ଅମ୍ବାଲା: ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ହରିୟାଣାର ଶମ୍ଭୁ ସୀମାରେ ଦିଲ୍ଲୀ ଅଭିମୁଖେ ଯିବାକୁ ପୁଲିସ ପକ୍ଷରୁ ଅଟକାଯାଇଛି । ଏହାପରେ କୃଷକମାନେ ପଛକୁ ହଟିଛନ୍ତି। ତେବେ ଆସନ୍ତାକାଲି ପୁଣି ଥରେ ସୀମାକୁ ଆସି ଆନ୍ଦୋଳନ କରିବେ ବୋଲି କୃଷକମାନେ କହିଛନ୍ତି। ଏହା ପୂର୍ବରୁ ଆନ୍ଦୋଳନକାରୀ କୃଷକମାନେ ଶମ୍ଭୁ ସୀମାରେ ପୁଲିସ ଲଗାଇଥିବା କଣ୍ଟାତାର ଭାଙ୍ଗି ବ୍ୟାରିକେଡ୍ ହଟାଇ ଦେଇଥିଲେ। କୃଷକମାନେ ଦିଲ୍ଲୀ ଯିବାକୁ ଜିଦ୍ ଧରିଛନ୍ତି। ଆଗକୁ ବଢ଼ିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଚାଷୀଙ୍କୁ ହଟାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ କିନ୍ତୁ ପୁଲିସ ନିୟନ୍ତ୍ରଣରେ ରହିଛି।
ଅନ୍ୟପକ୍ଷରେ କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଶମ୍ଭୁ ସୀମା ନିକଟବର୍ତ୍ତୀ ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ହରିୟାଣା ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ କିଛି କୃଷକ ସଂଗଠନ ଦ୍ୱାରା ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଡାକରା ଦିଆଯାଇଥିବାରୁ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ହେବା ସହ ଶାନ୍ତି ଭଙ୍ଗ ହେବାର ସମ୍ଭାବନା ରହିଛି।
ସେପଟେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ସରକାରଙ୍କ ଏମଏସପି ଆଶ୍ବାସନକୁ ଦୋହରାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ । ମୁଁ ଆପଣଙ୍କ ଜରିଆରେ ଗୃହକୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଚାଷୀଙ୍କ ସମସ୍ତ ଉତ୍ପାଦ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯିବ। ଏହା ହେଉଛି ମୋଦୀ ସରକାର ଏବଂ ଏହା ମୋଦିଙ୍କ ଗ୍ୟାରେଣ୍ଟି ପୂରଣ କରିବାର ଗ୍ୟାରେଣ୍ଟି ବୋଲି ଚୌହାନ କହିଛନ୍ତି।
Follow Us