ଟୋକିଓ: ରବିବାର ସକାଳେ ଜାପାନର ପଶ୍ଚିମାଞ୍ଚଳରେ ଗୋଟାଏ ଟ୍ରେନ୍ରେ ଛୁରି ଆକ୍ରମଣରେ ୩ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଛୁରି ଭୁସିଛନ୍ତି ବୋଲି କୁହାଯାଉଥିବା ଆକ୍ରମଣକାରୀଙ୍କୁ ବି ଗିରଫ କରାଯାଇଛି ବୋଲି ସେମାନେ କହିଛନ୍ତି।
ଛୁରାମାଡ଼ରେ ଆହତ ହୋଇଥିବା ଲୋକମାନେ ହେଉଛନ୍ତି, ୩୦ ବର୍ଷରୁ କମ୍ ବୟସ୍କ ଜଣେ ଟ୍ରେନ୍ କଣ୍ଡକ୍ଟର୍ (ଟିଟିଆଇ), ଜଣେ ୨୦/୨୫ ବର୍ଷର ଯୁବକ ଓ ଜଣେ ୭୦ରୁ ଅଧିକ ବର୍ଷ ବୟସ୍କ ବୃଦ୍ଧ। ଚିକିତ୍ସା ନିମନ୍ତେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା କଥା ପାଖ ଅଗ୍ନିଶମ ବିଭାଗର କର୍ମଚାରୀ ତେତ୍ସୁୟା ସାକାଗାମି ଗଣମାଧ୍ୟମକୁ କହିଛନ୍ତି।
ସ୍ଥାନୀୟ ପୁଲିସ ଗଣମାଧ୍ୟମକୁ କହିଛି ଯେ, ଓସାକା ଅଞ୍ଚଳର ରିଙ୍କୁ ଟାଉନ୍ ଷ୍ଟେସନ୍ରେ ଗିରଫ କରାଯିବା ବେଳେ ୩୭ ବର୍ଷିୟ ସନ୍ଦିଗ୍ଧଙ୍କ ପାଖରୁ ୩ଟି ଛୁରି ଉଦ୍ଧାର କରାଯାଇଛି।
Image Courtesy of DWହତ୍ୟା ଉଦ୍ୟମ କରିଥିବା କାରଣରୁ ତାଙ୍କୁ ଗିରଫ କରାଯାଇଛି। ସେ ମଧ୍ୟ ଏହି ଆକ୍ରମଣ କରିଥିବା କଥା ସ୍ବୀକାର କରିଛନ୍ତି। ତଥାପି କେଉଁ ଉଦ୍ଦେଶ୍ୟ ରଖି ସେ ଏଭଳି ଆକ୍ରମଣ କଲେ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଥିବା କଥା ପୁଲିସ କହିଛି।
ସୂଚନାଯୋଗ୍ୟ, ଜାପାନରେ ଜଘନ୍ୟ ଅପରାଧ ଖୁବ୍ ବିରଳ। ବନ୍ଧୁକ ରଖିବା କ୍ଷେତ୍ରରେ ବିଶ୍ବରେ ସବୁଠୁ କଠୋର ନିୟମ ଲାଗୁ କରିଥିବା ଜାପାନରେ ନରହତ୍ୟା ସଂଖ୍ୟା ଅତି କମ୍। ତଥାପି କଦବା କେମିତି ଜାପାନରେ ଛୁରାମାଡ଼ ଓ ଗୁଳିକାଣ୍ଡ ଭଳି ଘଟଣା ଘଟୁଛି। ଗତବର୍ଷ ପୂର୍ବତନ ପ୍ରଧାନମନ୍ତ୍ରୀ ସିନ୍ଜୋ ଆବେଙ୍କୁ ହତ୍ୟା କରାଯିବା ଘଟଣା ଏହାର ଦୃଷ୍ଟାନ୍ତ।
Follow Us