Northeast Now
ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନ ନେଇ ଦଳୀୟ କନ୍ଦଳ ତେଜିବାରେ ଲାଗିଛି । ମାତ୍ର ଦିନକ ପରେ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ହେବ। ଏହା ପୂର୍ବରୁ ଦଳର ବରିଷ୍ଠ ନେତାମାନେ ପରସ୍ପରକୁ କଟାକ୍ଷ କରିବାରେ ଲାଗିଛନ୍ତି। କଂଗ୍ରେସ ନେତା ଶଶି ଥରୁର୍ ସଭାପତି ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ କଂଗ୍ରେସ ନେତା ଗୌରବ ବଲ୍ଲଭ କହିଛନ୍ତି, ଦଳ ପ୍ରତି ଥରୁର୍ଙ୍କ ଏକମାତ୍ର ବଡ଼ ଅବଦାନ ହେଉଛି ସୋନିଆ ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଥିବାବେଳେ ସେ ତାଙ୍କ ପାଖକୁ ଚିଠି ପଠାଇଥିଲେ। ଥରୁରଙ୍କ ସମେତ ଜି-୨୩ ନେତାମାନେ ୨୦୨୦ରେ ସୋନିଆଙ୍କୁ ପଠାଇଥିବା ଚିଠି ସଂକ୍ରାନ୍ତରେ ବଲ୍ଲଭ ଏହି ଟିପ୍ପଣୀ ଦେଇଥିଲେ। ଅନ୍ୟପକ୍ଷେ ବଲ୍ଲଭ ସଭାପତି ନିର୍ବାଚନ ପାଇଁ ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରିଛନ୍ତି।
ତେବେ ଦଳ ପକ୍ଷରୁ ଆଜି ଏନେଇ ଏକ କଡ଼ା ବାର୍ତ୍ତା ଦିଆଯାଇଛି। ଏଆଇସିସି ସାଧାରଣ ସଚିବ ଜୟରାମ ରମେଶ ଆଜି ସମସ୍ତ ମୁଖପାତ୍ର ଏବଂ କମ୍ୟୁନିକେସନ୍ ବିଭାଗର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏନେଇ ସତର୍କ କରାଇ ଦେଇଛନ୍ତି। ରମେଶ କହିଛନ୍ତି, ଦଳର କୌଣସି ମୁଖପାତ୍ର ଏବଂ କାର୍ଯ୍ୟକର୍ତ୍ତା କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ୁଥିବା ଆମର ଯେ କୌଣସି ସହକର୍ମୀଙ୍କ ବିରୋଧରେ କିଛି ଟିପ୍ପଣୀ ଦେଇପାରିବେ ନାହିଁ। ନିର୍ବାଚନ କିଭଳି ମୁକ୍ତ ଏବଂ ଅବାଧ ହୋଇପାରିବ ମୁଖପାତ୍ରମାନେ ସେ ଦିଗରେ ଗୁରୁତ୍ବ ଦେବା ଉଚିତ ବୋଲି ରମେଶ କହିଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ ନେତା ଦିଗ୍ବିଜୟ ସିଂହ, ମଲ୍ଲିକାର୍ଜୁନ ଖଡ଼ଗେ, ମନିଷ ତିୱାରୀ ପ୍ରମୁଖ ସଭାପତି ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିବାରୁ ଏହାକୁ ନେଇ କଂଗ୍ରେସ ରାଜନୀତି ସରଗରମ ରହିଛି।
Follow Us