ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନ ତୀବ୍ର ହେବାରେ ଲାଗିଛି । ସବୁ ଦଳର ନେତା ସକ୍ରିୟ ଭାବେ ଜନସାଧାରଣଙ୍କ ଠାରୁ ଭୋଟ ମାଗୁଛନ୍ତି। ସେପଟେ ଉତ୍ତରାଖଣ୍ଡର ଜ୍ୟୋତିଷ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ମହାରାଷ୍ଟ୍ରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ସମର୍ଥନ ଘୋଷଣା କରିଛନ୍ତି । ଅବିମୁକ୍ତେଶ୍ବରାନନ୍ଦଜୀ ଅଧିକାଂଶ ସମୟରେ ବିଜେପି ଓ ମୋଦୀ ସରକାର ବିରୋଧରେ ବୟାନ ଦେଉଥିବାବେଳେ ଏଥର ସେ ମହାଯୁତିକୁ ସମର୍ଥନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କହିଛନ୍ତି ଯେ ସିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାର ଗାଈକୁ 'ରାଜ୍ୟ ମାତା'ର ମାନ୍ୟତା ଦେଇଛନ୍ତି, ଯାହା ଛତ୍ରପତି ଶିବାଜୀ ମହାରାଜଙ୍କ ଭଳି କାର୍ଯ୍ୟ। ବର୍ତ୍ତମାନର ସରକାରକୁ ପୁଣି ଥରେ କ୍ଷମତାରେ ରଖାଯିବା ଦରକାର। ସେ ଆହୁରି ମଧ୍ୟ କହିଛନ୍ତି ଯେ ସିଏ ନିଜେ କୌଣସି ରାଜନୈତିକ ଦଳ ସହ ସଂପର୍କ ରଖନ୍ତି ନାହିଁ, କିନ୍ତୁ ଯିଏ ହିନ୍ଦୁ ସଭ୍ୟତା ପାଇଁ କାର୍ଯ୍ୟକରିବ ତାକୁ ସେ ସମର୍ଥନ ଦେବେ ।
ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ଅବିମୁକ୍ତେଶ୍ୱରାନନ୍ଦ ଶିବସେନା ସଭାପତି ଉଦ୍ଧବ ଠାକରେଙ୍କୁ ପ୍ରଶଂସା କରିଥିଲେ। ଶଙ୍କରାଚାର୍ଯ୍ୟ ମଧ୍ୟ ଉଦ୍ଧବ ଠାକରେଙ୍କ ବାସଭବନ (ମାତୋଶ୍ରୀ)କୁ ଯାଇଥିଲେ। ସେତେବେଳେ ଶଙ୍କରାଚାର୍ଯ୍ୟ କହିଥିଲେ, ଉଦ୍ଧବ ଠାକରେଙ୍କ ସହ ବିଶ୍ୱାସଘାତକତା ହୋଇଛି ଏବଂ ଅନେକ ଲୋକ ଏଥିରେ ଦୁଃଖିତ। ଆଜି ତାଙ୍କ ଅନୁରୋଧକ୍ରମେ ମୁଁ ତାଙ୍କୁ ଭେଟି କହିଥିଲି ଯେ ଯେପର୍ଯ୍ୟନ୍ତ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ସେ ପର୍ଯ୍ୟନ୍ତ ଲୋକଙ୍କ ଯନ୍ତ୍ରଣା କମିବ ନାହିଁ।
Follow Us