Zee News
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ୯୦ତମ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଉଦ୍ବୋଧନ ଦେଇଛନ୍ତି। ୧୯୭୫ ଜରୁରୀ ପରିସ୍ଥିତି ପ୍ରସଙ୍ଗରୁ ସେ ତାଙ୍କ ଉଦ୍ବୋଧନ ଆରମ୍ଭ କରିବା ସହ ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରା, ମହାକାଶ କ୍ଷେତ୍ରରେ ଭାରତର ବିକାଶ ଓ କ୍ରୀଡ଼ା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ମୋଦୀ ଭାରତର ତୀର୍ଥଯାତ୍ର ଓ ଦେବଯାତ୍ରା ବିଷୟରେ କହିଥିଲେ। ସେ କହିଥିଲେ ଆଉ କିଛିଦିନ ପରେ ଜୁଲାଇ ପହିଲାରେ ପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି। ପ୍ରଭୁ ଜଗନ୍ନାଥ ନିଜର ଏହି ଯାତ୍ରା ଜରିଆରେ ଆମକୁ ଅନେକ ଗଭୀର ମାନବୀୟ ସନ୍ଦେଶ ମଧ୍ୟ ଦିଅନ୍ତି। ଜଗନ୍ନାଥ ଜଗତର ନାଥ, ତାଙ୍କ ଯାତ୍ରାରେ ଗରିବ, ବଂଚିତଙ୍କ ବିଶେଷ ଅଂଶଗ୍ରହଣ ହୋଇଥାଏ। ଭଗବାନ ମଧ୍ୟ ସମାଜର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ସହ ଚାଲିଥାନ୍ତି ବୋଲି ସେ କହିଥିଲେ।
ମୋଦୀ କହିଥିଲେ ଯେ ଏହି ଜୁନ୍ ମାସରେ ଦେଶ ଉପରେ ଜରୁରୀ ପରିସ୍ଥିତି ଲଦି ଦିଆଯାଇଥିଲା ଏବଂ ଲୋକଙ୍କଠାରୁ ସେମାନଙ୍କ ନାଗରିକ ଅଧିକାର ଛିନ୍ନ କରାଯାଇଥିଲା। ଲୋକଙ୍କଠାରୁ ବଞ୍ଚିବାର ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତା ଅଧିକାର କାଢ଼ି ନିଆଯାଇଥିଲା। ଭାରତରେ ଗଣତନ୍ତ୍ରକୁ ହତ୍ୟା କରିବାର ଉଦ୍ୟମ କରାଯାଇଥିଲା। ସରକାରଙ୍କ ଗୁଣଗାନ କରିବାକୁ ମନା କରିଦେବାରୁ ଲୋକପ୍ରିୟ ଗାୟକ କିଶୋର କୁମାରଙ୍କ ଉପରେ ନିଷେଧାଜ୍ଞା ଜାରି କରାଯାଇଥିଲା। ଜରୁରୀ ପରିସ୍ଥିତି ହଟାଯିବା ପରେ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଥିଲା। ଏହାଦ୍ବାରା ଆମର ଗଣତାନ୍ତ୍ରିକ ମାନସିକତାର ବିଜୟ ଘଟିଲା ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍ କୀ ବାତ୍’ରେ କହିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର କ୍ରୀଡ଼ା ବ୍ୟକ୍ତିତ୍ବମାନଙ୍କର ପ୍ରଶଂସା କରିଥିଲେ। ଜାଭେଲିନ ଥ୍ରୋ’ରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଲାଭ କରିବା ନେଇ ମୋଦୀ କହିଥିଲେ ଯେ ନୀରଜ ଫିନଲାଣ୍ଡରେ ନିଜର ହିଁ ରେକର୍ଡ ଭାଙ୍ଗିଥିଲେ।
Follow Us