representetional immage - Indian Youth
ନୂଆଦିଲ୍ଲୀ,: ଦିଲ୍ଲୀ ପୁଲିସ ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗୋଟିଏ ଗ୍ୟାଙ୍ଗ୍ର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଉକ୍ତ ଠକଗଣ ଜଣେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନମ୍ବରଗୁଡ଼ିକୁ ଟ୍ୟାମ୍ପରିଂ କରିଥିଲେ। ସେମାନେ ଏମିତି ବିଭିନ୍ନ ସରକାରୀ କାର୍ଯ୍ୟାଳୟର ନମ୍ବର ଜାଲିଆତି କରି ତା’ ସାହାଯ୍ୟରେ ଲୋକଙ୍କୁ ଫୋନ୍ କରି ଠକିଥାନ୍ତି।
ନେତାମାନଙ୍କୁ ଫୋନ୍ କରି କହନ୍ତି, ‘ମୁଁ ଅମୁକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କହୁଛି। ତୁମକୁ ୨୦୨୪ ନିର୍ବାଚନ ପାଇଁ ଟିକେଟ ମିଳିବ। ଅମୁକ ଆକାଉଣ୍ଟରେ ଏତେ ଟଙ୍କା ଜମା କର’। ଏହିପରି ଭାବେ ସେମାନେ ୫୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି। ଏହି ଟଙ୍କାକୁ କ୍ରିପ୍ଟୋ-କରେନ୍ସିକୁ ପରିବର୍ତ୍ତନ କରି ୱାଲେଟ୍ ଜରିଆରେ ହଡ଼ପ କରାଯାଇଥାଏ।
ପୁଲିସ ଏକ ମୋବାଇଲ ଜବତ କରିଛି, ଯେଉଁଥିରେ ଅକ୍ଟାଫ୍କ୍ସ ନାମକ ଏକ ୱାଲେଟ୍ ଅଛି ଏବଂ ଏହି ୱାଲେଟ୍ରେ ୫୯,୦୦୦ ଡଲାର ରହିଛି। ଅଭିଯୁକ୍ତମାନେ ଭାଇବରପ୍ଲସ୍ ନାମକ ଏକ ଜାଲିଆତିକାରୀ ଆପ୍ ବ୍ୟବହାର କରୁଥିବା ଜଣାପଡ଼ିଛି। ସେମାନେ ବିଭିନ୍ନ ସରକାରୀ ପୋର୍ଟାଲରୁ ନେତା, ମନ୍ତ୍ରୀ, ଅଫିସରମାନଙ୍କ ଫୋନ୍ ନମ୍ବର ସଂଗ୍ରହ କରି ଉକ୍ତ ଆପ୍ରେ ରେଜିଷ୍ଟର କରିଦିଅନ୍ତି। ତା’ପରେ ଯେଉଁ ନମ୍ବରରୁ ଚାହିବେ ସେହି ନମ୍ବରରୁ ସେମାନେ ଫୋନ୍ କରିପାରନ୍ତି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଗୁଜରାଟର ଜଷ୍ଟିନ୍ ମୋହନଲାଲ ପରିରା (୪୬), ଦଶରଥ ମକୱାନା (୩୩), ତାଙ୍କ ସମ୍ପର୍କୀୟ ଭାଇ ନରେଶ କୁମାର (୩୬) ଏବଂ ଲକ୍ଷ୍ନୌର ହିମାଂଶୁ ସିଂହ (୨୨)। ଏମାନେ ପ୍ରଥମେ ବହୁସ୍ତରୀୟ ମାର୍କେଟିଂ ଓ କ୍ରିପ୍ଟୋ କରେନ୍ସି ବ୍ୟବସାୟ କରୁଥିଲେ। ତା’ପରେ ସେମାନେ ସହଜ ରୋଜଗାର ପାଇଁ ଏପରି ଅପରାଧର ପନ୍ଥା ଆପଣାଇଛନ୍ତି। ଏହି ଅଭିଯୁକ୍ତମାନଙ୍କୁ ବର୍ତ୍ତମାନ ତିହାର ଜେଲରେ ବିଚାରବିଭାଗୀୟ ହାଜତରେ ରଖାଯାଇଛି। ଏହାପରେ ପୁଲିସ ପକ୍ଷରୁ ଟିକେଟ୍ ଆଶାୟୀ ନେତାମାନଙ୍କୁ ଏପରି ଠକଙ୍କ ପାଲରେ ନ ପଡ଼ିବା ପାଇଁ ପରାମର୍ଶ ଦିଆଯାଇଛି।
Follow Us