Zee News
ନୂଆଦିଲ୍ଲୀ: ମହାମାରୀ କରୋନାରେ କେବଳ ଦିଲ୍ଲୀରେ ୭୯୧ ଜଣ ମହିଳା ବିଧବା ହୋଇଛନ୍ତି। କେନ୍ଦ୍ର ମହିଳା କମିସନ୍ଙ୍କ ପକ୍ଷରୁ କରାଯାଇଥିବା ସୋସିଆଲ ସର୍ଭେରୁ ଏହା ଜଣାପଡ଼ିଛି। ଦିଲ୍ଲୀ ସରକାରଙ୍କୁ ଏହି ରିପୋର୍ଟ ପ୍ରଦାନ କରି ସେମାନଙ୍କୁ ଥଇଥାନ କରିବା ପାଇଁ କମିସନ୍ ପକ୍ଷରୁ ଅନୁରୋଧ କରାଯାଇଛି। ପତିଙ୍କୁ ହରାଇଥିବା ଏହି ମହିଳାମାନେ ଥଇଥାନ ମାଧ୍ୟମରେ ସରକାରଙ୍କୁ କିଭଳି ସହଯୋଗ କରିପାରିବେ ସର୍ଭେ ରିପୋର୍ଟରେ ତାହା ମଧ୍ୟ ଉଲ୍ଲେଖ ରହିଛି। କେନ୍ଦ୍ର ମହିଳା କମିସନ୍ର ମହିଳା ପଞ୍ଚାୟତ ଟିମ୍ ଘରକୁ ଘର ବୁଲି କୋଭିଡ୍ରେ ସ୍ବାମୀଙ୍କୁ ହରାଇଥିବା ମହିଳାମାନଙ୍କ ସ୍ଥିତି ସମ୍ପର୍କରେ ସର୍ଭେ କରିଥିଲେ।
ସର୍ଭେ ରିପୋର୍ଟରୁ ଜଣାପଡ଼ିଛି, କରୋନା ଯୋଗୁଁ ବିଧବା ହୋଇଥିବା ୭୯୧ ମହିଳାଙ୍କ ମଧ୍ୟରୁ ୭୨୧ ଜଣ ଗୃହିଣୀ ହୋଇଥିବାବେଳେ ଅବଶିଷ୍ଟ ଘରୋଇ ସହାୟିକା, ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ ଏବଂ ବେସରକାରୀ କର୍ମଚାରୀ। ଅଧିକାଂଶଙ୍କର ୫ଟି ପିଲା ଅଛନ୍ତି। ସେମାନଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ। ତେଣୁ ସେମାନଙ୍କୁ ଥଇଥାନ କରିବା ପାଇଁ ଦିଲ୍ଲୀ ସରକାର ଯୋଜନା କରନ୍ତୁ ବୋଲି କମିସନ୍ କହିଛି। ଅନ୍ୟପକ୍ଷରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କୋଭିଡ୍-୧୯ ପରିବାର ଆର୍ଥିକ ସହାୟତା ଯୋଜନା’ ଘୋଷଣା କରାଯାଇଛି। ଏହି ଯୋଜନାରେ କୋରାନାରେ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଆଥିର୍କ ସହାୟତା ଦିଆଯିବା ସହ ମୃତକ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ ତାଙ୍କ ପରିବାର ସଦସ୍ୟଙ୍କୁ ମାସିକ ୨,୫୦୦ ଟଙ୍କା ପେନ୍ସନ୍ ମିଳିବ।
Follow Us