Image Courtesy of India Today
ଇସ୍ଲାମାବାଦ: ବହିଷ୍କୃତ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ପୁଣି କ୍ଷମତାସୀନ କରାଯାଉ ବୋଲି ଦାବି କରି ରବିବାର ଦିନ ‘ପାକିସ୍ତାନ ତେହରୀକ୍-ଏ-ଇନ୍ସାଫ୍’ର (ପିଟିଆଇ) ସଦସ୍ୟମାନେ ପାକିସ୍ତାନର କେତେକ ସହରରେ ପ୍ରତିବାଦ ରାଲି ପ୍ରଦର୍ଶନ କରିଥିଲେ।
ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନପୂର୍ବକ ଆଜି ‘ପାକିସ୍ତାନ ତେହରୀକ୍-ଏ-ଇନ୍ସାଫ୍’ର ଅଧ୍ୟକ୍ଷ ଇମ୍ରାନ୍ ଖାଁ ଟୁଇଟ୍ କରି ଲେଖିଛନ୍ତି: ଅପରାଧୀମାନଙ୍କ ନେତୃତ୍ବାଧୀନ ବିଦେଶରୁ ଆମଦାନି ହୋଇଥିବା ସରକାରକୁ ପ୍ରତ୍ୟାଖ୍ୟାନ କରିବା ଲାଗି ସ୍ବତଃସ୍ଫୃତ ଭାବେ ଏଭଳି ଓ ଏତେ ସଂଖ୍ୟାରେ ଜନସମାଗମ ଆମ ଇତିହାସରେ ନ ଥିଲା।
ସ୍ଥାନୀୟ ବିଶ୍ବାସଘାତକମାନଙ୍କ ସହଯୋଗରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥିତ ଶାସନ ବିରୋଧରେ ସ୍ବେଚ୍ଛାକୃତ ଓ ଭାବାବେଗପୂର୍ଣ୍ଣ ଅଭୂତପୂର୍ବ ପ୍ରତିବାଦ ପାଇଁ ସମସ୍ତ ପାକିସ୍ତାନୀଙ୍କୁ ଧନ୍ୟବାଦ ଜଣାଉଛି। ପାକିସ୍ତାନରେ ଓ ପାକିସ୍ତାନ ବାହାରେ ଥିବା ନାଗରିକମାନେ ଏଭଳି ସରକାରଙ୍କୁ ସମର୍ଥନ କରୁନାହାନ୍ତି।
 Image Courtesy of India Todayଇସ୍ଲାମାବାଦ, କରାଚୀ, ପେଶୱାର୍, ମଲକନ୍ଦ, ମୁଲ୍ତାନ ଖାନେୱାଲ୍, ଖାଇବର୍, ଝଙ୍ଗ ଏବଂ କ୍ବେଟ୍ଟା ଆଦି ନଗରୀରେ ରାଲି ବାହାର କରି ପ୍ରତିବାଦକାରୀମାନେ ବିରୋଧୀ ଦଳଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ।
ପଞ୍ଜାବ ପ୍ରଦେଶରେ ବାହାରିଥିବା ରାଲିରେ ‘ଚୌକିଦାର୍ ଚୋର୍ ହୈ’ ସ୍ଲୋଗାନ୍ ଶୁଣାଯାଇଥିଲା। ‘ଲାଲ୍ ହାୱେଲି’ ନିକଟରେ ସମବେତ ହୋଇ ପ୍ରତିବାଦକାରୀମାନେ ଉପରୋକ୍ତ ସ୍ଲୋଗାନ୍ ଦେଇଥିଲେ। ସ୍ମରଣଯୋଗ୍ୟ, ପ୍ରଥମେ ଭାରତରେ କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏହି ରାଲି ଦେଇଥିଲେ। କିନ୍ତୁ, ପାକିସ୍ତାନ ସେନା ଇମ୍ରାନ୍ ଖାଁଙ୍କ ଜନମତ ଚୋରାଇ ନେଇଥିବା ଅଭିଯୋଗ କରି ତାଙ୍କ ଦଳୀୟ କର୍ମୀମାନେ ଉପରୋକ୍ତ ସ୍ଲୋଗାନ୍ ଦେଇଥିଲେ।
  
 Follow Us