ମୁସେୱାଲାଙ୍କ ପରି ହତ୍ୟା କରିବୁ, ସଲମାନଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ମୁସେୱାଲାଙ୍କ ପରି ହତ୍ୟା କରିବୁ, ସଲମାନଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ମୁମ୍ବାଇ: ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମିଳିଛି ହତ୍ୟା ଧମକ | ଖବର ଅନୁଯାୟୀ, ସଲମାନ ଖାନଙ୍କୁ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ପରି ହତ୍ୟା କରାଯିବ ବୋଲି ଧମକ ଦେଇଥିବା ଚିଠି ମିଳିଛି। ସୂଚନାନୁସାରେ, ଯେତେବେଳେ ସଲମାନ ଖାନଙ୍କ ପିତା ସକାଳେ ଜଗିଂ କରିବାକୁ ଯାଇଥିଲେ ଓ ଯେଉଁ ବେଞ୍ଚରେ ବସିଥିଲେ, ସେତେବେଳେ ସେ ତାଙ୍କ ପୁଅ ସଲମାନ ଖାନଙ୍କ ନାମରେ ଏକ ଧମକପୂର୍ଣ୍ଣ ଚିଠି ପାଇଥିଲେ। ପୁଲିସ ଏବେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

ମୁମ୍ବାଇର ବାନ୍ଦ୍ରା ପୁଲିସ ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରିଛି। ବିଶେଷ କଥା ହେଉଛି ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା। ଏହାର କାରଣ ହେଉଛି ମୁସେୱାଲାଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଲରେନ୍ସ ବିଷ୍ଣୋଇ ପୂର୍ବରୁ ସଲମାନଙ୍କୁ ମଧ୍ୟ ଟାର୍ଗେଟ୍‌ କରିବାକୁ ଯୋଜନା କରିଥିଲା। ଉଲ୍ଲେଖଯୋଗ୍ୟ, ବିଷ୍ଣୋଇ ସମ୍ପ୍ରଦାୟ ଦ୍ୱାରା କୃଷ୍ଣସାର ମୃଗକୁ ପବିତ୍ର ଜୀବ ଭାବରେ ବିବେଚନା କରାଯାଏ। ଏକ କୃଷ୍ଣସାର ମୃଗ ଶିକାର ମାମଲାରେ ସମ୍ପୃକ୍ତ ଥିବାରୁ ସଲମାନ ଖାନଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ଯୋଜନା ବିଷ୍ଣୋଇ କରିଥିବା ଜଣାପଡିଥିଲା ।

୨୦୧୮ ମସିହାରେ ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ଜେଲରୁ ହତ୍ୟା କରିବାକୁ ଧମକ ଦେଇଥିଲା। ହେଲେ ସଲମାନଙ୍କୁ ହତ୍ୟା କରିବା ପାଇଁ ଲରେନ୍ସ ବିଷ୍ଣୋଇକୁ ନିଜ ପସନ୍ଦର ଅସ୍ତ୍ର ନମିଳିବାରୁ ହତ୍ୟା ଯୋଜନା ସଫଳ ହୋଇପାରିନଥିଲା। ତେବେ ବର୍ତ୍ତମାନ ଏହି ଧମକପୂର୍ଣ୍ଣ ଚିଠି କିଏ ପଠାଇଛି ତାହାକୁ ନେଇ ଛାନଭିନ ଜାରି ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe