ମୃତ୍ୟୁକୁ ୧୩ଦିନ ବିତିଥିଲେ ବି ୟୁକ୍ରେନରୁ ଆସିପାରିନି ଛାତ୍ର ନବୀନଙ୍କ ଶବ, ପ୍ରଧାନମନ୍ତ୍ରୀ ଦେଲେ ଏଭଳି ନିର୍ଦ୍ଦେଶ

Advertisment
ମୃତ୍ୟୁକୁ ୧୩ଦିନ ବିତିଥିଲେ ବି ୟୁକ୍ରେନରୁ ଆସିପାରିନି ଛାତ୍ର ନବୀନଙ୍କ ଶବ, ପ୍ରଧାନମନ୍ତ୍ରୀ ଦେଲେ ଏଭଳି ନିର୍ଦ୍ଦେଶ

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ବୈଶ୍ବିକ ପରିସ୍ଥିତିରେ ଭାରତର ନିରାପତ୍ତା ପ୍ରସ୍ତୁତି ସମୀକ୍ଷା କରିବା ଲାଗି ଆଜି ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ବେଳେ ୟୁକ୍ରେନରେ ମୃତ୍ୟୁବରଣ କରିଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହକୁ ତୁରନ୍ତ ଭାରତ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ୟୁକ୍ରେନର ବର୍ତ୍ତମାନର ସ୍ଥିତି ବିଷୟରେ ସୂଚନା ଦିଆଯିବା ସହ ଅପରେସନ ଗଙ୍ଗାର ସ୍ଥିତି ବିଷୟରେ କୁହାଯାଇଥିଲା। ଏହା ସହ ୟୁକ୍ରେନ‌ରୁ ଫେରିଥିବା ଭାରତୀୟ ଏବଂ ଅନ୍ୟ ଦେଶର ନାଗରିକଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ ବୋଲି ଜଣାପଡ଼ିଛି।

ଉକ୍ତ ବୈଠକରେ ଯୋଗ ଦେଇଥିବା ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗ୍‌ଲା ଏବଂ  ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଭାରତରୁ ଯାଇ ୟୁକ୍ରେନ୍‌ରେ ଡାକ୍ତରୀ ପଢୁଥିବା ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୌଡ଼ା ଯୁଦ୍ଧ ସମୟରେ ଖାର୍କିଭ୍‌ ସହରର ବଙ୍କର୍‌ ଭିତରୁ ବାହାରକୁ ଯାଇ ପ୍ରାଣ ହରାଇଥିଲେ। କୁହାଯାଇଥିଲା ଯେ, କିଛି ସାମଗ୍ରୀ ଖରିଦ କରିବା ପାଇଁ ନବୀନ ବଙ୍କର୍‌ ବାହାରକୁ ଯାଇଥିଲେ। ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ଥିଲା। କର୍ଫ୍ୟୁ ହଟିବାରୁ ସକାଳ ୬ଟା ପରେ ସେ ସାମଗ୍ରୀ ଖରିଦ ପାଇଁ ବାହାରକୁ ଯାଇଥିଲା। ଏସମୟରେ ରୁଷର ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁକୁ ୧୩ଦିନ ‌ହୋଇସାରିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ମୃତଦେହ ଭାରତ ଫେରିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe