କରୋନା ବିଜୟୀଙ୍କୁ ନେଇ କୋଲକାତାରେ ୧୬ କଲ୍‌ ସେଣ୍ଟର

Advertisment
କରୋନା ବିଜୟୀଙ୍କୁ ନେଇ କୋଲକାତାରେ ୧୬ କଲ୍‌ ସେଣ୍ଟର

The News Minute ( Representationl)

କୋଲକାତା,: କରୋନାରେ ସଂକ୍ରମିତଙ୍କ ସୁବିଧା ପାଇଁ କୋଲକାତା ନଗର ନିଗମ (କେଏମ୍‌ସି) ଅଭିନବ ପଦକ୍ଷେପ ଗ୍ରହଣ କରିଛି। କେଏମ୍‌ସି ଅଧୀନରେ ଥିବା ୧୬ଟି ୱାର୍ଡରେ ସେମାନଙ୍କ ପାଇଁ କଲ୍‌ ସେଣ୍ଟର ଖୋଲା ଯାଇଛି। ଏହିସବୁ କଲ୍‌ ସେଣ୍ଟରଗୁଡ଼ିକରେ କେବଳ କରୋନାରେ ସଂକ୍ରମିତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଲୋକମାନଙ୍କୁ ନିଯୁକ୍ତି ଦିଆଯାଇଛି। କରୋନାରେ ଆକ୍ରାନ୍ତ ହୁଅନ୍ତୁ ବା ସଂକ୍ରମିତ ହେବାର ଆଶଙ୍କା ଥିବା ବ୍ୟକ୍ତିମାନେ ଏହି କଲ୍‌ ସେଣ୍ଟରକୁ ଫୋନ୍‌ କଲେ ଏଠାରେ ନିଯୁକ୍ତ କରୋନାକୁ ମାତ୍‌ ଦେଇଥିବା ବ୍ୟକ୍ତିମାନେ ନିଜର ଅନୁଭୂତି ବାଣ୍ଟିବା ସହ ପରାମର୍ଶ ଦେବେ। ଆବଶ୍ୟକ ହେଲେ ସେମାନେ ମଟର ସାଇକଲରେ କରୋନା ଆକ୍ରାନ୍ତଙ୍କୁ ଘରକୁ ଯାଇ ସେମାନଙ୍କର ପ୍ରାଥମିକ ଚିକିତ୍ସା ମଧ୍ୟ କରିବେ। ଏହି କାମ କରିବା ପାଇଁ ସେମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଛି। ଯଦି କୌଣସି କରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନା ନେବାକୁ ହୁଏ ତେବେ ସେ ବ୍ୟବସ୍ଥା ମଧ୍ୟ ସେମାନେ କରିବେ। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଲେ ସେମାନେ ରୋଗୀକୁ ନିଜ ମଟର ସାଇକଲରେ ନେଇ ଡାକ୍ତରଖାନା‌ରେ ପହଞ୍ଚା‌ଇବେ।

ସୂଚନାଯୋଗ୍ୟ, କରୋନା ସହ ଲଢ଼େଇ କରିଥିବା ଆକ୍ରାନ୍ତଙ୍କ ଶରୀରରେ ରୋଗ ପ୍ରତିରୋଧକ ଆଣ୍ଟିବଡି ତିଆରି ହୋଇସାରିଛି। ଫଳରେ ସେମାନେ କରୋନା ଆକ୍ରାନ୍ତଙ୍କ ପାଖକୁ ଗଲେ ପୁନର୍ବାର ଆକ୍ରାନ୍ତ ହେବାର ସମ୍ଭାବନା ନାହିଁ। ତେଣୁ କେଏମ୍‌ସି ଏହାକୁ ଗୁରୁତ୍ବ ଦେବା ସହ କରୋନାକୁ ମାତ୍‌ ମାରିଥିବା ବ୍ୟକ୍ତିମାନଙ୍କୁ ଏହି କାମରେ ନି‌ୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବାରୁ ଏହା ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe