କୋଲକାତା: ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ତିନୋଟି ଟ୍ରେନ୍ ମଧ୍ୟରେ ଘଟିଥିବା ଦୁର୍ଘଟଣା ମାନବକୃତ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ତୃଣମୂଳ ନେତା କୁନାଲ ଘୋଷ ଏକ ଅଡ଼ିଓ କ୍ଲିପ୍ ସେୟାର କରିଛନ୍ତି, ଯାହାର ସତ୍ୟାସତ୍ୟ ସେ ପରୀକ୍ଷା କରିପାରି ନଥିବା କହିଛନ୍ତି। କୌଣସି ସୂତ୍ରରୁ ମିଳିଥିବା ଉକ୍ତ ଅଡ଼ିଓରେ ଦୁଇଜଣ ରେଳ ଅଧିକାରୀ ଦୁର୍ଘଟଣାର କାରଣ ବିଷୟରେ କଥା ହେଉଥିବାର ଶୁଣିବାକୁ ମିଳୁଛି। ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ୍ ଏକ ମାଲବାହୀ ଟ୍ରେନ୍ ଓ ବେଙ୍ଗାଲୁରୁ-ହାଓଡ଼ା ସୁପରଫାଷ୍ଟ ଟ୍ରେନ୍ ସହ ଧକ୍କା ହୋଇଥିଲା, ଯେଉଁଥିରେ ପ୍ରାୟ ୨୮୮ ଜଣ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଉକ୍ତ ଅଡ଼ିଓରେ ଜଣେ ରେଳ କର୍ମଚାରୀ ଆଉ ଜଣଙ୍କ ସହ କଥା ହେଉଛନ୍ତି, ଯିଏ ପରେ ଦକ୍ଷିଣପୂର୍ବ ରେଳପଥର ଡେପୁଟି ସିଏସ୍ଓ (ଟ୍ରାଫିକ୍) ଅଶୋକ ଅଗ୍ରୱାଲ ବୋଲି ନିଜର ପରିଚୟ ଦେଇଛନ୍ତି। ଅଗ୍ରୱାଲ କହୁଛନ୍ତି ପ୍ରମାଣକୁ ଭିତ୍ତିକରି ଯେଉଁ ପ୍ରାରମ୍ଭିକ ରିପୋର୍ଟ ମିଳିଛି, ସେଥିରୁ ସବୁକିଛି ସ୍ପଷ୍ଟ ହେଉନାହିଁ।
କୁନାଲ ଘୋଷ ଅଡ଼ିଓ ସେୟାର କରିବା ସହ ଲେଖିଛନ୍ତି- ‘ସିଗ୍ନାଲ ଥିଲା ମେନ୍ଲାଇନ୍ରେ, ପଏଣ୍ଟ ଥିଲା ଲୁପ୍ଲାଇନ୍ରେ। ରେଳ ବିଭାଗର ଦୁଇ ଅଧିକାରୀଙ୍କ କଥୋପକଥନ ଅଡ଼ିଓର ସତ୍ୟତା ଯାଞ୍ଚ କରାଯାଇ ନାହିଁ। ବିଷୟ ତଦନ୍ତସାପେକ୍ଷ। ବଡ଼ ଗୋଳମାଳ ଅଛି ରେଳ ଦୁର୍ଘଟଣା ପଛରେ।’ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରବିବାର କହିଛନ୍ତି ଯେ, ଦୁର୍ଘଟଣାର ମୂଳ କାରଣ ଧରାପଡ଼ିଛି ଏବଂ ଖୁବ୍ଶୀଘ୍ର ରିପୋର୍ଟ ପ୍ରକାଶ ପାଇବ। ତଦନ୍ତରୁ ଜଣାପଡ଼ିଛି ଯେ, ସିଗ୍ନାଲିଂ ତ୍ରୁଟି ଯୋଗୁ କରମଣ୍ଡଳ ଲୁପ୍ଲାଇନ୍ରେ ପ୍ରବେଶ କରିବା ପରେ ପ୍ରଥମେ ମାଲବାହୀ ସହ ଧକ୍କା ହୋଇଥିଲା। ମେନ୍ ଟ୍ରାକ୍ରେ ଯିବା ପାଇଁ କରମଣ୍ଡଳକୁ ପ୍ରଥମେ ସିଗ୍ନାଲ ଦିଆଯାଇ ପରେ ତାକୁ ଫେରାଇ ନିଆଯାଇଥିଲା। ଫଳରେ ଏହା ଦ୍ରୁତଗତିରେ ଲୁପ୍ଲାଇନ୍ରେ ପ୍ରବେଶ କରି ମାଲବାହୀକୁ ଧକ୍କା ଦେଇଥିଲା।
Follow Us