ଅରୁଣାଚଳ ପ୍ରଦେଶରେ ଚିଡ଼ିଆଖାନା ତତ୍ତ୍ବାବଧାରକଙ୍କୁ କ୍ଷତବିକ୍ଷତ କରି ମାରି ପକାଇଲା ମହାବଳ ବାଘୁଣୀ

Advertisment
ଅରୁଣାଚଳ ପ୍ରଦେଶରେ ଚିଡ଼ିଆଖାନା ତତ୍ତ୍ବାବଧାରକଙ୍କୁ କ୍ଷତବିକ୍ଷତ କରି ମାରି ପକାଇଲା ମହାବଳ ବାଘୁଣୀ

ଇଟାନଗର: ଅରୁଣାଚଳ ପ୍ରଦେଶର ଇଟାନଗରରେ ଥିବା ‘ପ୍ରାଣୀ ଉଦ୍ୟାନ’ରେ ଗୋଟାଏ ମହାବଳ ବାଘୁଣୀ ଜଣେ ୩୫ ବର୍ଷିୟ ତତ୍ତ୍ବାବଧାରକଙ୍କୁ କ୍ଷତବିକ୍ଷତ କରି ମାରିପକାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ମଙ୍ଗଳବାର ଦିନ ଜଳାଶୟ ପରିଷ୍କାର କରିବା ଲାଗି ଆସାମର ଲକ୍ଷ୍ମୀପୁର ଜିଲ୍ଲା ଅନ୍ତର୍ଗତ ଢେକିଆଜୁଲି ବାସିନ୍ଦା ପୌଲଶ କର୍ମକାର ପିଞ୍ଜରା ମଧ୍ୟକୁ ପ୍ରବେଶ କରିବା ବେ‌ଳେ ବାଘୁଣିଟି ତାଙ୍କୁ କାମୁଡ଼ି ମାରି ପକାଇଥିବା କଥା ଚିଡ଼ିଆଖାନାର କ୍ୟୁରେଟର୍‌ ରାୟ ଫ୍ଲାଗୋ ନାମକ ଉକ୍ତ ସରକାରୀ ଅଧିକାରୀ କହିଛନ୍ତି।

publive-image Representative Image Courtesy of NDTV

ଫ୍ଲାଗୋ କହିଛନ୍ତି, ମଙ୍ଗଳବାର ଅପରାହ୍ଣ ୨.୩୦‌ରେ ଘଟଣାଟି ଘଟିଛି। ଜନ୍ତୁମାନଙ୍କର ସେବାଯତ୍ନ କରୁଥିବା ଅନ୍ୟ ୪ଜଣ ମତେ ଏ ସଂକ୍ରାନ୍ତରେ ଅବଗତ କରାଇଛନ୍ତି। ଜଣେ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ମୁଁ ଚିଡ଼ିଆଖାନାରେ ପହଞ୍ଚିଲା ବେ‌ଳକୁ ପୌଲଶ କର୍ମକାରଙ୍କର ପ୍ରାଣବାୟୁ ଉଡ଼ିଯାଇ ସାରିଥିଲା। ତାଙ୍କ ମୁହଁରୁ ରକ୍ତର ସୁଅ ଛୁଟୁଥିଲା।

publive-image Image Courtesy of Arunachal Times

କର୍ମକାରଙ୍କୁ କାମୁଡ଼ି ମାରି ପକାଇଥିବା ମହାବଳ ବାଘୁଣୀର ନାଁ ‘ଚିପ୍ପି’। ଦିବାଙ୍ଗ ଉପତ୍ୟକା ଜିଲ୍ଲାର ଆନିନ୍‌ରୁ ସେତେବେଳେ ୮ମାସ ବୟସ ହୋଇଥିବା ଛେଉଣ୍ଡ ‘ଚିପ୍ପି’ ସହ ‘ଇପ୍ରା’ ନାମ୍ନୀ ଆଉ ଏକ ବାଘୁଣୀକୁ ମଧ୍ୟ ଉଦ୍ଧାର କରାଯାଇଥିଲା। ୨୦୧୩ରେ ସେମାନଙ୍କୁ ଇଟାନଗରସ୍ଥିତ ପ୍ରାଣୀ ଉଦ୍ୟାନକୁ ପଠାଇ ଦିଆଯାଇଥିଲା।

ପଞ୍ଜୁରି ମଧ୍ୟକୁ ପ୍ରବେଶ କରିବା ପାଇଁ ଥିବା ୩ଟିଯାକ ଫାଟକ ସେତେବେଳେ ଖୋଲା ଥିଲା। ସେଥିଯୋଗୁଁ ବାଘୁଣୀ ତାଙ୍କୁ ଆକ୍ରମଣ କରିଥାଇ ପାରେ ବୋଲି ଆମର ମନେହେଉଛି। ଘଟଣା ସଂକ୍ରାନ୍ତରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରାଯିବା ସହ ଫରେନ୍‌ସିକ୍‌ ଟେଷ୍ଟ୍‌ ନିମନ୍ତେ ଶବକୁ ‘ଆର୍‌କେ ମିସନ୍‌ ହସ୍ପିଟାଲ୍‌’କୁ ପଠାଇ ଦିଆଯାଇଛି। ଘଟଣାରେ ସନ୍ଦେହଜନକ କିଛି ଥିବା ପରି ମନେହେଉନାହିଁ। ଅବହେଳା କାରଣରୁ ଏ ଭଳି ହୋଇଥିବା ଜଣାପଡୁଛି ବୋଲି ଇଟାନଗର ସବ୍‌-ଡିଭିଜିନାଲ୍‌ ପୁଲିସ ଅଧିକାରୀ କମଦମ ସିକୋମ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe