ବେଙ୍ଗାଲୁରୁ: ଅଳ୍ପକେ ବଞ୍ଚିଲା ଜୀବନ। କାନ ପାଖ ଦେଇ ଚାଲିଗଲା ଆତଙ୍କବାଦୀଙ୍କ ବନ୍ଧୁକରୁ ବାହାରିଥିବା ଗୁଳି। ଭଗବାନଙ୍କ ଆଶୀର୍ବାଦରୁ ବଞ୍ଚିଗଲୁ। ଏଭଳି କହିଛନ୍ତି କର୍ଣ୍ଣାଟକର ହେଗଡେ ପରିବାର। ପ୍ରଦୀପ ହେଗଡେ, ତାଙ୍କ ପତ୍ନୀ ଶୁଭ ହେଗଡେ ଏବଂ ତାଙ୍କ ପୁଅ ସିଦ୍ଧାନ୍ତ ଏପ୍ରିଲ ୨୧ତାରିଖରେ ଶ୍ରୀନଗରରେ ପହଞ୍ଚିଥିଲେ ଏବଂ ପରଦିନ ସକାଳେ ପହଲଗାମ ଅଭିମୁଖେ ଯାତ୍ରା କରିଥିଲେ। ପ୍ରଥମେ ସେମାନଙ୍କୁ ବୈସରନ ଯିବର ଥିଲା, ଯାହାକୁ 'ମିନି ସ୍ୱିଜରଲ୍ୟାଣ୍ଡ' ବୋଲି କୁହାଯାଏ।
ପ୍ରଦୀପ କହିଛନ୍ତି, "ଆମେ ବୈସରନ ଯିବା ପାଇଁ ତିନୋଟି ଘୋଡା ଭଡା କରିଥିଲୁ। ରାସ୍ତାଟି ବହୁତ ଖରାପ ଥିଲା। ବର୍ଷା ହୋଇଥିବାରୁ ରାସ୍ତାରେ ବହୁତ କାଦୁଅ ଭରିଯିବା ସହ ଗୋଡ଼ ଖସୁଥିଲା । ଶୀର୍ଷରେ ପହଞ୍ଚିବାକୁ ଆମକୁ ୧ଘଣ୍ଟା ୧୫ମିନିଟ୍ ଲାଗିଥିଲା। ଯେତେବେଳେ ଆମେ ଭିତରକୁ ଗଲୁ, ସେଠାରେ ବହୁତ ଭିଡ଼ ଥିଲା। ଭିତରକୁ ଯିବା ପରେ ଡାହାଣ ପଟେ ଜିପ୍ଲାଇନ୍ ଥିଲା। ସେଠାରେ ଲୋକେ କମ୍ ଥିବାରୁ ଆମେ ସେଠାରେ ଫଟୋ ଉଠାଇବୁ ବୋଲି ଭାବିଲୁ। ଫଟୋ ଉଠାଇ ସାରିବା ପରେ ଆମେ ଉପତ୍ୟାକାର ମଝିକୁ ଯାଇ ସେଠାରେ ବସିବାକୁ ଚିନ୍ତା କରିଥିଲୁ। ଏତିକି ବେଳେ ଆମେ ପୁଅ ଖାଇବାକୁ ଜିଦ୍ ଧରିଲା। ସେଥିପାଇଁ ଆମେ ମ୍ୟାଗି ଷ୍ଟଲ୍ ପାଖକୁ ଯାଇ ମ୍ୟାଗି ଅର୍ଡର କଲୁ। ମ୍ୟାଗି ଖାଇ ସାରି ଚା’ ଅର୍ଡର କରିବା ପରେ ଗୁଳି ଫୁଟିବା ଆରମ୍ଭ ହୋଇଥିଲା। ପ୍ରଥମେ ଆମକୁ ଲାଗିଲା ବାଣ ଫୁଟାଯାଉଛି। କିନ୍ତୁ ପଛକୁ ବୁଲିବା ପରେ ଜଣେ ବନ୍ଧୁକଧାରୀ ଆତଙ୍କବାଦୀ ଆମ ଆଡକୁ ମାଡ଼ିଆସୁଥିବା ଦେଖିଲୁ। ଏହା ଦେଖି ଆମେ ସମସ୍ତେ ତଳେ ଶୋଇପଡ଼ିଲୁ।"
ସେ ଆହୁରି କହିଛନ୍ତି, "ଟେବୁଲ ଉପରେ ଜରୁରୀ କାଗଜପତ୍ର ରଖାଯାଇଥିବା ବ୍ୟାଗ୍ ଥିବାରୁ ଶୁଭ ଉଠିପଡ଼ି ବ୍ୟାଗ୍ ଆଣିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କ କାନ ପାଖ ଦେଇ କିଛି ଯିବାର ସେ ଅନୁଭବ କଲେ। ପରେ ସେ ଜାଣି ପାରିଲେ ଯେ, ତାହା ଗୁଳି ଥିଲା। ଆମେ ଭୟଭୀତ ହେବୁ ବୋଲି ଶୁଭ ଆମକୁ ଜଣାଇ ନଥିଲେ। ଏତିକି ବେଳେ କେହି ଜଣେ ଆମକୁ ମୁଖ୍ୟ ଦ୍ବାର ଆଡକୁ ଦୌଡ଼ି ଆସ ବୋଲି କହିଥିଲେ। ଆମକୁ ଲାଗିଲା ଆମେ ଆଉ ବଞ୍ଚିବୁନି। ହେଲେ କିଛି ହେବନି କହି ମୋ ପତ୍ନୀ ଆାମ ମେନୋବଳ ବଢ଼ାଇଥିଲେ। ଆମେ ମୁଖ୍ୟ ଦ୍ବାର ଦେଇ ବାହାରକୁ ଆସିବା ପରେ ପ୍ରାୟ ୨-୩କିଲୋମିଟର ଆମେ ଦୌଡ଼ିଥିଲୁ। ଏହା ପରେ ଆମକୁ ତଳକୁ ଆସିବା ପାଇଁ ଘୋଡା ମିଳିଥିଲା।"
Follow Us