ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

Image Source: Hindustan Times

ଭୁବନେଶ୍ବର: ଅମ୍ଫାନ କ୍ଷତି ଅନୁଧ୍ୟାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ସୂଚନା ମିଳିଛି। ମୋଦୀ ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ବୁଲି ଦେଖିବେ। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଅପରାହ୍ନ ୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ପ୍ରମୁଖଙ୍କ ସହିତ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ। ପରେ ବିମାନ ବନ୍ଦରରେ ବାତ୍ୟା କ୍ଷୟକ୍ଷତି ସଂପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳୁଛି। ଏଥିପାଇଁ ଆଜି ବିମାନବନ୍ଦରର ପ୍ରସ୍ତାବିତ ବୈଠକସ୍ଥଳୀକୁ ବିଶୋଧନ କରାଯାଇଥିବା ଖବର ମିଳିଛି। ଉଭୟ ଗୁଇନ୍ଦା ନିର୍ଦେଶକ ସତ୍ୟଜିତ ମହାନ୍ତି ଓ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ବୈଠକ ପରେ ନୂଆଦିଲ୍ଲୀ ଫେରିଯିବେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟାରେ କୋଲକାତାରେ ପହଞ୍ଚି କ୍ଷତିଗ୍ରସ୍ତ ଅ଼ଞ୍ଚଳ ବୁଲି ଦେଖିବା ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଓଡ଼ିଶା ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ଘୂର୍ଣ୍ଣିବାତ୍ୟା ଅମ୍ଫାନ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ଯଥାଶୀଘ୍ର ସୁଧୁରିବା ନେଇ ଆଶାବ୍ୟକ୍ତ କରିଥିଲେ। ଏକ ଟ୍ବିଟ୍‌ରେ ପ୍ରଧାନମନ୍ତ୍ରୀ କହିଥିଲେ, “ସାହସର ସହିତ ଅମ୍ଫାନର ମୁକାବିଲା କରିଥିବା ଓଡ଼ିଶାବାସୀଙ୍କ ସହିତ ମୋର ଭାବନା ରହିଛି। ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ସହାୟତା ଲାଗି ଅଧିକାରୀମାନେ ଚେଷ୍ଟା ଜାରି ରଖିଛନ୍ତି। ବାତ୍ୟା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଯଥାଶୀଘ୍ର ସୁଧାର ଆସିବା ନେଇ ମୁଁ ପ୍ରାର୍ଥନା କରୁଛି ” ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ୍‌ ଦଳ କାର୍ଯ୍ୟ ଚାଲୁ ରଖିଛନ୍ତି। ବରିଷ୍ଠ ଅଧିକାରୀମାନେ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହ ପୂର୍ଣ୍ଣ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରୁଛନ୍ତି।

ପ୍ରଭାବିତଙ୍କୁ ସାହାଯ୍ୟ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ଆଶା ଦେଖାଇଥିଲେ। ଏହି ସଙ୍କଟ ସମୟରେ ଓଡ଼ିଶା ଓ ପଶ୍ଚିମବଙ୍ଗବାସୀଙ୍କ ସହ ସାରା ଦେଶ ଛିଡା ହୋଇଛି। ଉଭୟ ରାଜ୍ୟରେ ସାଧାରଣ ଅବସ୍ଥା ଫେରାଇ ଆଣିବା ଲାଗି ସମସ୍ତ ପ୍ରକାର ପ୍ରୟାସ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ କଳ୍ପନାଜଳ୍ପନା ଆରମ୍ଭ େହାଇଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଭୁବନେଶ୍ବର ବିମାନ ବନ୍ଦରରୁ କିଛି ପ୍ୟାକେଜ୍ ଘୋଷଣା କରିପାରନ୍ତି। ସଂପ୍ରତି ଉଭୟ ରାଜ୍ୟ କରୋନା ସହିତ ମୁକାବିଲା କରୁଥିବା ବେଳେ ଏହି ବିପର୍ଯ୍ୟୟ କଷ୍ଟ ଦ୍ବିଗୁଣିତ କରିଥିବା ପରିପ୍ରେକ୍ଷୀରେ ଏଭଳି ଚର୍ଚ୍ଚା ଜୋର ଧରିଛି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ କାରଣରୁ ଯେଭଳି ଧନଜୀବନ ହାନି ହେଲା ସେ ନେଇ ଗଭୀର ଦୁଃଖ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଏଭଳି ସଙ୍କଟ ସମୟରେ ଓଡ଼ିଶାର ଲୋକମାନେ ପଶ୍ଚିମବଙ୍ଗବାସୀଙ୍କ ସହିତ ରହିଛନ୍ତି। କେବଳ ସେତିକି ନୁହେଁ, ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ନବୀନ ଓଡ଼ିଶାର ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ନିର୍ଦେଶ ଦେଇଥିଲେ ଓ ଯଥାରୀତି ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନବୀନ ପଶ୍ଚିମବଙ୍ଗ ପ୍ରତି ଯେଭଳି ସହାୟତାର ହାତ ବଢାଇଛନ୍ତି, ତାହା ମଧ୍ୟ ରାଜନୈତିକ ମହଲକୁ ଆଲୋଚନା ପାଇଁ ଅନେକ େଖାରାକ ଯୋଗାଇଛି। ଗୋଟିଏ ମହଲ ନବୀନଙ୍କ ମାନବିକତାକୁ ପ୍ରଶଂସା କରିଛନ୍ତି ଓ ଅନ୍ୟ ଗୋଟିଏ ମହଲେ କେନ୍ଦ୍ର-ପଶ୍ଚିମବଙ୍ଗ ସଂପର୍କ ପରିପ୍ରେକ୍ଷୀରେ ନବୀନଙ୍କ ମନ୍ତବ୍ୟକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe