ପଜିଟିଭ୍‌ ହାର ୨୦% ଟପିଲା: ପ୍ରତି ୫ ଜଣରେ ଜଣେ ସଂକ୍ରମିତ, ଫେବ୍ରୁଆରି ୧୫ରୁ ଭାରତରେ ସଂକ୍ରମଣ କମିବ

Advertisment
ପଜିଟିଭ୍‌ ହାର ୨୦% ଟପିଲା: ପ୍ରତି ୫ ଜଣରେ ଜଣେ ସଂକ୍ରମିତ, ଫେବ୍ରୁଆରି ୧୫ରୁ ଭାରତରେ ସଂକ୍ରମଣ କମିବ

ନୂଆଦିଲ୍ଲୀ: ଦେଶରେ ପଜିଟିଭ୍‌ ହାର ୨୦ ପ୍ରତିଶତ ଟପିଯାଇଛି। ଏହାର ଅର୍ଥ ଦେଶରେ ଏବେ ପ୍ରତି ୫ ଜଣରେ ଜଣେ କରୋନା ସଂକ୍ରମିତ ହେଉଛନ୍ତି। ଦ୍ବିତୀୟ ଲହରରେ ତଥା ଗତବର୍ଷ ମେ’ ମଧ୍ୟଭାଗ ପରେ ଏହା ସର୍ବାଧିକ ପଜିଟିଭ୍‌ ହାର। ୨୦୦ରୁ ଅଧିକ ଜିଲ୍ଲାରେ କୋଭିଡ ପଜିଟିଭ୍‌ ହାର ଜାତୀୟ ହାର ଠାରୁ ଅଧିକ ରହିଛି। ତିରୁଅନନ୍ତପୁରମ୍‌, ଫରିଦାବାଦ ଏବଂ ଉତ୍ତର ଗୋଆ ଜିଲ୍ଲା ଏହି ତାଲିକାର ଶୀର୍ଷରେ ଅଛନ୍ତି। ତିରୁଅନନ୍ତପୁରମ୍‌ରେ ପଜିଟିଭ୍‌ ହାର ୪୯ ପ୍ରତିଶତ ଥିବାବେଳେ ଫରିଦାବାଦରେ ୪୬ ପ୍ରତିଶତ ଏବଂ ଉତ୍ତର ଗୋଆରେ ମଧ୍ୟ ପଜିଟିଭ୍‌ ହାର ୪୬ ପ୍ରତିଶତ ଅଛି। ଅର୍ଥାତ ଏଠାରେ ପ୍ରତି ୨ ଜଣରେ ଜଣେ କରୋନା ସଂକ୍ରମିତ । ରୋହତକ, ପୁଣେ ଏବଂ ମୋହାଲି‌‌ରେ ପଜିଟିଭ୍‌ ହାର ୪୦ ପ୍ରତିଶତରୁ ଅଧିକ ରହିଛି। ଦକ୍ଷିଣ ଗୋଆରେ ପଜିଟିଭ୍‌ ହାର ୩୯ ପ୍ରତିଶତ।

ଦେଶରେ ଆଜି ୩,୦୬,୦୬୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୯୫,୪୩,୩୨୮କୁ ଓ ସକ୍ରିୟ ମାମଲା ୨୨,୪୯,୩୩୫କୁ ବୃଦ୍ଧି ପାଇଛି। ୨୪୧ ଦିନରେ ଦେଶର ସକ୍ରିୟ ମାମଲା ସର୍ବାଧିକ। ଗତ ୨୪ ଘଣ୍ଟାରେ ୨୩୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ‌ମୋଟ୍‌ ମୃତ୍ୟୁସଂଖ୍ୟା ୪, ୮୯,୮୪୮କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୫.୬୯ ପ୍ରତିଶତ। ଜାତୀୟ ଆରୋଗ୍ୟ ହାର ୯୩.୦୭ ପ୍ରତିଶତକୁ ଖସି ଆସିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୨୦.୭୫ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୧୭.୦୩ ପ୍ରତିଶତ ରହିଛି। କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୩,୬୮,୦୪,୧୪୫କୁ ବୃଦ୍ଧି ପାଇଛି। ଦେଶରେ ଟିକାକରଣ ୧୬୨.୨୬ କୋଟି ଟପିଯାଇଛି।

ଫେବ୍ରୁଆରି ୧୫ରୁ ଭାରତରେ ସଂକ୍ରମଣ କମିବ
ନୂଆଦିଲ୍ଲୀ: ଭାରତରେ ଦୈନିକ କୋଭିଡ୍ ସଂକ୍ରମଣ ଫେବ୍ରୁଆରି ୧୫ରୁ ହ୍ରାସ ପାଇବ ବୋଲି ସୋମବାର ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। କେତେକ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବାକୁ ଆରମ୍ଭ କଲାଣି। ଭାରତରେ ବ୍ୟାପକ ଟିକାକରଣ ଯୋଗୁ କୋଭିଡ୍-୧୯ର ତୃତୀୟ ଲହର ବିଶେଷ ପ୍ରଭାବ ପକାଇପାରି ନାହିଁ। ପ୍ରଥମ ଓ ଦ୍ବିତୀୟ ଲହର ତୁଳନାରେ ଏହାର ପ୍ରଭାବ ଯଥେଷ୍ଟ କମ୍ ରହିଛି। ଅଦ୍ୟାବଧି ୭୪ ପ୍ରତିଶତ ବୟସ୍କ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ଦେଶରେ ୩,୦୬,୦୬୪ଟି ନୂଆ କୋଭିଡ୍ ମାମଲା ପଞ୍ଜୀକୃତ ହେବା ଓ ପଜିଟିଭିଟି ହାର ୨୦ ପ୍ରତିଶତ ଉପରେ ଥିବା ବେଳେ ସୋମବାର ଦୈନିକ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe