ଧରାପଡ଼ିଲା ବିକାଶ ଦୁବେ: ପ୍ରଶ୍ନ ଉଠାଇଲେ ବିରୋଧୀ, ଆଶ୍ରୟ ନା’ ଆତ୍ମସମର୍ପଣ

Advertisment
ଧରାପଡ଼ିଲା ବିକାଶ ଦୁବେ: ପ୍ରଶ୍ନ ଉଠାଇଲେ ବିରୋଧୀ, ଆଶ୍ରୟ ନା’ ଆତ୍ମସମର୍ପଣ

The Economic Times

ଉଜ୍ଜୟିନୀ: କାନପୁରରେ ୮ ଜଣ ପୁଲିସ କର୍ମୀଙ୍କୁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ୍‌ ତଥା ଉତ୍ତରପ୍ରଦେଶର ମୋଷ୍ଟ୍‌ ୱାଣ୍ଟେଡ ଅପରାଧୀ ବିକାଶ ଦୁବେକୁ ଆଜି ମଧ୍ୟପ୍ରଦେଶ ଉଜ୍ଜୟିନୀ ସ୍ଥିତ ମହକାଳ ମନ୍ଦିର ପରିସରରୁ ଗିରଫ କରାଯାଇଛି। ୟୁପି, ଦିଲ୍ଲୀ ଏବଂ ହରିୟାଣା ପୁଲିସକୁ ଚକ୍‌ମା ଦେଇ ଦୁବେ ଉଜ୍ଜୟିନୀରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା। ଆଜି ସକାଳ ୮ଟା ବେଳେ ତାକୁ ଉଜ୍ଜୟିନୀ ପୁଲିସ ମନ୍ଦିର ପରିସରରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଦୁବେକୁ କୌଣସି ଅଜ୍ଞାତ ସ୍ଥାନରେ ୮ ଘଣ୍ଟା ଜେରା ପରେ ଆଜି ରାତିରେ ଉତ୍ତରପ୍ରଦେଶ ଅଣାଯାଇଛି। ଦୁବେ ଉତ୍ତର ପ୍ରଦେଶର ନମ୍ବର ପ୍ଲେଟ୍‌ ଥିବା ଏକ ଗାଡ଼ିରେ ମଧ୍ୟପ୍ରଦେଶ ପହଞ୍ଚିଥିଲା। ଗାଡ଼ିରେ ‘ହାଇକୋର୍ଟ’ ଲେଖା ହୋଇଥିଲା ଏବଂ ଏହି କାରଣରୁ ସେ ସହଜରେ ସୀମା ପାର ହୋଇଯାଇଥିଲା। ଏହା ସହିତ ଦୁବେ ଏକ ନକଲି ଆଇଡି ମଧ୍ୟ ବ୍ୟବହାର କରିଥିଲା ଯେଉଁଥିରେ ତାର ନାମ ‘ନବୀନ୍‌ ପଲ୍‌’ ରହିଥିଲା। ଯେଉଁ ଏସ୍‌ୟୁଭିରେ ଦୁବେ ଉଜ୍ଜୟିନୀ ପହଞ୍ଚିଥିଲା ତାହା କୌଣସି ମନୋଜ ଯାଦବ ନାମରେ ପଂଜିକୃତ ହୋଇଥିବା ଜଣାପଡ଼ିଛି। ଦୁବେ ତା’ର ଦୁଇ ଜଣ ସହଯୋଗୀ ସହିତ ଉଜ୍ଜୟିନୀରେ ପହଞ୍ଚିଥିଲା ଏବଂ ଏକ ନକଲି ପରିଚୟପତ୍ର ବ୍ୟବହାର କରିଥିଲା ବୋଲି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି।

ଦୁବେକୁ ଗିରଫ କରିବାରେ ମନ୍ଦିରର କର୍ମଚାରୀଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି। ମନ୍ଦିରର ଜଣେ ସୁରକ୍ଷାକର୍ମୀ ପ୍ରଥମେ ବିକାଶ ଦୁବେକୁ ଚିହ୍ନି ପାରିଥିଲେ। ବିକାଶ ଦୁବେ ସହିତ ଆଉ ୨ ଜଣ ଅଜ୍ଞାତ ବ୍ୟକ୍ତି ଥିଲେ ବୋଲି ସୁରକ୍ଷାକର୍ମୀ ଲକ୍ଷଣ ଯାଦବ କହିଛନ୍ତି। ଲକ୍ଷଣଙ୍କଠାରୁ ସୂଚନା ପାଇଁ ମନ୍ଦିରର ୮ ଜଣ ସୁରକ୍ଷା କର୍ମୀ ଏକ ଟିମ୍‌ ଗଠନ କରି ଦୁବେ ଏବଂ ତା’ର ଅନ୍ୟ ସାଥୀମାନଙ୍କ ଉପରେ ନଜର ରଖିଥିଲେ ଏବଂ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ମନ୍ଦିର ଅଂଚଳକୁ ଘେରାବନ୍ଦୀ କରି ରଖିଥିଲା ଏବଂ ବିକାଶ ଦୁବେକୁ ଗିରଫ କରାଯାଇଥିଲା।

ଅନ୍ୟପକ୍ଷରେ ଆଜି ୟୁପିରେ ହୋଇଥିବା ପୃଥକ୍‌ ଏନ୍‌କାଉଣ୍ଟରରେ ବିକାଶ ଦୁବେର ଆଉ ୨ ଜଣ ସହଯୋଗୀ ନିପାତ ହୋଇଛନ୍ତି। ଦୁବେ ବିରୋଧରେ ଏକାଧିକ ହତ୍ୟା, ଅପହରଣ, ଦଙ୍ଗା, ବଳପୂର୍ବକ ବଟି ଆଦାୟ ଆଦି ୬୦ରୁ ଅଧିକ ମାମଲା ରହିଛି। ଆଜି ଲକ୍ଷ୍ନୌରୁ ଏସ୍‌ଟିଏଫ୍‌ ଦୁବେର ପତ୍ନୀ ରିଚା ଏବଂ ପୁଅକୁ ମଧ୍ୟ ଗିରଫ କରିଛି।

ଉଜ୍ଜୟିନୀର ମହାକାଳ ମନ୍ଦିରରୁ ଗିରଫ
ନକଲି ପରିଚୟପତ୍ର ବ୍ୟବହାର କରୁଥିଲା
ଲକ୍ଷ୍ନୌରୁ ପତ୍ନୀ-ପୁଅ ବି ଗିରଫ

ଇନ୍ଦୋର: ବିକାଶ ଦୁବେ ଗିରଫ ହେବା ପରେ ବିରୋଧୀ ଦଳ ନେତାମାନେ ଉକ୍ତ ଘଟଣାରେ ପୁଲିସର ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଉକ୍ତ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ମଧ୍ୟପ୍ରଦେଶରେ ବିଜେପି ସରକାରକ ପ୍ରଶ୍ନ କରିଛି, ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ କିଭଳି ଫରିଦାବାଦ୍‌ରୁ ଉଜ୍ଜୟିନୀ ଦୀର୍ଘ ୭୭୫ କିମି ଯାତ୍ରା କଲା ଏବଂ ସେ କିଭଳି ପୁଲିସ ହାତରେ ଧରା ନପଡ଼ି ଜଣେ ମନ୍ଦିର ସୁରକ୍ଷାକର୍ମୀ ହାତରେ ଧରା ପଡ଼ିଲା। ସମଗ୍ର ଦେଶର ପୁଲିସ ବିକାଶ ଦୁବେକୁ ଖୋଜୁଥିବା ବେଳେ ବିକାଶ ଦୁବେ କିଭଳି ସୀମା ଅତିକ୍ରମ କଲା ସେନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ଶିବରାଜ ସରକାର ଏନେଇ ଲଜ୍ଜା ଅନୁଭବ କରିବା ଉଚିତ୍‌। ସେ ରାଜ୍ୟକୁ ଅପରାଧୀମାନଙ୍କ ପାଇଁ ଆଶ୍ରୟସ୍ଥଳ କରିଦେଇଛନ୍ତି ବୋଲି ମଧ୍ୟପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ଜିତୁ ପଟୱାରୀ କହିଛନ୍ତି। ସେହିପରି କଂଗ୍ରେସ ବିଧାୟକ ତଥା‌ ପୂର୍ବତନ ମନ୍ତ୍ରୀ ପିସି ଶର୍ମା କହିଛନ୍ତି, ଏହା ଆଶ୍ରୟ ଏବଂ ଆତ୍ମସମର୍ପଣର ଏକ ଗେମ୍‌। ପଟୱାରି କହିଛନ୍ତି, ଅପରାଧୀମାନେ ବିଜେପି ଶାସିତ ମଧ୍ୟପ୍ରଦେଶରେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି।

କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଉକ୍ତ ଘଟଣାରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ବିକାଶ ଦୁବେକୁ କାହିଁକି ସୁରକ୍ଷା ମିଳିଲା ସେନେଇ ପ୍ରିୟଙ୍କା ସିବିଆଇ ତଦନ୍ତ ଦାବି କରିଛନ୍ତି। ପ୍ରିୟଙ୍କା ମଧ୍ୟ କହିଛନ୍ତି, ଏହା ଉତ୍ତରପ୍ରଦେଶରେ ବିଜେପି ସରକାରଙ୍କ ବିଫଳତା। ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଦୁବେକୁ ଗିରଫ କରାଯାଇଛି ନା' ସେ ଆତ୍ମସମର୍ପଣ କରିଛି ସେନେଇ ଯୋଗୀ ସରକାର ସ୍ପ‌ଷ୍ଟ କରିବା ଉଚିତ୍‌। ତେବେ ଆଜି ବିକାଶ ଦୁବେର ମା’ କହିଛନ୍ତି ଯେ ତାଙ୍କ ପୁଅ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲା। ପୁଅର ଗିରଫଦାରି ଖବର ସେ ଟିଭିରୁ ଦେଖିଥିଲେ ଏବଂ ପୁଲିସ ଏବେ ଯାହା କରିବା କଥା କରିବ। ମୋ ପୁଅକୁ ମହକାଳ ରକ୍ଷା କରିଛନ୍ତି ବୋଲି ସେ କହିଛନ୍ତି।

‘ମୁଁ କାନପୁରର ବିକାଶ ଦୁବେ’ ପୁଲିସଠୁ ଶକ୍ତ ଚାପୁଡ଼ା ଖାଇଲା ବିକାଶ
ଇନ୍ଦୋର : ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଗିରଫ ସମୟରେ ଖୁବ୍‌ ଜୋର୍‌ ଚିତ୍କାର କରି କହିଥିଲା 'ମେ ହୁଁ ବିକାଶ ଦୁବେ, କା‌ନପୁରୱାଲା'। ବିକାଶ ଦୁବେକୁ ଗିରଫ କରି ପୁଲିସ ଜିପ୍‌ ନିକଟକୁ ନେବା ସମୟରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ମିଡିଆର ଦୃଷ୍ଟି ଆକର୍ଷଣ କରିବାକୁ ସେ ଖୁବ୍‌ ଜୋର ଚିତ୍କାର କରି କହିଥିଲା ‘ମୁଁ କାନପୁରର ବିକାଶ ଦୁବେ’ ବୋଲି କହିବା ସମୟରେ ପୁଲିସ ତା' ମୁଣ୍ଡକୁ ଏକ ଶକ୍ତ ଚାପୁଡ଼ା ମାରି ତାକୁ ଚୁପ୍‌ ହେବାକୁ କହିଥିଲା। ଏହାର ଏକ ଭିଡିଓ ଦେଖିବାକୁ ମିଳିଛି। ଗିରଫ ସମୟରେ ଦୁବେ ନିଜକୁ ଏକ ସେଲିବ୍ରିଟି ବୋଲି ଭାବୁଥିଲା ଗଣମାଧ୍ୟମ ସମ୍ମୁଖରେ ସେ କେତେବଡ଼ ‘ଡନ୍‌’ ତାହା ଜଣାଇବାକୁ ଚାହୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe