ଟିକା ଅଭାବ ଅଭିଯୋଗକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଖଣ୍ଡନ, ଭୟ ସୃଷ୍ଟି କରିବାକୁ ଅଯଥା ମନ୍ତବ୍ୟ ଦିଆଯାଉଛି

ଟିକା ଅଭାବ ଅଭିଯୋଗକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଖଣ୍ଡନ, ଭୟ ସୃଷ୍ଟି କରିବାକୁ ଅଯଥା ମନ୍ତବ୍ୟ ଦିଆଯାଉଛି

Yahoo News India

ନୂଆଦିଲ୍ଲୀ : କରୋନା ଟିକା ଅଭାବ ନେଇ କିଛି ରାଜ୍ୟ ଅଭିଯୋଗ କରିଥିବାବେଳେ ବିରୋଧୀ ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମା‌ଲୋଚନା କରିଛନ୍ତି। ତେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମଣ୍ଡାଭିୟା କହିଛନ୍ତି, ଅଯଥା‌ ଭୟ ସୃଷ୍ଟି କରିବାକୁ ଏଭଳି ମୂଲ୍ୟହୀନ ମନ୍ତବ୍ୟ ଦିଆଯାଉଛି। ରାଜ୍ୟମାନଙ୍କୁ କେତେବେଳେ ଓ କେତେ ପରିମାଣରେ ଟିକା ମିଳିବ ତାହା ସେମାନେ ଭଲଭାବେ ଜାଣିଛନ୍ତି। ଟିକା ବଣ୍ଟନ ସଂକ୍ରାନ୍ତରେ ରାଜ୍ୟମାନଙ୍କୁ ଆଗୁଆ ଅବଗତ କରାଯାଉଛି ବୋଲି ସେ କହିଛନ୍ତି।

ମଣ୍ଡାଭିୟା ଆଜି ଟ୍ବିଟ୍ କରି କହିଛନ୍ତି, ତଥ୍ୟ ଆକଳନ ଦ୍ବାରା ହିଁ ଟିକା ଉପଲବ୍ଧତା ସଂକ୍ରାନ୍ତରେ ଅତି ଭଲଭାବେ ବୁଝିହେବ। ଅନାବଶ୍ୟକ ମନ୍ତବ୍ୟ କେବଳ ଭୟ ସୃଷ୍ଟି କରିବାପାଇଁ ଦିଆଯାଉଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଜୁନ୍‌ରେ ୧୧.୪୬ କୋଟି ଟିକା ଡୋଜ୍‌ ଦିଆଯାଇଛି। ଜୁଲାଇରେ ଏହା ୧୩.୫୦ କୋଟିକୁ ବୃଦ୍ଧି କରାଯାଇଛି। ରାଜ୍ୟମାନଙ୍କୁ ଜୁଲାଇରେ କେତେ ଡୋଜ୍‌ ମିଳିବ ତାହା ଜୁନ୍‌ ୧୯ରେ ଜଣାଇ ଦିଆଯାଇଛି । ଜୁଲାଇ ୧୩ରେ ମଧ୍ୟ ରାଜ୍ୟମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ କେତେ ଟିକା ମିଳିବ ଜଣାଇ ଦିଆଯାଇଛି। ତେଣୁ ରାଜ୍ୟମାନେ ଅତି ଭଲଭାବେ ଜାଣିଛନ୍ତି ସେମାନଙ୍କୁ କେତେ ଟିକା ଡୋଜ୍‌ ମିଳିବ।

ରାଜ୍ୟ ସରକାର ସଠିକ୍‌ ‌ଯୋଜନା ଦ୍ବାରା ଟିକାକରଣ କରାଇବେ ବୋଲି କେନ୍ଦ୍ର ଆ‌ଗୁଆ ଅବଗତ କରୁଛନ୍ତି। କିନ୍ତୁ ଏହ‌ାସତ୍ତ୍ବେ ସମସ୍ୟା ଉପୁଯିବା ଏବଂ ଲୋକମାନେ ଟିକା ନେବାପାଇଁ ଲମ୍ବା ଧାଡ଼ିରେ ଠିଆ ହେବା ପଛର କାରଣ କ’ଣ ସ୍ପଷ୍ଟ ଜଣାପଡ଼ିଯାଉଛି ବୋଲି ମଣ୍ଡାଭିୟା କହିଛନ୍ତି। ଅନ୍ୟପକ୍ଷେ ବିରୋଧୀ ନେତାମାନେ ଟିକା ଅଭାବ ନେଇ ଅଯଥା ଦ୍ବନ୍ଦ୍ବ ଓ ଭୟ ବଢ଼ାଇବାଭଳି ମନ୍ତବ୍ୟ ଦେଉଥିବାରୁ ମଣ୍ଡାଭିୟା ଏହାର ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe