Image Courtesy of NDTV
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲେ ବି ଗତକାଲି ଠାରୁ ସ୍ଥିତି ଅଧିକ ଖରାପ ହୋଇ ନ ଥିବା କଥା ତାଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଶୁକ୍ରବାର ଦିନ ଟୁଇଟ୍ କରି ଜଣାଇଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆଲୋକ ପ୍ରତି ତାଙ୍କ ଆଖିର ପ୍ରତିକ୍ରିୟାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି।
ତାଙ୍କ ପରିବାର ସହ ଠିଆ ହୋଇଥିବା ସମସ୍ତଙ୍କ ପ୍ରତି ସେ କୃତଜ୍ଞତା ପ୍ରକାଶ କରି ସଭିଏଁ ପ୍ରାର୍ଥନା ଚାଲୁ ରଖିବାକୁ ସେ ଅନ୍ୟ ଏକ ଟୁଇଟ୍ରେ ଲେଖିଛନ୍ତି। ସେ ଲେଖିଛନ୍ତି, ପ୍ରାର୍ଥନାର ସମ୍ମିଳିତ ଶକ୍ତି ଉପରେ ତାଙ୍କର ଦୃଢ଼ ବିଶ୍ବାସ। ଏହି ଦୁଃସମୟରେ ଆମକୁ ସମର୍ଥନ କରୁଥିବା ସମସ୍ତଙ୍କ ପ୍ରତି ଗଭୀର କୃତଜ୍ଞତା। ପ୍ରାର୍ଥନା ଚାଲୁ ରଖିବାକୁ ଅନୁରୋଧ କରୁଛି। ଈଶ୍ବର ଆମ ସମସ୍ତଙ୍କର ମଙ୍ଗଳ କରନ୍ତୁ।
Image Courtesy of Military Wikiଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଗତ ରବିବାର ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ନୂଆ ଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପଡ଼ିବା ଯୋଗୁଁ ତାଙ୍କ ମସ୍ତିଷ୍କରେ ମୁଣ୍ଡା ବାନ୍ଧିଯାଇଥିବା ରକ୍ତ ଟେଳାଟିକୁ ବାହାର କରିବାକୁ ଜଟିଳ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଛି। ସେ କୋମା ଅବସ୍ଥାରେ ଥିଲେ ବି ତାଙ୍କ ଶରୀରର ତାପମାତ୍ରା, ରକ୍ତଚାପ, ହୃଦ୍ସ୍ପନ୍ଦନ ଓ ଶ୍ବାସପ୍ରଶ୍ବାସ ଧାରା ଠିକ୍ ଭାବେ ଚାଲିଥିବା କଥା ଗତକାଲି ଡାକ୍ତରଖାନାରୁ ପ୍ରକାଶିତ ବୁଲେଟିନ୍ରେ ଉଲ୍ଲେଖ କରାଯାଇଥିଲା।
Follow Us