ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସିଇସି (ମୁଖ୍ୟ ନିର୍ବାଚନ କମିସନର) ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଦେଶକୁ ଜଣେ ହେଲେ ମହିଳା ସିଇସି ମିଳିନାହାନ୍ତି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟର ଏକ ସମ୍ବିଧାନ ପୀଠ କହିଛନ୍ତି, ଦୀର୍ଘ ୭୫ ବର୍ଷ ମଧ୍ୟରେ ଦେଶକୁ ଜଣେ ହେଲେ ମହିଳା ସିଇସି ନମିଳିବା ନୈରାଶ୍ୟଜନକ। କେନ୍ଦ୍ର ସରକାର ସିଇସି ନିଯୁକ୍ତିରେ କେଉଁ ପଦ୍ଧତି ଏବଂ ମାନଦଣ୍ଡ ଅନୁସରଣ କରୁଛନ୍ତି ତାହା ଜଣାଇବା ପାଇଁ କୋର୍ଟ କହିଛନ୍ତି। ଜଣେ ଦକ୍ଷ ଏବଂ ନିରପେକ୍ଷ ବ୍ୟକ୍ତି ଭାରତୀୟ ନିର୍ବାଚନ କମିସନ୍ (ଇସିଆଇ)ର ମୁଖ୍ୟ ରହିବା ଯେତିକି ଗୁରୁତ୍ବପୂର୍ଣ୍ଣ ନିଯୁକ୍ତିରେ ଲିଙ୍ଗଗତ ବିବିଧତା ରହିବା ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି।
ସିଇସି ନିଯୁକ୍ତିରେ ଅବଲମ୍ବନ ହୋଇଥିବା ପଦ୍ଧତିକୁ ନେଇ ସରକାର ନିରବ ଥିବାରୁ ଖଣ୍ଡପୀଠ କହିଛନ୍ତି, ଏଥିପାଇଁ କୌଣସି ପଦ୍ଧତି ନାହିଁ ଏବଂ ସରକାର ନିଜର ପ୍ରକ୍ରିୟା ଅବଲମ୍ବନ କରୁଛନ୍ତି। ସିଇସି ନିଯୁକ୍ତି ପାଇଁ ‘ନିରପେକ୍ଷ ଚୟନ କମିଟି’ ଗଠନ ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ବିଭିନ୍ନ ଆବେଦନର ଶୁଣାଣି କରିବା ସମୟରେ ଜଷ୍ଟିସ କେଏମ ଯୋସେଫଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ସମାଲୋଚନା କରିଥିବା ବେଳେ ଏଭଳି ସମୟରେ ଖଣ୍ଡପୀଠଙ୍କ ଏହି ଟିପ୍ପଣୀକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଗତ ସପ୍ତାହରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିକୁ କହିଥିଲେ, ସୁପ୍ରିମକୋର୍ଟ କଲେଜିୟମ କେବଳ ସେହିମାନଙ୍କୁ ନିଯୁକ୍ତି ଦେଉଛନ୍ତି ଯେଉଁମାନେ ବିଚାରପତିଙ୍କର ଜଣାଣୁଣା ଏବଂ ଯେଉଁମାନେ ବିଚାରପତିଙ୍କ ନିକଟରେ ହାଜର ହେଉଛନ୍ତି।
Follow Us