ଆଜି ରୁଷ୍‌ର ‘ବିଜୟ ଦିବସ’: ପୁଟିନଙ୍କ ନିଷ୍ପତ୍ତି ଉପରେ ବିଶ୍ୱର ନଜର

Advertisment
ଆଜି ରୁଷ୍‌ର ‘ବିଜୟ ଦିବସ’: ପୁଟିନଙ୍କ ନିଷ୍ପତ୍ତି ଉପରେ ବିଶ୍ୱର ନଜର

ମସ୍କୋ : ରୁଷ-ୟୁକ୍ରେନ୍‌ ଯୁଦ୍ଧର ଘନଘଟା ମଧ୍ୟରେ ଆଜି (ସୋମବାର) ରୁଷ୍‌ ବିଜୟ ଦିବସ ପାଳନ କରିବାକୁ ଯାଉଛି । ଏହି ଦିନ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ ବିରୋଧରେ ସୋଭିଏତ୍‌ ସଂଘର ବିଜୟ ହୋଇଥିବାରୁ ରୁଷ୍‌ ପ୍ରତିବର୍ଷ ମେ ୯ରେ ବିଜୟ ଉତ୍ସବ ପାଳନ କରିଆସୁଛି। ସୋଭିଏତ ନେତା ଷ୍ଟାଲିନ୍‌ ମେ ୯କୁ ବିଜୟ ଉତ୍ସବ ପାଇଁ ଚୟନ କରିଥିଲେ କାରଣ ଏହି ଦିନ ବର୍ଲିନ ସଂପୂର୍ଣ୍ଣ ଭାବେ ସୋଭିଏତ୍‌ ସେନା ନିୟନ୍ତ୍ରଣକୁ ଆସିଯାଇଥିଲା। ବିଜୟ ଦିବସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଯୁଦ୍ଧକୁ ନେଇ କିଛି ବଡ଼ ପଦକ୍ଷେପ ନେଇପାରନ୍ତି। ଏପରିକି ୟୁକ୍ରେନ୍‌ ବିରୋଧରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଘୋଷଣା ମଧ୍ୟ ପୁଟିନ୍‌ ତାଙ୍କ ଭାଷଣରେ କରିପାରନ୍ତି ବୋଲି ପଶ୍ଚିମ ରାଷ୍ଟ୍ରମାନେ ଆଶଙ୍କା କରୁଛନ୍ତି। ଏଭଳି ଘୋଷଣା ହେଲେ ପରିସ୍ଥିତି ଅତି ଭୟାନକ ହେବ ଏବଂ ରୁଷ୍‌ର ଆକ୍ରମଣ କେବଳ ୟୁକ୍ରେନ୍‌ରେ ସୀମିତ ରହିବ ନାହିଁ। ଏବେ ନାଟୋ ରାଷ୍ଟ୍ରମାନେ ୟୁକ୍ରେନ୍‌କୁ ଦେଉଥବା ଅସ୍ତ୍ରକୁ ରୁଷ୍‌ ଟାର୍ଗେଟ୍‌ କରୁଥିବା ବେଳେ ପୂର୍ଣ୍ଣାଙ୍ଗ ଯୁଦ୍ଧ ସ୍ଥିତିରେ ରୁଷ୍‌ ପଡ଼ୋଶୀ ନାଟୋ ରାଷ୍ଟ୍ରମାନଙ୍କୁ ମଧ୍ୟ ଟାର୍ଗେଟ୍‌ କରିବା ସମ୍ଭବନା ରହିଛି। ଆସନ୍ତାକାଲି ବିଜୟ ଦିବସ ଉପଲକ୍ଷେ ରାଷ୍ଟ୍ରପତି ପୁଟିନ୍‌ ଦେଶବାସୀଙ୍କୁ ଯେଉଁ ଉଦ୍‌ବୋଧନ ଦେବେ ତାହାକୁ ପୂରା ବିଶ୍ବ ଉତ୍କଣ୍ଠାର ସହ ଅପେକ୍ଷା କରିଛି। ଆଜି ପର୍ଯ୍ୟନ୍ତ ୟୁକ୍ରେନ୍‌କୁ ନେଇ ପୁଟିନ୍‌ଙ୍କ ରଣନୀତି ନେଇ ସମସ୍ତ ଅନ୍ଧାରରେ ଅଛନ୍ତି।

publive-image

ୟୁକ୍ରେନ୍‌ ଯୁଦ୍ଧକୁ ଦୁଇମାସରୁ ଅଧିକ ସମୟ ବିତିଯାଇଥବା ବେଳେ ପୁଟିନ୍‌ ଏହାକୁ ଅଧିକ ଲମ୍ବାଇବେ କିମ୍ବା ବଡ଼ ଆକ୍ରମଣ କରି ୟୁକ୍ରେନ୍‌ର ସାମରିକ ଶକ୍ତିକୁ ସଂପୂର୍ଣ୍ଣ ନଷ୍ଟ କରିଦେବେ ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ବୋଲି ଚର୍ଚ୍ଚା ହେଉଛି। ଯୁଦ୍ଧକୁ ଲମ୍ବାଇବା ପାଇଁ ପଶ୍ଚିମ ରାଷ୍ଟ୍ରମାନେ ମଧ୍ୟ ୟୁକ୍ରେନ୍‌କୁ ସହାୟତା ଯୋଗାଣ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ବିଶ୍ବବ୍ୟାପୀ ସଙ୍କଟ ବଢ଼ିବ ବୋଲି କୁହାଯାଉଛି। ପୁଟିନ୍‌ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନ୍‌ର ସାମରିକ ଶକ୍ତିକୁ ସଂପୂର୍ଣ୍ଣ ପଙ୍ଗୁ କରିଦିଆଯିବ ଏବଂ ଏହାକୁ ନାଜି ପ୍ରଭାବରୁ ମୁକ୍ତ ରଖାଯିବ। ଏବେ ୟୁକ୍ରେନ୍‌ର ଡୋନେସ୍କ ଏବଂ ଲୁହାଂସ୍କ ପ୍ରଦେଶର ପ୍ରଶାସନକୁ ରୁଷ୍‌ ସେନା ନିଜ ନିୟନ୍ତ୍ରଣକୁ ନେବା ଆରମ୍ଭ କରିଛି ଏବଂ ଅନେକ ସହରରେ ରୁଷ୍‌ ମୁଦ୍ରା ପ୍ରଚଳନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe