Newsdir3
କାବୁଲ: ଯୁଦ୍ଧଗ୍ରସ୍ତ ଆଫ୍ଗାନିସ୍ତାନରେ ତାଲିବାନ ଦିନକୁ ଦିନ ନୂଆ ଅଂଚଳ ଦଖଲ କରିଚାଲିଥିବା ବେଳେ କାବୁଲକୁ ବାଦ ଦେଇ ପ୍ରାୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଂଚଳରେ ପ୍ରଭାବ ବିସ୍ତାର କରିସାରିଲାଣି। ଏଭଳି ସ୍ଥିତିରେ ପାକିସ୍ତାନ ତା’ର ରଣନୀତି ବଦଳାଇ ତାଲିବାନକୁ ସିଧାସଳଖ ସମର୍ଥନ ଦେବାକୁ ଓହ୍ଲାଇ ଆସିଛି। ପାକିସ୍ତାନ ସେନା ଆଜି ସୀମା ଅତିକ୍ରମ କରି ଆଫଗାନିସ୍ତାନରେ ପଦାର୍ପଣ କରିବା ସହ ତାଲିବାନ ସହିତ ହାତ ମିଳାଇଛି। ଆଗକୁ ତାଲିବାନ ସହ ଲଢ଼େଇରେ ପାକିସ୍ତାନ ସେନା ସାମିଲ ହେଲେ ଅତି ଜଟିଳ ସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ପାକିସ୍ତାନର ଏହି ରଣନୀତି ଭାରତ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି।
ଚୀନ୍ ଏବଂ ତୁର୍କୀ ମଧ୍ୟ ତାଲିବାନକୁ ପରୋକ୍ଷ ସମର୍ଥନ ଦେଉଥିବାରୁ ଆମରିକାର ଚିନ୍ତା ବଢ଼ିଛି। ଆଫ୍ଗାନିସ୍ତାନ ସଂପୂର୍ଣ୍ଣ ଭାବେ ତାଲିବାନ ଦଖଲକୁ ଚାଲିଗଲେ ପାକିସ୍ତାନ ଓ ଚୀନ୍ ତାଲିବାନକୁ ନିଜ ନିୟନ୍ତ୍ରଣରେ ରଖି ଆଫଗା୍ନିସ୍ତାନର ପ୍ରଚୁର ଖଣିଜ ସଂପଦ ଅକ୍ତିଆର କରିବା ଆରମ୍ଭ କରିଦେବେ ବୋଲି ଏସିଆର ଅନେକ ବରିଷ୍ଠ କୂଟନୀତିଜ୍ଞ ମତ ରଖିଛନ୍ତି। ଆମେରିକା ଆଫ୍ଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବା ମାତ୍ରେ ଏତେ ଶୀଘ୍ର ସ୍ଥିତି ବଦଳିଯିବ ବୋଲି କେହି ଆଶା କରିନଥିଲେ ଏବଂ ବର୍ତ୍ତମାନର ସଙ୍କଟ ସମଗ୍ର ଦକ୍ଷିଣ ଓ କେନ୍ଦ୍ର ଏସିଆକୁ ଅସ୍ଥିରତା ଭତରକୁ ଟାଣିନେବ ବୋଲି ଜଣାପଡ଼ିଛି। ଆଫଗାନ ସେନା ବିଭିନ୍ନ ଅଂଚଳରେ ତାଲିବାନ ସହ ଘମାଘୋଟ ଲଢ଼େଇ ଜାରି ରଖିଛି ଏବଂ ଲଗାତାର ବିମାନ ଆକ୍ରମଣ କରାଯାଉଛି। ଦୁଇ ଦିନ ଭିତରେ ତାଲିବାନର ୮୧ ଆତଙ୍କବାଦୀ ବିମାନ ଆକ୍ରମଣରେ ନିପାତ ହୋଇଥିବା ଜଣାପଡ଼ିଛି। ସର୍ବାଧିକ ତାଲିବାନ ବିଦ୍ରୋହୀ ବଲ୍ଖ ପ୍ରଦେଶରେ ନିପାତ ହୋଇଥିବା ବେଳେ ସେଠାରେ ବିମାନ ଆକ୍ରମଣ ଜାରି ରହିବ ବୋଲି କୁହାଯାଇଛି। ତାଲିବାନ ଓ ଆଫଗାନ୍ ସେନା ମଧ୍ୟରେ ଚାଲିଥିବା ସଂଘର୍ଷ ପାଇଁ ହଜାର ହଜାର ନାଗରିକ ସୁରକ୍ଷା ଦୃଷ୍ଟିରୁ କନ୍ଧାର ଛାଡ଼ିଥିବା ଜଣାପଡ଼ିଛି।
ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ସମସ୍ତ ସହାୟତା ଦେବାପାଇଁ ପ୍ରତିଶ୍ରୁତି ଦେଇଛି। ସାମରିକ, କୂଟନୈତିକ ଏବଂ ମାନବୀୟ ସହାୟତା ଯୋଗାଇଦେବାକୁ ବାଇଡେନ ଅଶ୍ବାସନା ଦେଇଛନ୍ତି। ଶରଣାର୍ଥୀ ସଙ୍କଟର ସମାଧାନ ପାଇଁ ତୁରନ୍ତ ୧୦ କୋଟି ଡଲାର ସହାୟତା ଉପଲବ୍ଧ ହେବ ବୋଲି ବାଇଡେନ କହିଛନ୍ତି।
Follow Us