ଭାରତରେ ଟିକାକରଣ ସଫଳତା ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ: ଭିଆଇପି ସଂସ୍କୃତିକୁ ପୂରାଇ ଦିଆଯାଇନି

Advertisment

୧୦୦ କୋଟି କେବଳ ପରିସଂଖ୍ୟାନ ନୁହେଁ, ‘ନୂଆ ଭାରତ’ର ପ୍ରତିଛବି

୧୦୦ କୋଟି କେବଳ ପରିସଂଖ୍ୟାନ ନୁହେଁ, ‘ନୂଆ ଭାରତ’ର ପ୍ରତିଛବି

ଭାରତରେ ଟିକାକରଣ ସଫଳତା ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ: ଭିଆଇପି ସଂସ୍କୃତିକୁ ପୂରାଇ ଦିଆଯାଇନି

ନୂଆଦିଲ୍ଲୀ: ଭାରତରେ ଟିକାକରଣ ୧୦୦ କୋଟି ମାଇଲଖୁଣ୍ଟ ଟପିଛି। ଭାରତ ଏଭଳି ବିରଳ ସଫଳତା ହାସଲ କରିବାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦ୍‌ବୋଧାନ ଦେବା ସହ ସମାଲୋଚକମାନଙ୍କୁ ଦୃଢ଼ ବାର୍ତ୍ତା ଦେଇଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୋଦୀ କହିଛନ୍ତି, ଦେଶରେ ଆଜି ଆସ୍ଥା ସୃଷ୍ଟି ହୋଇଛି। ସମାଜର ବିଭିନ୍ନ ବର୍ଗ ମଧ୍ୟରେ ଆସ୍ଥା ଓ ଭରସାର ବାତାବରଣ ଦେଖାଦେଇଛି। ଏସବୁ ସତ୍ତ୍ବେ ପାର୍ବଣ ଋତୁରେ କରୋନା ମହାମାରୀ ବିରୋଧରେ ଲୋକମାନେ ଅସାବଧାନ ହେବା ଉଚିତ ନୁହେଁ। ମାସ୍କ ପିନ୍ଧିବା ଭଳି ଅନ୍ୟ କୋଭିଡ୍‌ ଉପଯୁକ୍ତ ବ୍ୟବହାର ପାଳନ କରିବା ଆବଶ୍ୟକ। ଦେଶର ଟିକାକରଣ ଅଭିଯାନ ବିଜ୍ଞାନ ଜନ୍ମିତ, ବିଜ୍ଞାନ ଦ୍ବାରା ପରିଚାଳିତ ଏବଂ ବିଜ୍ଞାନ ଭିତ୍ତିକ। ଏହା ଆମ ପାଇଁ ଗର୍ବର ବିଷୟ।ଟିକାର ବିକାଶଠାରୁ ଆରମ୍ଭ କରି ଲୋକଙ୍କ ଟିକା ଦିଆଯିବା ପର୍ଯ୍ୟନ୍ତ ସବୁଥିରେ ବିଜ୍ଞାନଭିତ୍ତିକ ଆଭିମୁଖ୍ୟ ରହିଛି। ଟିକାକରଣ ଅଭିଯାନ ଭିତରକୁ ଯେଭଳି ଭିଆଇପି ସଂସ୍କୃତି ପ୍ରବେଶ ନକରିବ ତାହାକୁ ନିଶ୍ଚିତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ସମାଲୋଚନା କରିବାକୁ ମଧ୍ୟ ଭୂଲିନାହାନ୍ତି। ମହାମାରୀ ଆରମ୍ଭ ସମୟରେ ତାଳି-ଥାଳି ବଜାଇବା, ଦୀପ ଜାଳିବା ଦ୍ବାରା ଭୂତାଣୁ କିଭଳି ଦୂର ହେବ ବୋଲି ଅନେକ ପ୍ରଶ୍ନ ଉଠାଇଥିଲେ। ସେସବୁ ପଦକ୍ଷେପ ଲୋକଙ୍କ ଅଂଶଗ୍ରହଣ ଏବଂ ଏକତାର ପ୍ରତିଫଳନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିଭଳି ମହାମାରୀ ବିରୋଧରେ ଲ‌ଢ଼ିବାରେ ଭାରତର କ୍ଷମତାକୁ ନେଇ ଅନେକ ସନ୍ଦେହ ପ୍ରକାଶ କରିଥିଲେ। ନାନା ପ୍ରକାର ପ୍ରଶ୍ନ ଉଠିଥିଲା। ଏପରିକି ଲୋକମାନେ ଟିକା ପାଇବେ କି ନାହିଁ? ଭୂତାଣୁ ବ୍ୟାପିବାକୁ ରୋକିବା ପାଇଁ ବହୁସଂଖ୍ୟକ ଲୋକଙ୍କୁ ଟିକା ଦେବାରେ ଭାରତ ସମର୍ଥ ହେବ କି ନାହିଁ? ୧୦୦ କୋଟି ଡୋଜ୍ ଟିକାଦାନର ମାଇଲଖୁଣ୍ଟ ହାସଲ ଏସବୁ ପ୍ରଶ୍ନର ଉତ୍ତର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ମାଇଲଖୁଣ୍ଟ କେବଳ ଏକ ସଂଖ୍ୟା ନୁହେଁ ବରଂ ଦେଶର କ୍ଷମତା ଏବଂ ‘ନୂଆ ଭାରତ’ର ଛବିର ପ୍ରତିଫଳନ। ଦେଶ ସମ୍ମୁଖରେ କଷ୍ଟସାଧ୍ୟ ଲକ୍ଷ୍ୟ ରଖି ତାହାକୁ ହାସଲ କରାଯିବା କ୍ଷେତ୍ରରେ ଭାରତ ଏକ ନୂଆ ଅଧ୍ୟାୟ ରଚିଛି। ଉକ୍ତ ମାଇଲଖୁଣ୍ଟ ହାସଲର ଗୋଟିଏ ବିଶେଷତ୍ବ ହେଲା ଭାରତ କରୋନା ଭୂତାଣୁରୁ ସୁରକ୍ଷିତ ବୋଲି ସମଗ୍ର ବିଶ୍ବ ବିବେଚନା କରିବ।

ମହାମାରୀ ଆରମ୍ଭରେ କରୋନା ଭୂତାଣୁ ବିରୋଧରେ ଲଢ଼ିବା ଭାରତ ଭଳି ଗଣତାନ୍ତ୍ରିକ ଦେଶରେ କଷ୍ଟପ୍ରଦ ରହିବ ବୋଲି ଆଶଙ୍କା ରହିଥିଲା। ମହାମାରୀ ବିରୋଧରେ ଲଢ଼ିବା ପାଇଁ କିଭଳି ମାତ୍ରାରେ ସଂଯମ ଏବଂ ଶୃଙ୍ଖଳାର ଆବଶ୍ୟକତା ରହିଛି ସେ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ଆମ ପାଇଁ ଗଣତନ୍ତ୍ର କହିଲେ ‘ସବ୍‌କା ସାଥ୍‌’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିପାଇଁ ଦେଶରେ ‘ସବ୍‌କୋ ଭାକ୍ସିନ, ମୁଫତ୍‌ ଭାକ୍ସିନ’ ସ୍ଳୋଗାନ ଦିଆଯାଇଥିଲା। ଦେଶ ନିକଟରେ ଗୋଟିଏ ମନ୍ତ୍ର ଥିଲା, ତାହାହେଲା ଯଦି ରୋଗ ପାତରଅନ୍ତର କରୁନାହିଁ ତାହେଲେ ଟିକାକରଣରେ ମଧ୍ୟ ପାତରଅନ୍ତର ରହିବା ଉଚିତ ନୁହେଁ। ଏଥିପାଇଁ ଟିକାକରଣ ଅଭିଯାନରେ ଭିଆଇପି ସଂସ୍କୃତି ଯେଭଳି ପ୍ରବେଶ ନକରିବ ତାହାକୁ ନିଶ୍ଚିତ କରାଯାଇଥିଲା। ଜଣେ ବ୍ୟକ୍ତି ଯେତେ ବଡ଼ ପଦବିରେ ଥାଆନ୍ତୁ କିମ୍ବା ଯେତେ ଧନୀ ହୋଇଥା’ନ୍ତୁ ନା କାହିଁକି ସମସ୍ତେ ସାଧାରଣ ଲୋକଙ୍କ ଭଳି ଟିକା ପାଇଥିଲେ ବୋଲି ମୋଦୀ କହିଛନ୍ତି। ଭାରତର ଅର୍ଥନୀତିକୁ ନେଇ ଦେଶୀୟ ଏବଂ ବିଦେଶୀ ସଂସ୍ଥାଗୁଡ଼ିକ ବିଶେଷମାତ୍ରାରେ ଆଶାବାଦୀ ଅଛନ୍ତି। ଷ୍ଟାର୍ଟଅପ୍ ଉଦ୍ୟୋଗ ଗୁଡ଼ିକରେ ରେକର୍ଡ ପରିମାଣର ନିବେଶ ହେବା ସହିତ ରେକର୍ଡ ସଂଖ୍ୟକ ୟୁନିକର୍ଣ ଷ୍ଟାର୍ଟଅପ୍ ସୃଷ୍ଟି କରାଯାଇ ପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe