ପ୍ରଶାନ୍ତ ଭୂଷଣଙ୍କ ‘ଦୁଃଖପ୍ରକାଶ’କୁ ଗହଣ କଲେନି ସୁପ୍ରିମ୍‌ କୋର୍ଟ

Advertisment
ପ୍ରଶାନ୍ତ ଭୂଷଣଙ୍କ ‘ଦୁଃଖପ୍ରକାଶ’କୁ ଗହଣ କଲେନି ସୁପ୍ରିମ୍‌ କୋର୍ଟ

The Wire

ନୂଆଦିଲ୍ଲୀ: ୨୦୦୯ ମସିହାରେ ଏକ ପତ୍ରିକାକୁ ସାକ୍ଷାତକାରରେ ନ୍ୟାୟିକ ଦୁର୍ନୀତି ସମ୍ପର୍କରେ ଟିପ୍ପଣୀ ରଖି ଏକ ଅଦାଲତ ଅବମାନନା ମାମଲାକୁ ସାମନା କରିଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ କ୍ଷମା ପ୍ରାର୍ଥନା ଏବଂ କୈଫିୟତକୁ ଆଜି ମାନ୍ୟବର ସୁପ୍ରିମ୍‌କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏଥି ସହିତ ତାଙ୍କ ବିରୋଧରେ ରୁଜୁ ସଂପୃକ୍ତ ଅଦାଲତ ଅବମାନନା ମାମଲା ଜାରି ରହିବ ଏବଂ ଏଥିପାଇଁ ବିସ୍ତୀର୍ଣ୍ଣ ଭାବେ ଶୁଣାଣି କରିବାକୁ ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନେତୃତ୍ବରେ ପରିଚାଳିତ ତିନିଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏଥି ସହିତ ଏହି ମାମଲାରେ ଶ୍ରୀ ଭୂଷଣ ଦେଇଥିବା ମୂଳ ବକ୍ତବ୍ୟର ତର୍ଜମା କରାଯାଇ ତାହା ଅଦାଲତ ଅବମାନନାକୁ ଆମନ୍ତ୍ରଣ କରୁଛି କି ନା ତାହା ପରଖାଯିବ ବୋଲି ମଧ୍ୟ ଅନ୍ୟତମ ଜଷ୍ଟିସ ବି ଆର୍‌ ଗବାଇ ଓ ଜଷ୍ଟିସ କୃଷ୍ଣା ମୁରାରିଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖରେ ହେବାକୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀ ଅନୁଯାୟୀ, ୨୦୦୯ ମସିହାରେ ଅନୁସନ୍ଧାନକାରୀ ପତ୍ରିକା ତେହେଲକାକୁ ପ୍ରଶାନ୍ତଭୂଷଣ ଏକ ସାକ୍ଷାତକାର ଦେବା ଅବସରରେ ଜଷ୍ଟିସ ଏସ୍‌ ଏଚ୍‌ କପାଡ଼ିଆ ଓ ଜଷ୍ଟିସ କେ ଜି ବାଲକୃଷ୍ଣନ୍‌ଙ୍କ ସମେତ ଭାରତର ପୂର୍ବତନ ୧୬ ଜଣ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ମଧ୍ୟରୁ ଅର୍ଦ୍ଧେକ ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ ଆଣିଥିଲେ। ଏଥିରେ କ୍ଷୋଭ ପ୍ରକାଶ କରି ମାନ୍ୟବର ଶୀର୍ଷ ଅଦାଲତ ନିଜ ତରଫରୁ ୨୦୧୦ ନଭେମ୍ବର ୧୦ରେ ଏକ ତିନିଣିଆ ଖଣ୍ଠପୀଠ ଗଠନ କରିବା ସହ ପ୍ରଶାନ୍ତ ଭୂଷଣଙ୍କ ସମେତ ତେହେଲକା ମୁଖ୍ୟ ତେଜପାଲଙ୍କ ପାଖକୁ ଅଦାଲତ ଅବମାନନା ନୋଟିସ ପଠାଇଥିଲେ। ଗତ ୪ ତାରିଖରେ ମାମଲାର ଚୂଡ଼ାନ୍ତ ଶୁଣାଣି ବେଳେ ଖଣ୍ଡପୀଠ ବାକ୍ ସ୍ବାଧୀନତା ଓ ଅଦାଲତ ଅବମାନନା ମଧ୍ୟରେ ଅତି କ୍ଷୀଣ ସୀମାରେଖା ରହିଛି ବୋଲି କହିବା ସହ ଗୋଟିଏ ପଟେ କଥା କହିବାର ଅଧିକାରକୁ ସାବ୍ୟସ୍ତ କରିବା ସହ ଅନ୍ୟ ପଟେ ଏକ ଅନୁଷ୍ଠାନ ଭାବରେ ନ୍ୟାୟପାଳିକାର ମର୍ଯ୍ୟାଦାର ସୁରକ୍ଷା ପାଇଁ ମଧ୍ୟ ଯତ୍ନଶୀଳ ହେବା ଜରୁରୀ ବୋଲି ଟିପ୍ପଣୀ କରିଥିଲେ। ସେହିପରି ଏ ସଂକ୍ରାନ୍ତ ପ୍ରତିବାଦୀ ଦ୍ବୟଙ୍କର କୈଫିୟତ ଓ କ୍ଷମାପ୍ରାର୍ଥନା ପହଞ୍ଚିନଥିବାରୁ ମାମଲାର ରାୟକୁ ଖଣ୍ଡପୀଠ ସଂରକ୍ଷିତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe