପରୀକ୍ଷଣ କରାଯିବ। ଏହା ପରେ ଟିକାର ଆବଣ୍ଟନ ପାଇଁ ସରକାର ପଦକ୍ଷେପ ନେବେ ବୋଲି ସ୍ଥିର କରାଯାଇଛି।

ଗତମାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ସେରମ୍‌ କମ୍ପାନୀ ମୁଖ୍ୟ ଶ୍ରୀ ପୁନାଓ୍ବାଲା କହିଥିଲେ, ଅକ୍ସଫୋର୍ଡ଼ ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ଭାରତରେ ସଫଳ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଚଳିତ ମାସରେ କରିବାର ଥିଲା। ପ୍ରଥମେ ମାସକୁ ୫୦ ଲକ୍ଷ ଟିକା ଉତ୍ପାଦନ କରାଯିବ। ସେଥିରୁ ଦେଶ ଭିତରେ ୫୦% ଆବଣ୍ଟନ ହେବ ଓ ବାକି ବିଦେଶକୁ ରପ୍ତାନି କରାଯିବ। ଆସନ୍ତା ୬ ମାସ ଭିତରେ ଏହାର ଉତ୍ପାଦନକୁ ଦୁଇ ଗୁଣ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି। ଏହାଭିତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ କମ୍ପାନି ସହ ନିୟମିତ ରାଜ୍ୟ ସରକାର ସମ୍ପର୍କରେ ଅଛନ୍ତି। ସେରମ୍‌ କମ୍ପାନି ପକ୍ଷରୁ ପ୍ରାଥମିକ ଉତ୍ପାଦନ ଆରମ୍ଭ ହେବା ପରେ ରାଜ୍ୟକୁ କିପରି ଆଗୁଆ ମିଳିବ ସେଥିପାଇଁ ଅହରହ ଉଦ୍ୟମ ଚାଲିଥିବା ସରକାରୀ ମହଲରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe