ବିଦେଶୀ ମୁଦ୍ରା ପାଇଁ ନିୟମ କୋହଳ କଲା ରିଜର୍ଭ ବ୍ୟାଙ୍କ

Advertisment
ଦରଦାମ୍ ନିୟନ୍ତ୍ରଣ: ହାତ ଟେକିଦେଲେ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଅତ୍ୟନ୍ତ ଦୁର୍ବଳ ସ୍ତରରେ ଥିବାରୁ ତାହାକୁ ସବଳ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏକ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶକୁ ଅଧିକ ବିଦେଶୀ ମୁଦ୍ରା ଆଣିବା ଲାଗି ବିଭିନ୍ନ ନିୟମକୁ କୋହଳ କରାଯାଇଛି। ସ୍ବଳ୍ପ ମିଆଦୀ କର୍ପୋରେଟ୍ ବଣ୍ଡ୍‌ରେ ନିବେଶରେ ବିଦେଶୀ ନିବେଶକମାନଙ୍କୁ ସାମିଲ କରାଯାଇଛି। ସ୍ବୟଂକ୍ରିୟ ବ୍ୟବସ୍ଥାରେ ସରକାରୀ ପ୍ରତିଭୂତି କିଣିବା ଲାଗି ମଧ୍ୟ ସେମାନଙ୍କୁ ଅନୁମତି ଦିଆଯାଇଛି। ବିଦେଶୀ ମୁଦ୍ରା ପ୍ରବାସୀ ଜମା ଓ ଏନ୍‌ଆର୍‌ଇ ଜମାକୁ ନଗଦ ଜମା ଅନୁପାତ ଓ ବୈଧାନିକ ନଗଦ ଅନୁପାତ ବଜାୟ ରଖିବାରୁ ଛାଡ଼ ପ୍ରଦାନ କରାଯାଇଛି। ସ୍ବୟଂକ୍ରିୟ ରୁଟ୍‌ରେ ବୈଦେଶିକ ବାଣିଜ୍ୟ ଋଣର ସୀମାକୁ ୭୫୦ ନିୟୁତ ଡଲାରରୁ ବଢ଼ାଇ ୧.୫ ବିଲିଅନ ଡଲାର କରାଯାଇଛି। ଡେବ୍‌ଟ ବଜାରରେ ବୈଦେଶିକ ସଂସ୍ଥାଗତ ନିବେଶକଙ୍କ ପାଇଁ ନିବେଶ ନିୟମକୁ କୋହଳ କରାଯାଇଛି।

ଚଳିତ ବର୍ଷ ଜୁଲାଇ ୫ ପରଠାରୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୪.୧% ହ୍ରାସ ପାଇଲାଣି। ଗତକାଲି ଏକ ଡଲାର ମୂଲ୍ୟ ୭୯ ଟଙ୍କାରୁ ଅଧିକ ଥିଲା। ରୁଷ୍-‌ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଯୋଗାଣ ପ୍ରଭାବିତ ହୋଇଥିବାରୁ ବିଶ୍ବର ପ୍ରାୟ ସବୁ ଦେଶରେ ଦରଦାମ୍ ସମସ୍ୟା ଦେଖାଦେଇଛି ଯାହାର ମୁକାବିଲା ଲାଗି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ବଢ଼ାଉଛନ୍ତି। ସେହିକ୍ରମରେ ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ବଢ଼ାଇବା ପରେ ବିଦେଶୀ ନିବେଶକମାନେ ଅଧିକ ରିଟର୍ଣ୍ଣ ପାଇବା ଆଶାରେ ଭାରତ ଭଳି ବିକାଶଶୀଳ ଦେଶରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ତାହାର ସିଧାସଳଖ ପ୍ରଭାବ ଗଚ୍ଛିତ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପଡ଼ିଛି। ଅନ୍ୟ ପକ୍ଷରେ ଡଲାର ମହଙ୍ଗା ହୋଇଥିବା ଆମଦାନି ଲାଗି ଅଧିକ ଗଣିବାକୁ ପଡ଼ୁଛି। ଡଲାର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରେ ଥିବା ଡଲାରକୁ ଦରକାର ସମୟରେ ବଜାରରେ କମ୍ ଦାମ୍‌ରେ ବିକ୍ରି କରୁଛି। ସେଥିପାଇଁ ବିଦେଶୀ ମୁଦ୍ରା ଭଣ୍ଡାର ସଙ୍କୁଚିତ ହେବାରେ ଲାଗିଛି। ଆଜି ନିୟମ କୋହଳ କରାଯାଇଥିବାରୁ ଆଗାମୀ ଦିନରେ ଦେଶକୁ ଅଧିକ ବିଦେଶୀ ମୁଦ୍ରା ଆସିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe