Image Courtesy of Deccan Chronicle
ତିରୁନେଲ୍ଭେଲି: ସୋମବାର ଦିନ ତିରୁନେଲ୍ଭେଲିସ୍ଥିତ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟ-୧ ଚେନ୍ନାଇର ବ୍ୟଙ୍ଗଚିତ୍ରକାର ବାଲାଙ୍କୁ ଜାମିନ ଦେଇଛନ୍ତି। ରବିବାର ଦିନ ତାଙ୍କୁ ତିରୁନେଲ୍ଭେଲି ପୁଲିସର ଡିଷ୍ଟ୍ରିକ୍ଟ୍ କ୍ରାଇମ୍ ବ୍ରାଞ୍ଚ୍ ଗିରଫ କରିଥିଲା। ପୁଲିସ ତାଙ୍କୁ କୋର୍ଟରେ ହାଜର କରାଇବା ପରେ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏମ୍ ରାମଦାସ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ।
ତିରୁନେଲ୍ଭେଲି କଲେକ୍ଟୋରେଟ୍ ସାମ୍ନାରେ ଏକ ଚାରି ସଦସ୍ୟ ବିଶିଷ୍ଟ ପରିବାର ଆତ୍ମଦାହ କରିବା ମାମଲାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ ପଲାନୀସ୍ୱାମୀ, ତିରୁନେଲ୍ଭେଲି ଜିଲ୍ଲାପାଳ ସନ୍ଦୀପ ନାନ୍ଦୁରି ଏବଂ ତିରୁନେଲ୍ଭେଲି ପୁଲିସ କମିସନର୍ କପିଳ କୁମାର ସାରତକରଙ୍କର ଏକ ରୁଚିହୀନ ବ୍ୟଙ୍ଗଚିତ୍ର ଆଙ୍କି ଅକ୍ଟୋବର ୨୬ ତାରିଖ ଦିନ ସାମାଜିକ ଗଣମାଧ୍ୟମରେ ଅପ୍ଲୋଡ୍ କରିବା ଅଭିଯୋଗରେ ଜି. ବାଲାଙ୍କୁ ପୁଲିସ ଗିରଫ କରିଥିଲା। ତିରୁନେଲ୍ଭେଲି ଜିଲ୍ଲାପାଳ ତାଙ୍କ ବିରୋଧରେ ଅଭିଯୋଗ ଦାଏର୍ କରିଥିଲେ।
ବାଲାଙ୍କୁ ଅଦାଲତରେ ହାଜର କରାଯିବା ପୂର୍ବରୁ ସେ କହିଥିଲେ କି, ତିରୁନେଲ୍ଭେଲି କଲେକ୍ଟୋରେଟ୍ ସମ୍ମୁଖରେ ଅକ୍ଟୋବର ୨୩ ତାରିଖ ଦିନ ଦୁଇଟି ପିଲା ପୋଡ଼ି ଯାଉଥିବା ଦୃଶ୍ୟରେ ସେ ବିଚଳିତ ହୋଇ ଯାଇଥିଲେ।
Image Courtesy of India Todayଜଣେ ମହାଜନଙ୍କ ଠାରୁ ଉଧାର ଆଣି ତାଙ୍କୁ ୧. ୪୦ ଲକ୍ଷ ଟଙ୍କା ସୁଧ ସମେତ ୨. ୩୪ ଲକ୍ଷ ଟଙ୍କା ପରିଶୋଧ କରି ସାରିଥିଲେ ସୁଦ୍ଧା ସେ ମହାଶୟ ଉକ୍ତ ପରିବାରକୁ ହଇରାଣ ହରକତ କରୁଥିଲେ। ଏ କଥା ଅଭିଯୋଗ କରିବାକୁ ପରିବାରର ମୁଖ୍ୟ ମୁଥୁ ଅନେକ ଥର କଲେକ୍ଟୋରେଟ୍ ଯାଇ ନିରାଶ ହେବା ପରେ ଆତ୍ମଦାହ ଭଳି ଚରମ ପଦକ୍ଷେପ ନେଇଥିଲେ।
୩୬ ବର୍ଷିୟ ମୁକ୍ତବୃତ୍ତ ବ୍ୟଙ୍ଗଚିତ୍ରକାର ଜି ବାଲକୃଷ୍ଣନନ୍ ଓରଫ ବାଲାଙ୍କ ବିରୋଧରେ ଦିଆଯାଇଥିବା ଏଫ୍ଆଇଆର୍ ଏବଂ ତାଙ୍କର ଗିରଫଦାରି ବେଆଇନ୍ ବୋଲି ବାଲାଙ୍କ ଓକିଲ ଏସ୍ ବାଞ୍ଚିନାଥନ ଅଭିଯୋଗ କରିଥିଲେ। ସାଧାରଣ ନାଗରିକ, ରାଜନେତା ଏବଂ ସାମ୍ବାଦିକମାନେ ତାଙ୍କର ଗିରଫଦାରି ବିରୋଧରେ ପ୍ରତିବାଦ କରିଥିଲେ।
Follow Us