ବିଶ୍ବର ପ୍ରଥମ ୩ଡି-ପ୍ରିଣ୍ଟେଡ୍ ରକେଟ୍ ଉତ୍‌କ୍ଷେପଣ ପୁଣି ବାତିଲ

Advertisment
ବିଶ୍ବର ପ୍ରଥମ ୩ଡି-ପ୍ରିଣ୍ଟେଡ୍ ରକେଟ୍ ଉତ୍‌କ୍ଷେପଣ ପୁଣି ବାତିଲ

HT Tech

କାଲିଫର୍ଣ୍ଣିଆ: ବିଶ୍ବର ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରକେଟ୍‌ ଉତ୍‌କ୍ଷେପଣ ଶନିବାର ଶେଷ ମୁହୂର୍ତ୍ତରେ ବାତିଲ ହୋଇଯାଇଛି। କାଲିଫର୍ଣ୍ଣିଆର ଏରୋସ୍ପେସ୍ ଷ୍ଟାର୍ଟଅପ୍ ରିଲେଟିଭିଟି ସ୍ପେସ୍ ଦ୍ବାରା ନିର୍ମିତ ମାନବରହିତ ଟେରାନ ୧ ରକେଟ୍‌ର ଇଂଜିନ ଚାଲୁ ହୋଇଯାଇଥିଲା। ମାତ୍ର ଉତ୍‌କ୍ଷେପଣ ଆରମ୍ଭ ହେବାର କେଇ ସେକେଣ୍ଡ ପୂର୍ବରୁ ଏକ ‘ଅଟୋମେସନ’ ସମସ୍ୟା ଦୃଷ୍ଟିଗୋଚର ହେବାରୁ ଏହାକୁ ବାତିଲ କରିଦିଆଯାଇଥିଲା।
ସପ୍ତାହକରୁ କମ୍ ସମୟ ଭିତରେ ଦ୍ବିତୀୟ ଥର ପାଇଁ ଏପରି ଘଟଣା ଘଟିଥିଲା। ଏହାର କିଛି ସମୟ ପରେ ପୁଣିଥରେ ଫ୍ଲୋରିଡ଼ାର କେପ୍ କାନାଭେରାଲରୁ ଉତ୍‌କ୍ଷେପଣ ଆରମ୍ଭ କରାଯାଇଥିଲା। କିନ୍ତୁ ପ୍ରେସର ସମସ୍ୟା ଦେଖାଯିବାରୁ ପୁନଶ୍ଚ ଏହାକୁ ବାତିଲ କରାଯାଇଥିବା କମ୍ପାନି ପକ୍ଷରୁ ଟ୍ବିଟ୍ କରାଯାଇଛି। ଏହାର ପରବର୍ତ୍ତୀ ଉତ୍‌କ୍ଷେପଣ ତାରିଖ ଘୋଷଣା କରାଯିବ ଏବଂ ତାଙ୍କ ଟିମ୍ ନିଶ୍ଚିତ ସଫଳ ହେବ ବୋଲି ରିଲେଟିଭିଟି ପକ୍ଷରୁ କୁହାଯାଇଛି।

ଥରେ ସଫଳଭାବେ ଉତ୍‌କ୍ଷେପିତ ହେବା ପରେ ଟେରାନ ୧ ପୃଥିବୀର ନିମ୍ନ କକ୍ଷପଥରେ ୮ ମିନିଟ୍‌ରେ ପହଞ୍ଚିଯିବ ଏବଂ ତଥ୍ୟ ସଂଗ୍ରହ କରିବାରେ ନିୟୋଜିତ ହେବ। ଏହା ହେବ ବିଶ୍ବର ପ୍ରଥମ ୩ଡି-ପ୍ରିଣ୍ଟେଡ୍ ରକେଟ୍। ଏହା ମଧ୍ୟ ହେବ ମିଥେନ ଇନ୍ଧନରେ ପରିଚାଳିତ ବିଶ୍ବର ପ୍ରଥମ ଘରୋଇ ଯାନ। ପ୍ରଥମ ଥର ଟେରାନ ୧ରେ କୌଣସି ଓଜନବିଶିଷ୍ଟ ସାମଗ୍ରୀ ରହିବ ନାହିଁ ମାତ୍ର ପରେ ଏଥିରେ ୧୨୫୦ କିଲୋଗ୍ରାମ ପର୍ଯ୍ୟନ୍ତ ସାମଗ୍ରୀ ରହିପାରିବ। ବିଶ୍ବର ବୃହତ୍ତମ ୩ଡି ପ୍ରିଣ୍ଟର ସାହାଯ୍ୟରେ ଏହି ରକେଟ୍‌ର ଇଂଜିନ ସମେତ ୮୫ ପ୍ରତିଶତ ମିଶ୍ରଧାତୁ ଦ୍ବାରା ୩ଡି-ପ୍ରିଣ୍ଟେଡ୍ ହୋଇଛି। ୬୦ ଦିନରେ ଏହି ରକେଟ୍ ନିର୍ମିତ ହୋଇଥିବା ରିଲେଟିଭିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe