Kheltak
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଟିମ୍ ଇଣ୍ଡିଆ ବ୍ରିସବେନ୍ ଟେଷ୍ଟରେ ଜିତି ଆଜି ଐତିହାସିକ ବିଜୟ ହାସଲ କରିବା ପରେ ତମାମ୍ ଦେଶରେ ଖୁସିର ଲହରୀ ଖେଳିଯାଇଛି। ଉଭୟ କ୍ରିକେଟ ପ୍ରେମୀ ଓ କ୍ରିକେଟିଅରମାନେ ଟିମ୍ ଇଣ୍ଡିଆର ଏହି ଐତିହାସିକ ବିଜୟକୁ ନେଇ ନିଜ ନିଜର ଅନ୍ଦାଜରେ ଖୁସି ଜାହିର କରିଛନ୍ତି।
ଏହି କ୍ରମରେ ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ବିରେନ୍ଦର ସେହୱାଗ ସୋସିଆଲ ମିଡିଆରେ ଟିମ୍ ଇଣ୍ଡିଆର ଯେଉଁ ପ୍ରଶଂସା କରିଛନ୍ତି ତାକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ନିଜ ଖୁସି ଜାହିର କରିବାକୁ ଯାଇ କ୍ରିକେଟିଅର ସେହଓ୍ଵାଗ ନିଜ ଟୁଇଟର ହାଣ୍ଡେଲରେ ଲେଖିଛନ୍ତି, ‘ଖୁସିରେ ମୁଁ ପାଗଳ ହୋଇଯାଇଛି। ଇଏ ହେଉଛି ନୂଆ ଭାରତ। ଘରେ ପଶି ମାରେ... (ଖୁସି କେ ମାରେ ପାଗଲ୍। ଐ ହୈ ନୟା ଭାରତ। ଘର ମେଁ ଘୁସ୍କର ମାର୍ତା ହୈ’... ବୋଲି ସେ ଲେଖିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଆମେ ବିଶ୍ୱକପ ଜିତିଛି କିନ୍ତୁ ଏହା ସ୍ୱତନ୍ତ୍ର’।
ଉଲ୍ଲେଖଯୋଗ୍ୟ, ଆଜି ଅଷ୍ଟ୍ରେଲିଆକୁ ତା’ର ନିଜ ମାଟିରେ ମାତ୍ ଦେଇ ଭାରତ ଐତିହାସିକ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆ ବ୍ରିସବେନ୍ ବିଜୟ ସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ହାତେଇ ନେଇଛି। ଏଥିସହ ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜେୟ ରେକର୍ଡରେ ମଧ୍ୟ ଭାରତ ବ୍ରେକ୍ ଲଗାଇଛି।
Follow Us