କୋଲକାତା: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପଶ୍ଚିମବଙ୍ଗରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ରାଜ୍ୟର ସନ୍ଦେଶଖାଲିରେ ହୋଇଥିବା ମହିଳାଙ୍କ ଉପରେ ଅମାନୁଷିକ କାର୍ଯ୍ୟକୂ ନେଇ ଉତ୍ତେଜନମୂଳକ ସ୍ଥିତି ଥମି ନ ଥିବାବେଳେ ପୁଣି ଏକ ନୂଆ ଅଭିଯୋଗ ହୋଇଛି। ବିଜେପି ନେତା ସବ୍ୟସାଚୀ ଘୋଷ ନିଜ ହୋଟେଲରେ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ ଶାସକ ଟିଏମସି ପକ୍ଷରୁ ଅଣାଯାଇଛି। ଏହି ମାମଲାରେ ୧୧ ଜଣ ଗିରଫ ହୋଇଥିବା ଶାସକ ଦଳ କହିଛି।
ହାୱରାର ଶଙ୍କରାଲି ଅଞ୍ଚଳରେ ଥିବା ହୋଟେଲରେ ଏହି ରାକେଟର ପର୍ଦ୍ଦାଫାଶ ହୋଇଛି ଏବଂ ଏଥିରେ ଅଧିକ ସଂଖ୍ୟକ ନାବାଳିକା ଥିବା ଶାସକ ଦଳ ଅଭିଯୋଗ ଆଣିଛି।
ବିଜେପି ମହିଳା ଏବଂ ଝିଅଙ୍କୁ ସୁରକ୍ଷାଦେବା ପରିବର୍ତ୍ତେ ଦେହବେପାରକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ଟିଏମସି ଅଭିଯୋଗ କରିଛି। ଏନେଇ ସୋସିଆଲ ମିଡ଼ିଆ ଏକ୍ସରେ ଟିଏମସି ହ୍ୟାଣ୍ଡେଲେ ବିଜେପି ବିରୋଧରେ ଅଭିଯୋଗ ଅଣାଯାଇଛି। ହୋଟେଲରୁ ୬ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ଟିଏମସି କହିଛି।
ଅନ୍ୟପକ୍ଷରେ ସନ୍ଦେଶଖାଲି ଗସ୍ତ କରିବାକୁ ଚାହୁଁଥିବା ବିଜେପି ଏମପି ଲକେଟ ବାନାର୍ଜୀ ଏବଂ ଏମଏଲଏ ଅଗ୍ନିମିତ୍ରା ପାଲଙ୍କୁ ସୁରକ୍ଷାକୁ ଦୃଶ୍ଟିରେ ରଖି ପୁଲିସ ପକ୍ଷରୁ ଅନୁମତି ପ୍ରଦାନ କରାଯାଇ ନାହିଁ। ଅଗ୍ନିମିତ୍ରା ପାଲ ଅଭିଯୋଗ ଆଣିଛନ୍ତି ଯେ ସତ ଘୋଡ଼ାଇବା ପାଇଁ ଶାସକ ଦଳ ପୁଲିସ ବିଭାଗକୁ ଏଭଳି ନିର୍ଦ୍ଦେଶ ଦେଇଛି। ଯୋଜନାବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ପକ୍ଷରୁ ଏଭଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
Follow Us