Image Courtesy of The Times of India
ନୂଆଦିଲ୍ଲୀ: ଶିବସେନା ମାମଲାକୁ ସୁପ୍ରିମ କୋର୍ଟ ଆଜି ଲଟକାଇ ରଖିଛନ୍ତି। ଉଦ୍ଧବ ଗୋଷ୍ଠୀର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବାଚସ୍ପତିଙ୍କୁ ଏ ସଂପର୍କରେ ସୂଚନା ପ୍ରଦାନ କରିବାକୁ ଅଦାଲତ ଆଟର୍ଣ୍ଣି ଜେନେରାଲଙ୍କୁ କହିଛନ୍ତି। ଶିବସେନା ମାମଲାର ଶୁଣାଣି ପାଇଁ ଏକ ଖଣ୍ଡପୀଠ ଗଠନ କରିବାର ଆବଶ୍ୟକତା ରହିଛି। ଏଥିସହିତ ଉକ୍ତ ମାମଲାକୁ ତାଲିକାଭୁକ୍ତ କରିବା ଲାଗି କିଛି ସମୟ ଲାଗିବ। ତେଣୁ ଏହି ମାମଲା ଆସନ୍ତାକାଲି ଶୁଣାଣି ହେବ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ତେବେ ଉଦ୍ଧବଙ୍କ ଗୋଷ୍ଠୀ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ ମାମଲାର ଜରୁରୀ ତାଲିକାଭୁକ୍ତ କରିବା ପାଇଁ ଆବେଦନ କରିଥିଲେ। ବାଚସ୍ପତି ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବାକୁ ରଖିଥିବା ସିବଲ ସୂଚନା ଦେଇଥିଲେ। ପୂର୍ବରୁ ଅଦାଲତ କହିଥିଲେ ଯେ ଜୁଲାଇ ୧୧ରେ ମାମଲାକୁ ତାଲିକାଭୁକ୍ତ କରାଯିବ। ତେଣୁ ମାମଲା ସୁପ୍ରିମ କୋର୍ଟରେ ବିଚାର ନହେବା ପର୍ଯ୍ୟନ୍ତ କାହାରିକି ଅଯୋଗ୍ୟ କରାଯିବ ନାହିଁ। ନବ ନିଯୁକ୍ତ ବାଚସ୍ପତିଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଜଣାଇ ଦେବାକୁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲଙ୍କୁ କୁହାଯାଇଥିଲା।
ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ୧୬ ଶିବସେନା ସାଂସଦଙ୍କ ଦାବି
ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଆଜି ତାଙ୍କ ବାସଭବନ ‘ମାତୋଶ୍ରୀ’ରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ସାଂସଦମାନଙ୍କ ଏକ ବୈଠକ କରିଥିଲେ। ଦଳର ମୋଟ ୧୮ ସାଂସଦଙ୍କ ମଧ୍ୟରୁ ବୈଠକରେ ପ୍ରତ୍ୟକ୍ଷ ଭାବେ ୧୩ ଜଣ ଯୋଗ ଦେଇଥିଲେ। ୩ ଜଣ ସାଂସଦ ଦଳର ନିଷ୍ପତ୍ତିକୁ ମାନିବେ ବୋଲି ଜଣାଇଥିଲେ। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା ହୋଇଥିବାରୁ ଶିବସେନା ତାଙ୍କୁ ସମର୍ଥନ କରିବା ଉଚିତ୍ ବୋଲି ବୈଠକରେ ଉପସ୍ଥିତ ସାଂସଦ ଦାବି କରିଥିଲେ। ଉଦ୍ଧବ ଠାକ୍ରେ ଏଯାବତ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଥିଲେ। କିନ୍ତୁ ସାଂସଦମାନଙ୍କ ଏହି ଦାବି କିଛି ନୂଆ ପ୍ରଭାବ ପକାଇବ। ଉଦ୍ଧବ ତାଙ୍କ ନିଷ୍ପତ୍ତି ବଦଳାଇ ପାରନ୍ତି ବୋଲି କୁହାଯାଉଛି। ଠାକ୍ରେ ଏସଂକ୍ରାନ୍ତରେ କିଛି ଟିପ୍ପଣୀ ଦେଇନାହାନ୍ତି । କିନ୍ତୁ ଆଜିର ବୈଠକ ପରେ ଆଗାମୀ କିଛିଦିନ ମଧ୍ୟରେ ଉଦ୍ଧବ ସାଂସଦମାନଙ୍କୁ କିଛି ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ସାଂସଦ ସଂଜୟ ରାଉତ ମଧ୍ୟ ଆଜି ଗଣମାଧ୍ୟମରେ କୌଣସି ବିବୃତି ରଖିନାହାନ୍ତି। ରାଉତ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଚାହୁଛନ୍ତି।
Follow Us