ସଂସଦରେ ବଜେଟ୍‌ ଅଧିବେଶନର ଦ୍ୱିତୀୟାର୍ଦ୍ଧ: ବିରୋଧୀ ସାଂସଦଙ୍କ ହଟ୍ଟଗୋଳ କାରଣରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ

ସଂସଦରେ ବଜେଟ୍‌ ଅଧିବେଶନର ଦ୍ୱିତୀୟାର୍ଦ୍ଧ: ବିରୋଧୀ ସାଂସଦଙ୍କ ହଟ୍ଟଗୋଳ କାରଣରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ

Image Courtesy of India Today

ନୂଆଦିଲ୍ଲୀ: ଆଜି ଠାରୁ ସଂସଦରେ ଚଳିତ ଆର୍ଥିକ ବର୍ଷ ବଜେଟ୍‌ ଅଧିବେଶନର ଦ୍ୱିତୀୟାର୍ଦ୍ଧ ଆରମ୍ଭ ହୋଇଥିବା ବେଳେ ଇନ୍ଧନ ଦର ବୃଦ୍ଧିକୁ ପ୍ରସଙ୍ଗ କରି ବିରୋଧୀ ଦଳର ସାଂସଦମାନେ ହଟ୍ଟଗୋଳ କରିବାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି।

ପ୍ରଥମେ ରାଜ୍ୟସଭାରେ ଆରମ୍ଭ ହୋଇଥିବା ଏହି ବଜେଟ୍‌ ଅଧିବେଶନରେ ରାଜ୍ୟସଭାର ବିରୋଧୀ ଦଳର ନେତା ଭାବେ ମଲ୍ଲିକାର୍ଜୁନ ଖଡ୍‌ଗେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟାନାଇଡୁ ସାଂସଦମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ, ବିତର୍କରେ ଭାଗ ନେଇ ନିଜର ଜ୍ଞାନଗରିମା ସମୃଦ୍ଧ କରିବା ଲାଗି ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ମୋର ନିବେଦନ। ଖଡ୍‌ଗେ ହେଉଛନ୍ତି ବ୍ୟାପକ ସଂସଦୀୟ ଓ ପ୍ରଶାସନିକ ଅଭିଜ୍ଞତା ଥାଇ ଦୀର୍ଘଦିନ ଧରି ଦେଶ ସେବା କରିଆସୁଥିବା ନେତାମାନଙ୍କ ମଧ୍ୟରୁ ଜଣେ।

ରାଜ୍ୟସଭାର ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ କହିଲେ, ଲିଟରପିଛା ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଯଥାକ୍ରମେ ଟ.୧୦୦ ଓ ଟ.୮୦ ଛୁଇଁଲାଣି। ରନ୍ଧନ ଗ୍ୟାସ୍‌ ଦର ମଧ୍ୟ ବୃଦ୍ଧି ପାଇଛି। ଅବକାରୀ ଶୁଳ୍କ/ସେସ୍‌ ବାବଦରେ ୨୧ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥିବା କାରଣରୁ କୃଷକମାନଙ୍କ ସମେତ ସମଗ୍ର ଦେଶ ଦୁର୍ଦ୍ଦଶାଗ୍ରସ୍ତ ହୋଇଛି।

publive-image Image Courtesy of India Today

ପରେ ପରେ ଇନ୍ଧନ ଦର ବୃଦ୍ଧିକୁ ଭିତ୍ତିକରି ଗୃହରେ କଂଗ୍ରେସ ସାଂସଦମାନେ ସ୍ଲୋଗାନ ଦେଇ ହୋହାଲ୍ଲା କରିବା ସହ ଇନ୍ଧନ ଦର ଉପରେ ଆଲୋଚନା କରିବାକୁ ଅଡ଼ି ବସିଥିଲେ। କଂଗ୍ରେସ ସାଂସଦମାନଙ୍କର ଏତାଦୃଶ ଆଚରଣରେ ପ୍ରତିକ୍ରିୟାଶୀଳ ହୋଇ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିବା ସହ କହିଲେ, ପ୍ରଥମ ଦିନରେ ମୁଁ କୌଣସି କଡ଼ା ପଦକ୍ଷେପ ନେବାକୁ ଚାହୁଁନାହିଁ।
ପୂର୍ବାହ୍ନ ୧୧ଟା ପରେ ପୁଣି ରାଜ୍ୟସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତାମାନେ ପେଟ୍ରୋଲ୍‌/ଡିଜେଲ୍‌ ଦର ବିଷୟରେ ବିତର୍କ ପାଇଁ ଦାବି କରିଥିଲେ।

ଏହାର ଉତ୍ତର ଦେବାକୁ ଯାଇ ରାଜ୍ୟସଭା ଉପାଧ୍ୟକ୍ଷ କହିଲେ, କେତେଗୁଡ଼ିଏ ବ୍ୟୟ ବିଲ୍‌ ପଡ଼ିରହିଥିବାରୁ ଇନ୍ଧନ ଦର ମୂଲ୍ୟ ପ୍ରସଙ୍ଗରେ ପରେ ଆଲୋଚନା ହେବ।

କିନ୍ତୁ, କଂଗ୍ରେସ ସାଂସଦମାନେ ଏଥିରେ କର୍ଣ୍ଣପାତ ନ କରି ପୁଣି ହଟ୍ଟଗୋଳ କରିବାରୁ ରାଜ୍ୟସଭାକୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ଏହାଛଡ଼ା, ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳନ ହେଉଥିବା ବେଳେ ରାଜ୍ୟସଭାର ବିଜେପି ସାଂସଦ ସୋନଲ ମାନସିଂହ କହିଲେ, ଆନ୍ତର୍ଜାତିକ ପୁରୁଷ ଦିବସ ପାଳନ କରାଯିବା ଉଚିତ ବୋଲି ମୁଁ ଦାବି ଉପସ୍ଥାପନ କରୁଛି। ଏବଂ ଇନ୍ଧନ ଦର ବୃଦ୍ଧି ସଂକ୍ରାନ୍ତରେ କଂଗ୍ରେସ ସାଂସଦ ମନୀଷ ତିଓ୍ଵାରୀ ଲୋକସଭାକୁ ମଧ୍ୟ ମୁଲତବୀ ପ୍ରସ୍ତାବ ନୋଟିସ୍‌ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe