ଟ୍ରିବ୍ୟୁନାଲ ସଦସ୍ୟ ନିଯୁକ୍ତିରେ କେନ୍ଦ୍ରର ମନମୁଖୀ ନୀତି ନେଇ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ

କେମିତି ରାୟ ଲେଖାଯାଏ ତା’ ଉପରେ ରାୟ ଦେଲେ ସୁପ୍ରିମ୍‌କୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ବିଚାରପତିମାନଙ୍କ ନେତୃତ୍ବାଧୀନ ଚୟନ କମିଟିଗୁଡ଼ିକ ଦ୍ବାରା ବିଭିନ୍ନ ଟ୍ରିବ୍ୟୁନାଲର ସଦସ୍ୟ ପଦ ଲାଗି ଯେଉଁ ସବୁ ନାମ ସୁପାରିସ କରାଯାଉଛି ସେଥିରୁ ନାମ ବାଛିବାରେ କେନ୍ଦ୍ରର ‘ଚେରି-ପିକିଂ’ (ନିଜ ପସନ୍ଦ ଅନୁଯାୟୀ ବାଛିବା)କୁ ନେଇ ସୁପ୍ରିମ୍‌କୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ତିରସ୍କାର କରିଛନ୍ତି।

ପ୍ରଧାନ ବିଚାରପତି ଏନ୍‌ଭି ରମଣା, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଏଲ୍‌ ନାଗେଶ୍ବର ରାଓଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ବିଭିନ୍ନ ଟ୍ରିବ୍ୟୁନାଲରେ ନିକଟରେ ଯେପରିଭାବେ ନିଯୁକ୍ତି ହୋଇଛି ତାହାକୁ ନେଇ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। କେନ୍ଦ୍ର ସରକାର ଚୟନ କମିଟି ଦ୍ବାରା ବଛାଯାଇଥିବା ନାମଗୁଡ଼ିକ ମଧ୍ୟରୁ ନିଜ ପସନ୍ଦ ଅନୁଯାୟୀ ଅଳ୍ପ ସଂଖ୍ୟକ ନାମ ବାଛିବା ସହ କିଛି ନାମ ପ୍ରତୀକ୍ଷା ତାଲିକାରୁ ବାଛିଛନ୍ତି ଏବଂ ଚୟନ ତାଲିକାରେ ଥିବା ଅନ୍ୟ ନାମଗୁଡ଼ିକୁ ଉପେକ୍ଷା କରିଛନ୍ତି। ସରକାରଙ୍କ ପକ୍ଷରୁ ଉପସ୍ଥିତ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କୁ ଖଣ୍ଡପୀଠ କହିଲେ ଯେ, ସରକାର ଯେପରି ଭାବେ ନିଜ ମନ ପସନ୍ଦ ଅନୁଯାୟୀ ନାମ ବାଛିଛନ୍ତି, ସେ ନେଇ କୋର୍ଟ ଅସନ୍ତୁଷ୍ଟ। ସରକାର ସୁପାରିସ କରାଯାଇଥିବା ଯେଉଁ ନାମଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ତା’ର କାରଣ ଦର୍ଶାଇବା ସହ ଦୁଇ ସପ୍ତାହ ଭିତରେ ସୁପାରିସ ନାମଗୁଡ଼ିକ ଭିତରୁ ନିଯୁକ୍ତି ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବେଣୁଗୋପାଳ କହିଲେ ଯେ, ସୁପାରିସ ନାମଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ସରକାରଙ୍କର ଅଛି। ଏହାର ଉତ୍ତରରେ ଖଣ୍ଡପୀଠ କହିଲେ ଯେ, ସରକାର ଯଦି ଶେଷ ନିଷ୍ପତ୍ତି ନେବେ ତା’ହେଲେ ଏ ପ୍ରକ୍ରିୟାର ପବିତ୍ରତା କ’ଣ ରହିଲା? ଚୟନ କମିଟି ନାମଗୁଡ଼ିକୁ ସଂକ୍ଷିପ୍ତୀକୃତ ତାଲିକାଭୁକ୍ତ କରିବା ପାଇଁ ଲମ୍ବା ପ୍ରକ୍ରିୟା ଦେଇ ଯାଇଥାନ୍ତି। ତା’ପରେ ବେଣୁଗୋପାଳ ନାମଗୁଡ଼ିକ ଉପରେ ପୁନର୍ବିଚାର କରିବା ପାଇଁ ସର୍ବୋଚ୍ଚ ଅଦାଲତଙ୍କୁ ଦୁଇ ସପ୍ତାହ ସମୟ ମାଗିଥିଲେ। ଏହି ସମୟ ଭିତରେ କେବଳ ଦୁର୍ନୀତି ଅଭିଯୋଗ ଥିବା ନାମଗୁଡ଼ିକ ବ୍ୟତୀତ ଅନ୍ୟ ନାମଗୁଡ଼ିକ ଉପରେ ପୁନର୍ବିଚାର କରାଯିବ ବୋଲି କହିଥିଲେ।

ଖଣ୍ଡପୀଠ କହିଥିଲେ ଯେ ଦୁଇଜଣ ସୁପ୍ରିମ୍‌କୋର୍ଟ ବିଚାରପତି ଓ ଦୁଇଜଣ ସଚିବଙ୍କୁ ନେଇ ଗଠିତ ଚୟନ କମିଟି ଯେଉଁ ନାମ ସୁପାରିସ କରିଛି, ତାହାକୁ ଉପେକ୍ଷା କରିବା କମିଟି ପ୍ରତି ଅବମାନନା। ନ୍ୟାସନାଲ କମ୍ପାନି ଲ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ପାଇଁ କମିଟି ୯ ଜଣ ବିଚାରବିଭାଗୀୟ ସଦସ୍ୟଙ୍କ ନାମ ସୁପାରିସ କରିଥିବା ବେଳେ ସରକାର ଏହି ତାଲିକାରୁ ମାତ୍ର ୩ ଜଣଙ୍କ ନାମ ନିଜ ପସନ୍ଦ ଅନୁଯାୟୀ ବାଛିଛନ୍ତି ଏବଂ ଅନ୍ୟ ନାମଗୁଡ଼ିକ ପ୍ରତୀକ୍ଷା ତାଲିକାରୁ ନେଇଛନ୍ତି। ସର୍ଭିସ୍ ଲ ଅନୁଯାୟୀ ଚୟନ ତାଲିକାକୁ ଛାଡ଼ି ପ୍ରତୀକ୍ଷା ତାଲିକାକୁ ସରକାର ଯାଇପାରିବେ ନାହିଁ ବୋଲି ପ୍ରଧାନ ବିଚାରପତି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe