ମୋ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଲୋକେ ଧରାଶାୟୀ ହେବେ: ପ୍ରଧାନମନ୍ତ୍ରୀ ମୋଦି

Advertisment
ମୋ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଲୋକେ ଧରାଶାୟୀ ହେବେ: ପ୍ରଧାନମନ୍ତ୍ରୀ ମୋଦି

Photo Courtesy of TOI

ବଡ଼ନଗର/ଭାରୁଚ: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯେଉଁମାନେ ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି, ସେମାନେ ଧରାଶାୟୀ ହେବେ। ଏଥିସହ ସେ ବିଗତ ଉପା ସରକାରକୁ ବିକାଶ ବିରୋଧୀ ଏବଂ ସମୁଚ୍ଚିତ ନୀତି ନିଷ୍ପତ୍ତି ନେବାକୁ ଅସମର୍ଥ ବୋଲି କହିଛନ୍ତି।

ମେ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ଆପଣା ଜନ୍ମିତ ସହର ବଡ଼ନଗରକୁ ପ୍ରଥମ ଥର ଗସ୍ତ କରି ମୋଦି ଶିବଙ୍କୁ ଉପାସନା କରି ବିରୋଧୀମାନଙ୍କୁ ସମାଲୋଚନା କରି କହିଥିଲେ, ୨୦୦୧ରୁ ମୋ ବିରୋଧରେ ବିଷୋଦ୍‌ଗାର କରୁଥିବା ଲୋକଙ୍କୁ ମୁକାବିଲା କରିବାକୁ ଭୋଳା ବାବାଙ୍କ ଆଶୀର୍ବାଦ ମୋତେ ସାମର୍ଥ୍ୟ ଦେଇଛି।

ବଡ଼ନଗର ଠାରେ ଥିବା ସୁପ୍ରାଚୀନ ହଟକେଶ୍ୱର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରି ମୋଦି କହିଲେ, ବିଷ ଖାଇ ହଜମ କରିବାକୁ ଭୋଳା ବାବାଙ୍କ ଆଶୀର୍ବାଦ ମୋତେ ସାମର୍ଥ୍ୟ ଦେଇଛି। ଫଳତଃ, ୨୦୦୧ ଠାରୁ ମୋ ବିରୋଧରେ ବିଷ ଉଦ୍‌ଗାରୁଛନ୍ତି ମୁଁ ସେମାନଙ୍କ ସହ ମୁକାବିଲା କରିବାକୁ ସମର୍ଥ ହୋଇ ପାରୁଛି। ଏହି ସାମର୍ଥ୍ୟ ମୋତେ ଏତେ ଗୁଡ଼ାଏ ବର୍ଷ ଧରି ଉତ୍ସର୍ଗୀକୃତ ଭାବେ ମାତୃଭୂମିର ସେବା କରିବା ନିମନ୍ତେ ଶକ୍ତି ଦେଇଛି।

ମୁଁ ମୋଦି। ଗାନ୍ଧୀ ଏବଂ ସର୍ଦାର୍‌ (ବଲ୍ଲଭଭାଇ ପଟେଲ)ଙ୍କ ଦେଶରେ ମୋର ଉତ୍ଥାନ ହୋଇଛି। ତେଣୁ, କେତେ ଚୋର ଆସିଲେ ଗଲେ କିଛି ଯାଏ ଆସେ ନାହିଁ, ଶେଷରେ ସତ୍ୟ ଏବଂ ସାଧୁତା ବିଜୟୀ ହେବ ବୋଲି ସେ ଚେତାଇ ଦେଇଛନ୍ତି।

ତାଙ୍କର ଅଧଘଣ୍ଟିଆ ଭାଷଣରେ ମୋଦି କଂଗ୍ରେସର ନାମ ଧରି ନ ଥିଲେ, କିନ୍ତୁ ଚୁମ୍ବକେ କହିଥିଲେ କେନ୍ଦ୍ରରେ ସେ ଦଳ ଚଳାଇଥିବା ଶାସନ ଥିଲା ବିକାଶ ବିରୋଧୀ। ପୂର୍ବରୁ ଦେଶ କେମିତ ଶାସନ କରାଯାଉଥିଲା ଆପଣମାନେ ଜାଣି ଆଚମ୍ବିତ ହେବେ। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହେବା ପରେ ହିଁ ଏକ ସୁସ୍ଥ ନୀତି ଗଠନ କରାଯାଇଥିଲା ବୋଲି ମୋଦି କହିଛନ୍ତି।

କିନ୍ତୁ, ବିକାଶ ଚିନ୍ତାଧାରା ନ ଥାଇ ପରବର୍ତ୍ତୀ ସରକାର ୧୦ ବର୍ଷ ଶାସନ କଲା। ଜନଗଣଙ୍କ ମଙ୍ଗଳ ପ୍ରତି ସେ ସରକାର ସ୍ପର୍ଶକାତର ନ ଥିଲା। କିନ୍ତୁ, ଏବେ ଆମେ ଏକ ନୂତନ ସ୍ୱାସ୍ଥ୍ୟ ନୀତି ଧରି ଉଭା ହୋଇଛୁ ବୋଲି ‘ଇଣ୍ଟେନ୍‌ସିଫାଏଡ୍‌ ମିସନ୍‌ ଇନ୍ଦ୍ରଧନୁଶ’ର ଶୁଭାରମ୍ଭ କରି ମୋଦି କହିଲେ। ସମ୍ପୂର୍ଣ୍ଣ ଟିକାକରଣ ଯୋଜନାକୁ ତ୍ୱରାନ୍ଵିତ କରିବା ପାଇଁ ‘ଇଣ୍ଟେନ୍‌ସିଫାଏଡ୍‌ ମିସନ୍‌ ଇନ୍ଦ୍ରଧନୁଶ’ ଆରମ୍ଭ କରାଯାଇଛି।

ରବିବାର ଦିନ ଦୀର୍ଘ ସାତ ବର୍ଷ ପରେ ତାଙ୍କ ଜନ୍ମସ୍ଥାନକୁ ଫେରି ଥିବାରୁ ନରେନ୍ଦ୍ର ମୋଦିଙ୍କ ପାଇଁ ଏଇଟା ଥିଲା ଏକ ଆବେଗମୟ ଘରବାହୁଡ଼ା। ତାଙ୍କୁ ପାଛୋଟି ନେବା ପାଇଁ ଗୁଞ୍ଜା ଏୟାର୍‌ ଷ୍ଟ୍ରିପ୍‌ରୁ ବଡ଼ନଗର ଯାଏଁ ବାରିକେଡ୍‌ ବସା ଯାଇଥିବା ସାତ କିଲୋମିଟର୍‌ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇଥିବା ହଜାର ହଜାର ଲୋକଙ୍କ ଠାରୁ ମୋଦି ହର୍ଷୋତ୍‌ଫୁଲ୍ଲିତ ସ୍ୱାଗତ ପାଇଥିଲେ।

ମହିଳାମାନେ ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରି ଥିଲେ ଏବଂ ସ୍ମାଟ୍‌ଫୋନ୍‌ରେ ତାଙ୍କ ଚିତ୍ରତ୍ତୋଳନ କରିବାକୁ କେତେକ ଲୋକ ତାଙ୍କ ଗାଡ଼ିର ଉଭୟ ପାର୍ଶ୍ୱରେ ଦୌଡ଼ି ଥିଲେ। ସେ ଅଧ୍ୟୟନ କରିଥିବା ବି ଏନ୍‌ ହାଇସ୍କୁଲ୍‌ ଠାରେ ମୋଦି ଅତର୍କିତ ଭାବେ ଅଟକି ଯିବା ଥିଲା ହୃଦୟସ୍ପର୍ଶୀ ବେଳା।

ସେ କାର୍‌ରୁ ଓହ୍ଲାଇ ତଳେ ଆଣ୍ଠେଇ ପଡ଼ି ନିଜ ସ୍କୁଲ୍‌ ହତାରୁ କିଛି ଧୂଳି ନେଇ ନିଜ ମଥାରେ ଲଗାଇ ଥିଲେ। ମାଟିର ପୁଅ, ତାଙ୍କର ପୁରାତନ ବନ୍ଧୁ ଏବଂ ଚିହ୍ନାପରିଚମାନଙ୍କ ପାଇଁ ଏହା ଥିଲା ଏକ ଆବେଗିକ ବେଳା। ଏକ ହର୍ଷୋତ୍‌ଫୁଲ୍ଲିତ ଜନତାଙ୍କ ଗହଣରେ ସେମାନେ ମୋଦିଙ୍କୁ ପାଛୋଟି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe