Image Courtesy of India Today
ନୂଆଦିଲ୍ଲୀ: ଚୀନ୍ ଏବଂ ତା’ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ଉପରୁ ସମଗ୍ର ବିଶ୍ବ ବିଶ୍ବାସ ହରାଉଛି। କୋଭିଡ୍-୧୯ ପରବର୍ତ୍ତୀ ବିଶ୍ବରେ ଏହି ସାଧାରଣ ମନୋଭାବ କଥା ଯୁକ୍ତରାଷ୍ଟ୍ର ଆମେରିକାର ‘ପିଉ ରିସର୍ଚ ସେଣ୍ଟର୍’ ଦ୍ବାରା କରାଯାଇଥିବା ସର୍ଭେ ସୁନିଶ୍ଚିତ କରିଛି।
ଗତ ବର୍ଷେ ହେବ ଚୀନ୍ ବିପକ୍ଷରେ ଅଧିକ ପ୍ରତିକୂଳ ମତ ଆସିଥିବା କଥା ୧୪ଟି ଦେଶରେ କରାଯାଇଥିବା ଏହି ସର୍ଭେରୁ ଜଣାପଡ଼ିଛି। ମଙ୍ଗଳବାର ଦିନ ରିଲିଜ୍ ହୋଇଥିବା ‘ପିଉ ରିସର୍ଚ ସେଣ୍ଟର୍’ର ଏହି ସର୍ଭେ ଫଳାଫଳ ଅନୁସାରେ, ଅଷ୍ଟ୍ରେଲିଆ, ଇଂଲଣ୍ଡ୍, ଜର୍ମାନି, ନେଦର୍ଲାଣ୍ଡ୍ସ୍, ସ୍ବିଡେନ୍, ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣ କୋରିଆ, ସ୍ପେନ୍ ଏବଂ କାନାଡା ପ୍ରଭୃତି ଦେଶରୁ ସର୍ବାଧିକ ନକାରାତ୍ମକ ମତାମତ ମିଳିଛି।
ଏବର୍ଷ ଜୁନ୍ ୧୦ ରୁ ଅଗଷ୍ଟ ୩ ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ୧୪, ୨୭୬ଜଣ ପ୍ରାପ୍ତ ବୟସ୍କ ଲୋକଙ୍କ ଠାରୁ ଟେଲିଫୋନ୍ ଯୋଗେ ମତ ଲୋଡ଼ା ଯାଇଥିଲା। ଗତ ଏକ ଦଶନ୍ଧି ହେବ ‘ପିଉ ରିସର୍ଚ ସେଣ୍ଟର୍’ ଏଭଳି ମତ ସଂଗ୍ରହ ପ୍ରକ୍ରିୟା ଚଳାଇ ଆସୁଛି।
Image Courtesy of The New York Times‘ପିଉ ରିସର୍ଚ ସେଣ୍ଟର୍’ କହିଛି, ଅଷ୍ଟ୍ରେଲିଆରେ ଚୀନ୍ ବିପକ୍ଷରେ ସବୁଠୁ ଅଧିକ ନକାରାତ୍ମକ ମତ ମିଳିଛି। ଏଥର ସେଠାରେ ୮୧% ଚୀନ୍ ବିରୋଧରେ ମତ ଦେଇଛନ୍ତି। ଗତ ବର୍ଷ ଅପେକ୍ଷା ଏ ବର୍ଷର ନକାରାତ୍ମକ ମତ ୨୪% ଅଧିକ।
ଇଂଲଣ୍ଡ୍ରେ ଏକ ତୃତୀୟାଂଶ ଚୀନ୍ ବିପକ୍ଷରେ ମତ ଦେଇଥିବାରୁ ଗତବର୍ଷ ତୁଳନାରେ ନକାରାତ୍ମକ ମତ ୧୯% ଅଧିକ ହୋଇଛି। ସେହିଭଳି ଡୋନାଲ୍ଡ୍ ଟ୍ରମ୍ପ୍ ରାଷ୍ଟ୍ରପତି ହେବା ପରଠାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଚୀନ୍ ବିପକ୍ଷ ମତ ପ୍ରାୟ ୨୦% ବୃଦ୍ଧି ପାଇଛି। କେବଳ ଗତ ବର୍ଷ ଚୀନ୍ ବିରୋଧୀ ମତ ୧୩ ପଏଣ୍ଟ୍ ବୃଦ୍ଧି ପାଇଛି।
ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ କୋଭିଡ୍-୧୯ ସଂକ୍ରମଣ ପରିଚାଳନା ଏବଂ ପରବର୍ତ୍ତୀ ସମୟରେ ଏହାର ବିସ୍ତାରକୁ କାରଣ କରି ଚୀନ୍ ବିରୋଧରେ ବିଶ୍ବବ୍ୟାପୀ ପ୍ରତିକୂଳ ମତ ବୃଦ୍ଧି ପାଇଛି। ୧୪ଟି ଦେଶରେ ଚୀନ୍ର କରୋନାଭାଇରସ୍ ନୀତି ଉପରେ କରାଯାଇଥିବା ପ୍ରଥମ ସର୍ଭେରେ ୬୧% କହୁଛନ୍ତି କି, ଚୀନ୍ ଭଲ କାମ କରିନାହିଁ। ୭୮% କହିଛନ୍ତି ଯେ, ବିଶ୍ବ ବ୍ୟାପାରରେ ସି ଜିନ୍ପିଙ୍ଗ୍ଙ୍କ ଉପରେ ସେମାନଙ୍କର ଭରସା ନାହିଁ। ଏହା ବ୍ୟତିରେକେ, ଜିଙ୍ଗ୍ପିନ୍ଙ୍କ ଜନପ୍ରିୟତା ମଧ୍ୟ ଖୁବ୍ ହ୍ରାସ ପାଇଥିବା କଥା ଏହି ସେର୍ଭରୁ ଜଣାପଡ଼ିଛି।
Follow Us