Image Courtesy: Financial Express
ନୂଆଦିଲ୍ଲୀ: ଦେଶରେ ଆଜି ୪,୫୧୮ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଲଗାତାର ଦ୍ବିତୀୟ ଦିନରେ ଦେଶରେ ଦୈନିକ ସଂକ୍ରମଣ ଆଜି ୪ ହଜାର ଉପରେ ରହିଛି। ଗତକାଲି ଦୈନିକ ସଂକ୍ରମଣ ୪,୨୭୦ ଥିଲା। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୩୧,୮୧,୩୩୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୯ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୨୪,୭୦୧ ଛୁଇଁଛି। ଦେଶରେ ସକ୍ରିୟ ମାମଲା ଏବେ ୨୫,୭୮୨ ରହିଛି। ଗତ ୨୪ ଘଣ୍ଟାରେ ୨,୭୭୯ ଜଣ କରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪,୨୬,୩୦,୮୫୨କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୬ ପ୍ରତିଶତରେ ରହିଛି। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୮.୭୩ ପ୍ରତିଶତ, ଦୈନିକ ପଜିଟିଭ୍ ହାର ୧.୬୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୦.୯୧ ପ୍ରତିଶତ ଅଛି।
୫ ରାଜ୍ୟ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଏବଂ ଦିଲ୍ଲୀରେ ଅଚାନକ ସଂକ୍ରମଣ ବୃଦ୍ଧି ହୋଇଛି। ବିଶେଷ କରି କେରଳ ଏବଂ ମହାରାଷ୍ଟ୍ର ସଂକ୍ରମଣ ପାଇଁ ଦେଶରେ ସଂକ୍ରମଣ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରେ ଲଗାତାର ୪ ଦିନ ଧରି ଦୈନିକ ସଂକ୍ରମଣ ୧ ହଜାର ଉପରେ ରହିଛି। ଦେଶରେ ସାପ୍ତାହିକ ସଂକ୍ରମଣରେ ମଧ୍ୟ ଅଚାନକ ବୃଦ୍ଧି ହୋଇଛି । ରବିବାର ଶେଷ ହୋଇଥିବା ସପ୍ତାହରେ ଦେଶରେ ୨୫ ହଜାରରୁ ଅଧିକ ମାମଲା ରେକର୍ଡ କରାଯାଇଛି। ୩ ମାସରେ ଏହା ସର୍ବାଧିକ ସାପ୍ତାହିକ ସଂକ୍ରମଣ ଏବଂ ପୂର୍ବ ୭ ଦିନର ସଂକ୍ରମଣ ତୁଳନାରେ ଏହା ୪୫ ପ୍ରତିଶତ ଅଧିକ। ଦେଶରେ ମୋଟ୍ ସଂକ୍ରମଣ ମାମଲାର ୬୦ ପ୍ରତିଶତ କେବଳ କେରଳ ଏବଂ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି। ମେ’ ୩୦ରୁ ଜୁନ୍ ୫ ସପ୍ତାହ ମଧ୍ୟରେ ଦେଶରେ ୨୫,୩୦୦ ନୂଆ ମାମଲା ରେକର୍ଡ କରାଯାଇଛି। ତେବେ ଏହାର ପୂର୍ବ ସପ୍ତାହରେ ସଂକ୍ରମଣ ମାମଲା ୧୭,୩୬୧ ଥିଲା। ମାର୍ଚ୍ଚ ୭-୧୩ ସପ୍ତାହ ପରେ ପ୍ରଥମ ଥର ପାଇଁ ସଂକ୍ରମଣ ୨୫ ହଜାରରୁ ଅଧିକ ରହିଛି। କରୋନା ସଂକ୍ରମଣ ବଢ଼ିବାରୁ ପୁଣିଥରେ କଟକଣା କଡ଼ାକଡ଼ି ହେଲାଣି। ବେଙ୍ଗାଲୁରୁରେ ମାସ୍କ ବାଧ୍ୟତାମୂଳକ କରଯାଇଛି। ଦୈନିକ ଟେଷ୍ଟିଂ ବଢ଼ାଯାଇଛି। ବେଙ୍ଗାଲୁରୁରେ ଏବେ ଦୈନିକ ଟେଷ୍ଟିଂ ୧୬ ହଜାର ଥିବାବେଳେ ଆଗକୁ ଏହା ୨୦ ହଜାର ହେବ। ମୁମ୍ବାଇରେ ପୁଣି ଅନଲାଇନ୍ କ୍ଲାସ୍ ଆରମ୍ଭ ହୋଇଛି। ମୁମ୍ବାଇରେ ତୃତୀୟ ଥର ପାଇଁ ଅଫଲାଇନ୍ କ୍ଲାସ୍ ସ୍ଥଗିତ ରହିଥିବାରୁ ଶତାଧିକ ଅଭିଭାବକମାନେ ସ୍କୁଲ୍ ଫି ଫେରାଇବାପାଇଁ ଦାବି କରିଛନ୍ତି।
Follow Us