ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାରୁ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆଜି ଭାରତ ସରକାର ‘ଅପରେସନ ଅଜୟ’ ଆରମ୍ଭ କରିଛନ୍ତି। ଇସ୍ରାଏଲରେ ଏବେ ପ୍ରାୟ ୧୮ ହଜାର ଭାରତୀୟ ଅଛନ୍ତି। ଯେଉଁ ଭାରତୀୟମାନେ ଫେରିବାକୁ ଚାହିବେ ତାଙ୍କୁ ଭାରତ ଫେରିବା ପାଇଁ ସୁବିଧା ଯୋଗାଇ ଦିଆଯିବ ବୋଲି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ତାମିଲନାଡ଼ୁରୁ ଅଧ୍ୟୟନ, ବ୍ୟବସାୟ ଏବଂ ଭ୍ରମଣ ଉଦ୍ଦେଶ୍ୟରେ ଇସ୍ରାଏଲ ଯାଇଥିବା ୮୪ ଜଣ ନାଗରିକ ସେଠାରୁ ତତ୍କାଳ ଫେରିବା ପାଇଁ ଗତକାଲି ସରକାରଙ୍କ ସହାୟତା ଲୋଡ଼ିଥିଲେ।
ତାମିଲନାଡ଼ୁର କିଛି ଛାତ୍ର ତେଲ ଅଭିଭ୍ ୟୁନିଭର୍ସିଟି, ଜେରୁଜେଲମ ୟୁନିଭର୍ସିଟି, ବେନ୍ ଗୁରିଅନ ଏବଂ ପୂର୍ବ ଜେରୁଜେଲମର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ତେବେ ଫସିଥିବା ତାମିଲମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି। ସେମାନଙ୍କ ନିକଟରେ ଆଶ୍ରୟସ୍ଥଳ ଏବଂ ଖାଦ୍ୟ ଅଛି ବୋଲି ସେମାନେ କହିଛନ୍ତି। ତାମିଲନାଡ଼ୁ ସରକାର ଆଜି ବିଦେଶ ବ୍ୟାପାର ମନ୍ତ୍ରାଳୟ ଏବଂ ଇସ୍ରାଏଲ ସ୍ଥିତ ଭାରତୀୟ ଦୂତାବାସକୁ ଏହି ଖବର ଦେଇଛନ୍ତି ଏବଂ ଫସି ରହିଥିବା ଲୋକମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାପାଇଁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ କେରଳରୁ ପ୍ରାୟ ୭ ହଜାର ଲୋକ ଏବେ ଇସ୍ରାଏଲରେ କାର୍ଯ୍ୟରତ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସେବିକା। ତେବେ ଇସ୍ରାଏଲରେ ଏବେ ଘମାଘୋଟ ଯୁଦ୍ଧ ଲାଗି ରହିଥିବାବେଳେ କେରଳର ଏହି ଲୋକମାନେ ଇସ୍ରାଏଲ ଛାଡ଼ିବାକୁ ରାଜି ନାହାନ୍ତି। ସେମାନେ ସୁରକ୍ଷିତ ଥିବା କହିଛନ୍ତି। ଇସ୍ରାଏଲରେ କାମ କରୁଥିବା ୭ ହଜାର ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ସେବିକା।
Follow Us