representational immage- Old UP Excise
ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ତୃତୀୟ ପର୍ଯ୍ୟାଳୟ ଜେରା ପାଇଁ ହାଜର ହୋଇଛନ୍ତି। ଏହି ଅବସରରେ ସେ ବ୍ୟବହାର କରୁଥିବା ସମସ୍ତ ମୋବାଇଲ ଫୋନ୍ ଇଡି ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି।
ଇଡି କାର୍ଯ୍ୟାଳୟରେ ପ୍ରବେଶ କରିବା ସମୟରେ ୪୪ ବର୍ଷୀୟା ବିଆର୍ଏସ୍ ନେତ୍ରୀ ତାଙ୍କର ସମସ୍ତ ମୋବାଇଲ ଫୋନ୍ ଏକ ଜରି ବ୍ୟାଗ୍ ଭିତରେ ପୂରାଇ ସାମ୍ବାଦିକମାନଙ୍କ ଆଗରେ ହଲାଇଥିଲେ। ଫୋନ୍ ସହ ସେ ଇଡି ଅଧିକାରୀଙ୍କୁ ଲେଖିଥିବା ଏକ ଚିଠି ମଧ୍ୟ ଦାଖଲ କରିଥିଲେ।
ଚିଠିରେ କବିତା ଲେଖିଛନ୍ତି ଯେ, ଜଣେ ମହିଳାଙ୍କ ଫୋନ୍କୁ ଯାଞ୍ଚ କରିବା ଦ୍ବାରା ତାଙ୍କର ବ୍ୟକ୍ତିଗତ ଗୋପନୀୟତା ଅଧିକାର ନଷ୍ଟ ହେଉଥିଲେ ମଧ୍ୟ ସେଥିପ୍ରତି ଦୃକ୍ପାତ ନ କରି ସେ ଫୋନ୍ଗୁଡ଼ିକୁ ହସ୍ତାନ୍ତର କରୁଛନ୍ତି। କବିତା ପୁଣି ଲେଖିଛନ୍ତି ଯେ, ମାର୍ଚ୍ଚ ୨୦୨୩ରେ ଇଡି ତାଙ୍କୁ ଜେରା ପାଇଁ ପ୍ରଥମ କରି ଡାକିଲା। ତେଣୁ ନଭେମ୍ବର ୨୦୨୨ରେ ମଦ ଦୁର୍ନୀତି ଅଭିଯୋଗରେ ତାଙ୍କ ନାମ ଉଲ୍ଲେଖ କରାଯିବା ନିଶ୍ଚୟ ମନ୍ଦ ଉଦ୍ଦେଶ୍ୟ-ପ୍ରଣୋଦିତ ବୋଲି ସେ ବିଶ୍ବାସ କରୁଛନ୍ତି। ରାଜନୈତିକ ଆକ୍ରୋଶ ରଖି ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଇଛି ବୋଲି କବିତା ଦାବି କରିଛନ୍ତି।
ମାର୍ଚ୍ଚ ୧୧ ଓ ୨୦ରେ ଇଡିର ଦିଲ୍ଲୀ କାର୍ଯ୍ୟାଳୟରେ କବିତାଙ୍କୁ ୧୮-୧୯ ଘଣ୍ଟା ଜେରା କରାଯାଇଥିଲା। ସୋମବାର ଜେରା ପରେ ଓ ବୟାନ ରେକର୍ଡ ପରେ କବିତା ଇଡି କାର୍ଯ୍ୟାଳୟରୁ ରାତ୍ରି ୯ଟା ୧୫ରେ ବାହାରିଥିଲେ। ତାଙ୍କୁ ପ୍ରାୟ ଏକ ଡଜନ ପ୍ରଶ୍ନ ପଚରାଯାଇଥିଲା। ତାଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଇଡି ହାଜତରେ ଥିବା ହାଇଦ୍ରାବାଦୀ ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ୍ ପିଲାଇଙ୍କ ସହ ମୁହାଁମୁହିଁ କରାଯାଇଥିଲା।
Follow Us