ଉତ୍କଣ୍ଠା, ଉଦ୍‌ବେଗ, ଅଧୀରତା... ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ସମଗ୍ର ବିଶ୍ବର ନଜର

Advertisment
ଉତ୍କଣ୍ଠା, ଉଦ୍‌ବେଗ, ଅଧୀରତା... ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ସମଗ୍ର ବିଶ୍ବର ନଜର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଗତକାଲିଠାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି ଏବଂ ସମସ୍ତ ୫୦ଟି ରାଜ୍ୟରେ ଗଣତି ଜାରି ରହିଛି। ଏହି ନିର୍ବାଚନର ପରିଣାମ ଉପରେ ସମଗ୍ର ବିଶ୍ବର ନଜର ରହିଛି। ନିର୍ବାଚନ ପରିଣାମ କ’ଣ ହେବ ତାହାକୁ ବିଶ୍ବର ସବୁ ରାଷ୍ଟ୍ର ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ମଧ୍ୟରୁ କିଏ ବିଜୟୀ ହେଲେ କାହାକୁ କେତେ ଫାଇଦା ଓ କ୍ଷତି ହେବ ସେ ନେଇ ଆକଳନ ଚାଲିଛି। ନିର୍ବାଚନ ପରିଣାମ ଘୋଷଣାରେ ଯେତିକି ବିଳମ୍ବ ହେଉଛି, ଅସ୍ଥିରତା ଓ ଅଧୀରତା ସେତିକି ବଢ଼ିବାରେ ଲାଗିଛି।

ୟୁରୋପୀୟ ସଂଘର ବୈଦେଶିକ ବ୍ୟାପାର ମୁଖ୍ୟ ଜୋସେପ୍‌ ବୋରେଲ କହିଛନ୍ତି, ଆମକୁ ଅତ୍ୟନ୍ତ ଧୈର୍ଯ୍ୟର ସହ ଏହି ପରିଣାମକୁ ଅପେକ୍ଷା କରିବାକୁ ପଡ଼ିବ। ଆମେରିକାର ପ୍ରମୁଖ ରାଜ୍ୟଗୁଡ଼ିକ ହିଁ ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି ସେ କହିଛନ୍ତି। ତେବେ ଶେଷ ଭୋଟ୍‌ ମଧ୍ୟ ପରିଣାମକୁ ବଦଳାଇ ଦେଇପାରେ ବୋଲି ସେ ମତ ରଖିଛନ୍ତି। ଜର୍ମାନୀ ପ୍ରତିରକ୍ଷା ମନ୍ତ୍ରୀ ଆନିଗ୍ରେଟ୍‌ କ୍ରାମ୍ପ୍‌ କାରେନ୍‌ବର କହିଛନ୍ତି ଯେ ଏବେ ଏହି ନିର୍ବାଚନର ପରିଣାମ ଆଇନର ଲଢ଼େଇ ଭିତରୁ ବାହାରିବା ଆଶା କରାଯାଉଛି । ଚୀନ୍‌, ରୁଷିଆ, ଆଫ୍ରିକା ସମେତ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଟ୍ରମ୍ପ୍‌ଙ୍କ ଜୟ ପରାଜୟ କାହା ପାଇଁ କିଭଳି ସ୍ଥିତି ସୃଷ୍ଟି କରିବ ସେ ନେଇ ନାନା ଆକଳନ ଜାରି ରହିଛି। ଆମେରିକାର ମିତ୍ର ରାଷ୍ଟ୍ର ଜାପାନ, ଅଷ୍ଟ୍ରେିଲଆ, ବ୍ରିଟେନ୍‌ ଏବଂ ଇସ୍ରାଏଲରେ ମଧ୍ୟ ନିର୍ବାଚନ ପରିଣାମକୁ ନେଇ ଉତ୍କଣ୍ଠା ଲାଗି ରହିଛି। ଏହି ନିର୍ବାଚନର ଫଳାଫଳ ବିଭିନ୍ନ ରାଷ୍ଟ୍ର ସହ ଆମେରିକାର କୂଟନୈତିକ ସଂପର୍କର ଧାରାରେ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଛି । ଉଭୟ ସାମରିକ ଓ କୂଟନୈତିକ କ୍ଷେତ୍ରରେ ଆମେରିକାର ଘନିଷ୍ଠ ସହଯୋଗୀ ଥିବା ଭାରତ ପାଇଁ ମଧ୍ୟ ଏହି ନିର୍ବାଚନର ଫଳାଫଳ ଯଥେଷ୍ଟ ଗୁରୁତ୍ବ ବହନ କରୁଛି। ଚୀନ୍‌ ସହ ସୀମା ବିବାଦ, ପ୍ରଦୂଷଣ ସ୍ଥିତି, ଦ୍ବିପାକ୍ଷିକ ବାଣିଜ୍ୟ କାରବାର, ସାମରିକ ସହଯୋଗ ଆଦି ପ୍ରସଙ୍ଗରେ ଭାରତ-ଆମେରିକାର ଭବିଷ୍ୟତ ରଣନୀତି କ’ଣ ହେବ ତାହା ମଧ୍ୟ ଏହି ନିର୍ବାଚନର ପରିଣାମ ଉପରେ ନିର୍ଭର କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe